ଭର୍ଚୁଆଲ ରାଲିରେ ମମତାଙ୍କ ଉପରେ ବର୍ଷିଲେ ଶାହ- କହିଲେ ଗରିବଙ୍କ ଅଧିକାରକୁ ନେଇ ରାଜନୀତି ବନ୍ଦ କର

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଭର୍ଚୁଆଲ ରାଲି ଜରିଆରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ମମତା ଗରିବ ବିରୋଧୀ କାର୍ଯ୍ୟ କରୁଥିବା ଶାହ ଅଭିଯୋଗ କରିବା ସହିତ ଗରିବମାନଙ୍କ ଅଧିକାରକୁ ନେଇ ମମତା ରାଜନୀତି ବନ୍ଦ କରନ୍ତୁ ବୋଲି କହିଛନ୍ତି। ତେବେ ଆଗାମୀ ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଶାହଙ୍କ ଏହି ଭର୍ଚୁଆଲ ରାଲିକୁ ନିର୍ବାଚନ ଅଭିଯାନର ଶଙ୍ଖନାଦ ବୋଲି କୁହାଯାଉଛି।

ଶାହ ପଶ୍ଚିମବଙ୍ଗବାସୀଙ୍କ ଉଦ୍ଦେଶ୍ୟରେ କହିଥିଲେ, ଆପଣମାନେ କମ୍ୟୁନିଷ୍ଟ ଏବଂ ତୃଣମୂଳ କଂଗ୍ରେସ ସରକାରକୁ ଅନୁଭବ କଲେ। ବିଜେପିକୁ ଥରେ ସୁଯୋଗ ଦିଅନ୍ତୁ। ଆମର ୫ବର୍ଷର ସରକାର ପରେ ପଶ୍ଚିମବଙ୍ଗରେ ଭ୍ରଷ୍ଟାଚାର, ଅନୁପ୍ରବେଶ, ପରିବାରବାଦ, ବେରୋଜଗାର, ଆତଙ୍କବାଦ ଏବଂ ହିଂସା ସମାପ୍ତ ହୋଇଯିବ। ଶାହ ଆହୁରି କହିଥିଲେ, ୧୩ଶ ଅର୍ଥ ଆୟୋଗରେ ମନମୋହନ ସରକାର ପଶ୍ଚିମବଙ୍ଗକୁ ୧ ଲକ୍ଷ ୩୨ ହଜାର ୭୮୩ କୋଟି ଟଙ୍କା ଦେଇଥିଲେ। ମୋଦୀ ସରକାର ୨୦୧୪ରୁ ୨୦୧୯ ମଧ୍ୟରେ ୫ ବର୍ଷରେ ରାଜ୍ୟର ବିକାଶ ଲାଗି ୪ ଲକ୍ଷ ୪୮ ହଜାର ୨୧୪ କୋଟି ଟଙ୍କା ଦେଇଛନ୍ତି। ମୁଁ ପଚାରୁଛି ଏସବୁ ଅର୍ଥ କୁଆଡ଼େ ଗଲା ? ଯଦି ରାଜ୍ୟର ବିକାଶ ହେଉ ବୋଲି ଆମେ ଚାହିଁବା, ତେବେ ବିଜେପିକୁ କ୍ଷମତାକୁ ଆଣିବା ଜରୁରୀ।

ଶାହ କହିଥିଲେ, ମମତା ଦିଦି ଶ୍ରମିକ ସ୍ପେଶାଲ ଟ୍ରେନକୁ ‘କରୋନା ଏକ୍ସପ୍ରେସ’ ନାମ ଦେଲେ। ଏହା ଆପଣକୁ କ୍ଷମତାଚ୍ୟୁଚ କରିବାର ରାସ୍ତା ବନିଯିବ। ଆପଣ ପ୍ରବାସୀ ଶ୍ରମିକମାନଙ୍କ କ୍ଷତରେ ଲୁଣ ପକାଇଛନ୍ତି। ସେମାନେ ଏହାକୁ କେବେ ଭୁଲିବେନି। ଉପା ସରକାର ୧୦ ବର୍ଷରେ ଥରେ ୩ କୋଟି ୫୦ ଲକ୍ଷ କୃଷକଙ୍କ ୬୦ ହଜାର କୋଟି ଟଙ୍କାର ଋଣ ଛାଡ଼ କଲା। କିନ୍ତୁ ମୋଦୀ ସରକାର ୯କୋଟି ୫୦ ଲକ୍ଷ ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟରେ ୭୨ ହଜାର କୋଟି ଟଙ୍କା ପଠାଇଛନ୍ତି। ବର୍ଷକୁ ପ୍ରତି କୃଷକଙ୍କୁ ୬ ହଜାର ଟଙ୍କା ସହାୟତା ଦିଆଯାଉଛି। ଏଭଳି ପ୍ରସଙ୍ଗକୁ ନେଇ ମମତା ଦିଦି ରାଜନୀତି କରିବା ଉଚିତ ନୁହେଁ ବୋଲି ଶାହ କହିଛନ୍ତି।

ପଶ୍ଚିମବଙ୍ଗ ସରକାର ଏଠାକାର ଗରିବମାନଙ୍କ ଅଧିକାରକୁ ଅଟକାଇ ବସିଛନ୍ତି। ଆମେ କୃଷକମାନଙ୍କୁ ଟଙ୍କା ପଠାଇବାକୁ ଚାହୁଁଛୁ, କିନ୍ତୁ ରାଜ୍ୟ ସରକାର ସେମାନଙ୍କ ତାଲିକା ଦେଉନାହାନ୍ତି। ଯେତେବେଳେ ନାଗରିକତା ସଂଶୋଧନ ଆଇନ(ସିଏଏ) ଆସିଲା, ସେତେବେଳେ ମମତା ଦିଦିଙ୍କ ଚେହେରା ରାଗରେ ଲାଲ ପଡ଼ିଗଲା। ମୁଁ କେବେ ଏପରି ରାଗ ଦେଖି ନ ଥିଲି। ମମତା ଦିଦି ଆପଣ ସିଏଏର ବିରୋଧ କରୁଛନ୍ତି। ଏହା ଆପଣଙ୍କ ପାଇଁ ବହୁତ ମହଙ୍ଗା ପଡ଼ିବ ବୋଲି ଶାହ ଚେତାବନୀ ଦେଇଛନ୍ତି।

Comments are closed.