ଯବାନ ଦେଶର ସୁରକ୍ଷା କରନ୍ତୁ ତାଙ୍କ ପରିବାରର ସୁରକ୍ଷା ଦାୟିତ୍ବ ଆମର: ଅମିତ ଶାହା

ନୂଆଦିଲ୍ଲୀ : ଯବାନମାନେ ଦେଶର ସୁରକ୍ଷା ପାଇଁ ସୀମାରେ ସବୁ ପରିସ୍ଥିତିରେ କାର୍ଯ୍ୟ କରୁଛନ୍ତି। ଖରା,ବର୍ଷା ଓ ଶୀତକୁ ଖାତିର ନକରି ଯବାନ ମାନେ ଦେଶର ସୁରକ୍ଷାରେ ନିଜକୁ ନିୟୋଜିତ କରି ରଖିଛନ୍ତି। ଯବାନମାନେ କିପରି ନିଜ ପରିବାରର ସୁରକ୍ଷା କଥା ଚିନ୍ତା ନକରି ଦେଶର ସୁରକ୍ଷା କଥା ଚିନ୍ତା କରିବେ ସେଥିପାଇଁ ସରକାର ବ୍ୟବସ୍ଥା କରୁଛନ୍ତି। ଏଣିକି ଯବାନ ମାନେ ଦେଶର ସୁରକ୍ଷା କଥା ଚିନ୍ତା କରିବେ ଏବଂ ସରକାର ସେମାନଙ୍କ ପରିବାରର ସୁରକ୍ଷା ଚିନ୍ତା କରିବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି। ରବିବାର ଦିଲ୍ଲୀରେ କେନ୍ଦ୍ରୀୟ ରିଜର୍ଭପୁଲିସ ବାହିନୀ ମୁଖ୍ୟାଳୟର ଶିଳାନ୍ୟାସ କରିବା ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯବାନଙ୍କ ପରିବାରର ସୁରକ୍ଷା ପାଇଁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ଯବାନମାନେ କିପରି ପରିବାରର ସୁରକ୍ଷା ନେଇ ଚିନ୍ତାଗ୍ରସ୍ଥ  ନରୁହନ୍ତି ସେଥିପ୍ରତି ସରକାର ବ୍ୟବସ୍ଥା କରୁଛନ୍ତି। ଯବାନମାନଙ୍କ ପରିବାରର ସୁରକ୍ଷା ସହ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ମଧ୍ୟ ନିୟମିତ ଯାଞ୍ଚ କରାଯିବାର ବ୍ୟବସ୍ଥା  ସରକାର କରୁଛନ୍ତି ।

ଏଥି ସହିତ ଯବାନମାନଙ୍କୁ ନିଜ ପରିବାର ସହ ସମୟ ଅତିବାହିତ କରିବାପାଇଁ ବର୍ଷକୁ ୧୦୦ ଦିନର ଛୁଟି ମିଳିବ। ଯାହା ଦ୍ବାରା ସେମାନେ ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିପାରବେ। ପ୍ରାୟ ୧୦ ଲକ୍ଷ ଯବାନ ବର୍ଷକୁ ଅତି କମରେ ନିଜ ପରିବାର ସହିତ ଯେପରି ୧୦୦ ଦିନ ସମୟ ଅତିବାହିତ କରିପାରବେ ସେ ନେଇ ଯୋଜନା ପ୍ରସ୍ତୁତ ପାଇଁ ଏକ କମିଟି ଗଠନ କରାଯାଇଛି। ଖବୁ ଶୀଘ୍ର ଏହାକୁ ଲାଗୁ କରାଯିବ। ଏଥିପାଇଁ ବିଭିନ୍ନ ସେନା ବାହିନୀର ସେବା ନିୟମରେ ଗୁରୁତ୍ୱପୁର୍ଣ୍ଣ ପରିବର୍ତ୍ତନ କରାଯାଉଛି। ସେହିପରି ବିଭିନ୍ନ ଅର୍ଦ୍ଧ ସାମରିକ ବାହିନୀର ବଦଳୀ ନୀତିରେ ମଧ୍ୟ ପରିବର୍ତ୍ତନ ଆଣିବାର ବ୍ୟବସ୍ଥା କରାଯାଉଥିବା କହିଛନ୍ତି ଶାହା।

ଏହି ଅବସରରେ ଶାହା ଭାରତୀୟ ଯବାନଙ୍କ ବୀରତ୍ବ ଏବଂ ପରାକାଷ୍ଠାକୁ ଭୂଷୀୟ ପ୍ରଶଂସା କରିଛନ୍ତି। ଶାହା କହିଛନ୍ତି ଭାରତୀୟ ଯବାନ ସେମାନଙ୍କର ନିଷ୍ଠାପର ଦେଶ ସେବା ପାଇଁ ସାରାବିଶ୍ବର ସବୁଠୁ ବଡ ସଶସ୍ତ୍ର ବଳର ଆଖ୍ୟା ପାଇଛି। କେବଳ ସେତିକି ନୁହେଁ ବିଶ୍ବର ସାହାସୀ ସଶସ୍ତ୍ର ସେନାର ଆଖ୍ୟା ମଧ୍ୟ ଭାରତୀୟ ସେନାକୁ ମିଳିଛି। ଇତିହାସ ଫର୍ଦରେ ମଧ୍ୟ ଭାରତୀୟ ସେନାର ବୀର ଗାଥା ଲେଖାଯାଇଛି। ଯାହା ଭାରତୀୟ ଯବାନଙ୍କ  ବୀରତ୍ବ ଏବଂ ପରାକାଷ୍ଠାକୁ ଦର୍ଶାଉଥିବା ଅମିତ ଶାହା କହିଛନ୍ତି।

 

Comments are closed.