ଦିଲ୍ଲୀ ହିଂସାକୁ ନେଇ ସଂସଦ ମୁଲତବି; ଅପରାହ୍ନ ୫ଟାରେ ବିବୃତି ଦେବେ ଶାହ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକୁ ନେଇ ସଂସଦରେ ପୁଣି ଥରେ ହଙ୍ଗାମା ହୋଇଛି। ବୁଧବାର ଉଭୟ ରାଜ୍ୟ ସଭା ଏବଂ ଲୋକ ସଭାରେ ବିରୋଧୀମାନେ ହୋହଲ୍ଲା ହଟ୍ଟଗୋଳ କରିବା ସହିତ ଗୃହକାର୍ଯ୍ୟ କରାଇ ନ ଦେବାରୁ ସଂସଦକୁ ମୁଲତବୀ ଘୋଷଣା କରାଯାଇଛି। ରାଜ୍ୟ ସଭାକୁ ମଧ୍ୟାହ୍ନ ୧୨ଟା ଏବଂ ଲୋକ ସଭାକୁ ମଧ୍ୟାହ୍ନ ଅପରାହ୍ନ ସାଢ଼େ ୧୨ଟା ଯାଏ ମୁଲତବୀ ରଖାଯାଇଥିଲା। ଅନ୍ୟପଟେ ଦିଲ୍ଲୀ ହିଂସା ପ୍ରସଙ୍ଗରେ ସରକାର ହୋଲି ପରେ ବିବୃତି ଦେବେ​‌ ବୋଲି ପୂର୍ବରୁ କହିଥିଲେ। ତଦନୁଯାୟୀ ହୋଲି ଛୁଟି ପରେ ବୁଧବାର ସଂସଦର କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୫ଟାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିବୃତି ରଖିବେ ବୋଲି ଜଣାପଡ଼ିଛି।

ବିରୋଧୀମା​‌ନେ ଦିଲ୍ଲୀ ହିଂସା ପ୍ରସଙ୍ଗରେ ଆଲୋଚନା ଦାବି କରି ସରକାରଙ୍କଠାରୁ ଜବାବ ମାଗିଥିଲେ। ଏହାକୁ ନେଇ ଗୃହକାର୍ଯ୍ୟ ବାରମ୍ବାର ଅଚଳ କରୁଥିଲେ। ତେଣୁ ସଂସଦ କାର୍ଯ୍ୟ ସୂଚାରୁ ରୂପେ ଚାଲିବା ଲାଗି ଶାହ ଆଜି ବିବୃତି ଦେବେ। ଏହାବ୍ୟତୀତ ବୁଧବାର ଲୋକସଭା​‌ରେ କଂଗ୍ରେର ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ୭ ସାଂସଦଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ଲାଗି ସ୍ଥଗିତ ପ୍ରସ୍ତାବ ଆଣିଥିଲେ। ସେହିପରି ୟେସ୍‌ ବ୍ୟାଙ୍କ ସଙ୍କଟ ପ୍ରସଙ୍ଗରେ ଶୂନ୍ୟକାଳରେ ଆଲୋଚନା ପାଇଁ ଆମ୍‌ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂହ ପ୍ରସ୍ତାବ ଦେଇଛନ୍ତି।

Comments are closed.