ମୁହଁ ଖୋଲିଲେ ଅମିତ ଶାହା ; ଶିବସେନାର ନୂଆ ଦାବି ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ :ବିଜେପି ସହିତ ସରକାର ଗଠନ ପାଇଁ ଶିବସେନା ରଖୁଥିବା ସର୍ତ୍ତ ଉପରେ ବୁଧବାର ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ବିଜେପି ସଭାପତି ତଥା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଶିବସେନାର ନୂଆ ଦାବି କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ କିମ୍ବା ବିଜେପି କଦାପି ଏହାକୁ ଗ୍ରହଣ କରିବ ନାହିଁ ବୋଲି ଶାହା କହିଛନ୍ତି। ଶିବସେନାର ‘ପାଳି କରି ମୁଖ୍ୟମନ୍ତ୍ରୀ ହେବା’ ଦାବି ମେଣ୍ଟକୁ ସଂକଟରେ ପକାଇଲା ଓ ଏହା ଦ୍ବାରା ସରକାର ଗଠନରେ ବିଳମ୍ବ ଘଟିଲା। ନିର୍ବାଚନ ଫଳାଫଳ ପ୍ରକାଶ ପରେ ସରକାର ଗଠନ ପାଇଁ ୧୮ଦିନ ସମୟ ମିଳିଲା; କିନ୍ତୁ କୌଣସି ଦଳ ସରକାର ଗଠନ କରିପାରିଲେ ନାହିଁ ତେଣୁ ରାଷ୍ଟ୍ରପତି ଶାସନ ଜାରି କରାଗଲା। ଏହା ବିନା କୌଣସି ବିକଳ୍ପ ନ ଥିଲା ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ କହିଛନ୍ତି।
ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଁ ବାରମ୍ବାର ସାଧାରଣ ସଭାରେ କହିଛୁ ଯେ ଆମ ମେଣ୍ଟ ବିଜୟ ହାସଲ କରିବ ଏବଂ ଦେବେନ୍ଦ୍ର ଫଡ଼ନବିସ୍‌ ମୁଖ୍ୟମନ୍ତ୍ରୀ ହେବେ। ସେତେବେଳେ କେହି ଏହାର ପ୍ରତିବାଦ କରି ନ ଥିଲେ। ଫଳାଫଳ ପ୍ରକାଶ ପରେ ସେମାନେ ନୂଆ ଦାବି ଉପସ୍ଥାପନ କଲେ; ଯାହା ଆମ ପାଇଁ ଗ୍ରହଣୀୟ ନ ଥିଲା’ ବୋଲି ଶାହା କହିଛନ୍ତି। ଶିବସେନା ନିଜର ନୂଆ ଦାବି ସମ୍ପର୍କରେ ଆମ ସହିତ ଆଲୋଚନା ନ କରି ସିଧାସଳଖ ସାଧାରଣରେ ମୁହଁ ଖୋଲିଲା। ଏହାର ନେତାମାନେ ପ୍ରଥମେ ଗଣମାଧ୍ୟମରେ ମନ ଇଚ୍ଛା ମନ୍ତବ୍ୟ ଦେଲେ। ବିଜେପି ସଂସ୍କୃତିରେ ଏଭଳି ନାହିଁ। ମେଣ୍ଟ ଗଠନ ନେଇ ହୋଇଥିବା ବୁଝାମଣାକୁ ସର୍ବସମ୍ମୁଖରେ ଉପସ୍ଥାପନ କରିବା ଓ ଏହା ମାଧ୍ୟମରେ ଜନତାଙ୍କ ସହାନୁଭୂତି ସାଉଁଟିବା ପରମ୍ପରା ବିଜେପିରେ ନାହିଁ। ସେମାନେ ଜନତାଙ୍କ ଉପରେ ଭରସା କରିପାରୁ ନାହାନ୍ତି। ସେଥିପାଇଁ ବିଜେପି-ଶିବସେନା ମେଣ୍ଟକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିଥିଲେ ମଧ୍ୟ ରାଜ୍ୟରେ ରାଜନୈତିକ ସଂକଟ ସୃଷ୍ଟି ହୋଇଛି ବୋଲି ଶାହା କହିଛନ୍ତି।
ସରକାର ଗଠନ ପାଇଁ ଧାର୍ଯ୍ୟ ଅବଧି ପୂରଣ ହେବା ପରେ ରାଜ୍ୟପାଳ ଗୋଟିଗୋଟି କରି ସବୁ ଦଳଙ୍କୁ ଡାକି ଏଥିପାଇଁ ପ୍ରସ୍ତୁତ ଅଛନ୍ତି କି ନାହିଁ ବୋଲି ପଚାରିଥିଲେ; କିନ୍ତୁ କୌଣସି ଦଳ ସରକାର ଗଠନରେ ସମର୍ଥ ହେଲେ ନାହିଁ। ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ ରାଜ୍ୟପାଳ ତାଙ୍କ କାର୍ଯ୍ୟ କଲେ। ବର୍ତ୍ତମାନ ମଧ୍ୟ ସମୟ ରହିଛି; ଯେଉଁ ଦଳ ଆବଶ୍ୟକ ସଂଖ୍ୟା ସହିତ ରାଜ୍ୟପାଳଙ୍କ ନିକଟରେ ଉପସ୍ଥିତ ହେବ ଉପଯୁକ୍ତ ପରୀକ୍ଷାନିରୀକ୍ଷା ସହିତ ତାକୁ ସରକାର ଗଠନ ପାଇଁ ସୁଯୋଗ ଦିଆଯିବ ବୋଲି ଶାହା କହିଛନ୍ତି। ସୂଚନାଯୋଗ୍ୟ ଯେ ନୂଆ କ୍ଷମତା ବଣ୍ଟନ ଦାବି ଉପରେ ଶିବସେନା ପକ୍ଷରୁ ବାରମ୍ବାର ଆଲୋଚନା ପାଇଁ ବିଜେପି ତଥା ଏହାର ସଭାପତି ଶାହାଙ୍କୁ ଶିବସେନା ପକ୍ଷରୁ ଆହ୍ବାନ ଦିଆଯିବା ସତ୍ତ୍ବେ କେହି ଏଥିପାଇଁ ଆଗେଇ ଆସି ନ ଥିଲେ। ଅମିତ ଶାହା ସିଧାସଳଖ ତାଙ୍କ ସହିତ ଆଲୋଚନା କରିବାକୁ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଆହ୍ବାନ ଦେବା ସତ୍ତ୍ବେ ଅଦ୍ୟାବଧି ଶାହା ମୁହଁ ଖୋଲି ନଥିଲେ।

Comments are closed.