୨୦୧୮-୧୯ରେ ସର୍ବାଧିକ ଆୟକର ଦେଇଛନ୍ତି ଅମିତାଭ ବଚ୍ଚନ

ମୁମ୍ବଇ: ପ୍ରସିଦ୍ଧ ବଲିଉଡ଼ ତାରକା, ସୁପରଷ୍ଟାର ତଥା ବିଗ୍‍-ବି ଅମିତାଭ ବଚ୍ଚନ ୨୦୧୮-୧୯ ଆର୍ଥିକ ବର୍ଷରେ ସିନେ ତାରକାଙ୍କ ମଧ୍ୟରେ ସର୍ବାଧିକ ଆୟକର ଦେଇଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷରେ ଅମିତାଭ ବଚ୍ଚନ ୭୦ କୋଟି ଟଙ୍କା ଆୟକର ଦେଇଛନ୍ତି। ଏହା ପୂର୍ବରୁ ସଲମାନ ଖାନ ଏବଂ ଅକ୍ଷୟ କୁମାର ସିନେମା ଜଗତରେ ସର୍ବାଧିକ ଆୟକର ଦେଉଥିବା ଅଭିନେତା ଥିଲେ। ୨୦୧୭-୧୮ ଆର୍ଥିକ ବର୍ଷରେ ସଲମାନ ଖାନ ୪୪.୫ କୋଟି ଟଙ୍କା ଅଗ୍ରୀମ ଆୟକର ଜମା କରିଥିଲେ। ସେହିପରି ୨୦୧୬-୧୭ ଆର୍ଥିକ ବର୍ଷରେ ଅଭିନେତା ଅକ୍ଷୟ କୁମାର ସର୍ବାଧିକ ୨୯.୫ କୋଟି ଟଙ୍କା ଆୟକର ଦେଇଥିଲେ।
ଅଭିନେତା ଅମିତାଭ ବଚ୍ଚନଙ୍କ ମୁଖପାତ୍ର ସୋମବାର ଦିନ ଜଣାଇଥିଲେ ଯେ ୨୦୧୮-୧୯ ଆର୍ଥିକ ବର୍ଷରେ ଅମିତାଭ ୭୦ କୋଟି ଟଙ୍କା ଆୟକର ଦେଇଛନ୍ତି। ଏହାବାଦ୍‍ ବଚ୍ଚନ ବିହାର ମୁଜାଫରନଗରର ୨୦୮୪ ଜଣ କୃଷକଙ୍କ କୃଷି ଋଣ ସୁଝିଛନ୍ତି। ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ପ୍ରତି ଯବାନଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ଆର୍ଥିକ ସହଯୋଗ ଦେଇଛନ୍ତି ।
ନିକଟରେ ମୁକ୍ତିଲାଭ କରିଥିବା ସୁଜୋୟ ଘୋଷଙ୍କ ନିର୍ଦେଶିତ ଅମିତାଭ ବଚ୍ଚନଙ୍କ ଅଭୀନିତ ଚଳଚ୍ଚିତ୍ର ‘ବଦଲା’ ବକ୍ସ ଅଫିସ୍‍ରେ ଭଲ ଆୟ କରିଛି। ଏବେ ସେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ସହ ବ୍ରହ୍ମାସ୍ତ୍ର ଚଳଚ୍ଚିତ୍ରର ଶୁଟିଂ କରୁଛନ୍ତି। ଚଳିତ ବର୍ଷ ଖ୍ରୀଷ୍ଟମାସରେ ବ୍ରହ୍ମାସ୍ତ୍ର ମୁକ୍ତିଲାଭ କରିବାର ଅଛି।

Comments are closed.