ପ୍ରଭାବୀ ଢଙ୍ଗରେ ସାଇବର ଅପରାଧର ମୁକାବିଲା : ଉଦଘାଟିତ ହେଲା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର

ରାଷ୍ଟ୍ରୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ

 

-ପ୍ରଭାବୀ ଢଙ୍ଗରେ ସାଇବର ଅପରାଧର ମୁକାବିଲା କରିବାରେ ମିଳିବ ସହାୟତା
-ପୋର୍ଟାଲ ସହ ୭୦୦ ପୁଲିସ ଜିଲ୍ଲା ଏବଂ ୩୯୦୦ରୁ ଅଧିକ ଥାନା ସଂଯୁକ୍ତ

ନୂଆଦିଲ୍ଲୀ : କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ  ଅମିତ ଶାହା ଶୁକ୍ରବାର ନୂଆଦିଲ୍ଲୀ ଠାରେ ଅତ୍ୟାଧୁନିକ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ରର ଉଦଘାଟନ କରିଛନ୍ତି। ଏଥିସହିତ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲକୁ ମଧ୍ୟ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି।
ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (ଆଇଫୋରସି) ପ୍ରତିଷ୍ଠା କରାଯିବାର ଯୋଜନା ୨୦୧୮ରେ କରାଯାଇଥିଲା। ଏଥିପାଇଁ ଆନୁମାନିକ ୪୧୫.୮୬ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା। ବ୍ୟାପକ ଏବଂ ସମନ୍ୱିତ ଢଙ୍ଗରେ ସମସ୍ତ ପ୍ରକାରର ସାଇବର ଅପରାଧର ମୁକାବିଲା ଲାଗି ଏହି ଯୋଜନା ଉଦ୍ଦିଷ୍ଟ। ଯୋଜନାର ୭ଟି ଉପାଦାନ ରହିଛି।

ସେଗୁଡ଼ିକ ହେଉଛି- ନ୍ୟାସନାଲ ସାଇବର କ୍ରାଇମ ଥ୍ରେଟ ଆନାଲିଟିକ୍ସ ୟୁନିଟ, ନ୍ୟାସନାଲ ସାଇବର କ୍ରାଇବ ରିପୋର୍ଟିଂ ପୋର୍ଟାଲ, ନ୍ୟାସନାଲ ସାଇବର କ୍ରାଇମ ଟ୍ରେନିଙ୍ଗ କେନ୍ଦ୍ର, ସାଇବର କ୍ରାଇମ ଇକୋସିଷ୍ଟମ ମ୍ୟାନେଜମେଣ୍ଟ ୟୁନିଟ, ନ୍ୟାସନାଲ ସାଇବର କ୍ରାଇମ ରିସର୍ଚ୍ଚ ଆଣ୍ଡ ଇନୋଭେସନ କେନ୍ଦ୍ର , ନ୍ୟାସନାଲ ସାଇବର କ୍ରାଇମ ଫୋରେନସିକ ଲାବ୍ରୋଟୋରୀ ଇକୋ
ସିଷ୍ଟମ ଓ ପ୍ଲାଟଫର୍ମ ଫର ଝଏଣ୍ଟ ସାଇବର କ୍ରାଇମ ଇନଭେଷ୍ଟିଗେସନ ଟିମ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ପ୍ରୟାସ ପରେ ୧୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସେମାନଙ୍କ କ୍ଷେତ୍ରରେ ଆଞ୍ଚଳିକ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ପ୍ରତିଷ୍ଠା କରିବା ଲାଗି ସହମତି ବ୍ୟକ୍ତ କରିଥିଲେ।
ଜାତୀୟ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ (www.cybercrime.gov.in)ହେଉଛି ଏକ ନାଗରିକ କୈନ୍ଦ୍ରିକ ପୋର୍ଟାଲ ଯାହା ମାଧ୍ୟମରେ ନାଗରିକମାନେ ସାଇବର ଅପରାଧ ସମ୍ପର୍କରେ ଅନଲାଇନ ଅଭିଯୋଗ ଦେଇପାରିବେ । ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ନିଜସ୍ୱ ଆଇନ ପ୍ରବର୍ତନକାରୀ ସଂସ୍ଥାଗୁଡ଼ିକ ସମସ୍ତ ସାଇବର ଅପରାଧ ସହ ଜଡ଼ିତ ଅଭିଯୋଗ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଏହାକୁ ଆକ୍ସେସ କରିପାରିବେ । ଏହି ପୋର୍ଟାଲ ୩୦ ଅଗଷ୍ଟ, ୨୦୧୯ରେ ପାଇଲଟ ଆଧାରରେ ଆରମ୍ଭ କରାଯାଇଥିଲା। ଏହା ମହିଳା, ଶିଶୁ, ବିଶେଷ କରି ଶିଶୁ ପର୍ଣ୍ଣୋଗ୍ରାଫି, ଶିଶୁ ଯୌନ ଶୋଷଣ ଉପାଦାନ, ଦୁଷ୍କର୍ମ/ଗଣଦୁଷ୍କର୍ମ ସହ ଜଡ଼ିତ ଅନଲାଇନ ଉପାଦାନ ଆଦି ଅପରାଧ ପ୍ରତି ଦୃଷ୍ଟି ଦେବା ସହିତ ସମସ୍ତ ସାଇବର ଅପରାଧ ମାମଲା ରୁଜୁ କରିବାରେ ସହାୟକ ହୋଇଥାଏ।
ବର୍ତମାନ ସୁଦ୍ଧା ୭୦୦ ପୁଲିସ ଜିଲ୍ଲା ଏବଂ ୩୯୦୦ରୁ ଅଧିକ ପୁଲିସ ଷ୍ଟେସନ ଏହି ପୋର୍ଟାଲରେ ଯୋଡ଼ି ହୋଇସାରିଲେଣି। ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବା ପରେ ଏହି ପୋର୍ଟାଲ ମାମଲାଗୁଡ଼ିକର ଯାଞ୍ଚ କରିବା ଲାଗି ଆଇନ ପ୍ରବର୍ତନକାରୀ ସଂସ୍ଥା ଗୁଡ଼ିକର କ୍ଷମତାରେ ସୁଧାର ଆଣିବା ସହିତ ମାମଲାରେ ଦଣ୍ଡବିଧାନ ହାର ମଧ୍ୟ ବୃଦ୍ଧି କରିପାରିବ । ଏହି ପୋର୍ଟାଲ ଆର୍ଥିକ ଅପରାଧ ଏବଂ ସୋସିଆଲ ମିଡିଆ ସହ ଜଡ଼ିତ ଅପରାଧ ଯେପରିକି ଷ୍ଟାକିଂ, ସାଇବର ବୁଲିଇଂ ଆଦି ଅପରାଧ ଉପରେ ମଧ୍ୟ ଦୃଷ୍ଟି ଦେଇଥାଏ। ଏହି ପୋର୍ଟାଲ ଏକ ସମନ୍ୱିତ ଢଙ୍ଗରେ ସାଇବର ଅପରାଧର ମୁକାବିଲା କରିବା ଲାଗି ବିଭିନ୍ନ ରାଜ୍ୟ, ଜିଲ୍ଲା ଏବଂ ପୁଲିସ ଷ୍ଟେସନର ଆଇନ ପ୍ରବର୍ତନକାରୀ ସଂସ୍ଥା ମଧ୍ୟରେ ସମନ୍ୱୟରେ ସୁଧାର ଆଣିପାରିବ। ଗୃହ ମନ୍ତ୍ରଣାଳୟ ଏକ
ବ୍ୟାପକ ଏବଂ ସମନ୍ୱିତ ଢଙ୍ଗରେ ସାଇବର ଅପରାଧର ମୁକାବିଲା କରିବା ନିମନ୍ତେ ଏକ ଇକୋସିଷ୍ଟମ ପ୍ରସ୍ତୁତ କରିବା ପାଇଁ ସଂକଳ୍ପବଦ୍ଧ। ଭବିଷ୍ୟତରେ ଏହି ପୋର୍ଟାଲ ସାଇବର କ୍ରାଇମ ନିରାକରଣ ଓ ପୋର୍ଟାଲରେ ସମସ୍ତ ଘଟଣା ସମ୍ପର୍କରେ
ସୂଚନା ଦେବା ଦିଗରେ ଜନ ପରିଚାଳିତ ଇଂଟରଆକ୍ଟିଭ ସହାୟତା ପ୍ରଣାଳୀ ହୋଇପାରିବ।

 

Comments are closed.