କେନ୍ଦୁଝରରେ ଗର୍ଜିଲେ ଅମିତ ଶାହ; କହିଲେ ନବୀନଙ୍କୁ ଓପାଡ଼ି ଫିଙ୍ଗି ଦିଅ, ୫ବର୍ଷରେ ଓଡ଼ିଶା ୧ ନମ୍ବର ହେବ

କେନ୍ଦୁଝର: ନବୀନ ସରକାର ଓଡ଼ିଶାରେ ୧୯ ବର୍ଷ ଶାସନ କଲାଣି। କିନ୍ତୁ ରାଜ୍ୟର କିଛି ଉନ୍ନତି ହୋଇନାହିଁ। ରାଜ୍ୟବାସୀଙ୍କୁ ପିଇବାକୁ ଟୋପେ ବିଶୁଦ୍ଧ ପାଣି ମିଳନୁାହିଁ। ଥରେ ବିଜେପି ସରକାର ଆଣ। ୫ ବର୍ଷରେ ଓଡ଼ିଶାକୁ ୧ ନମ୍ବର ରାଜ୍ୟ କରିଦେବୁ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି। ଶୁକ୍ରବାର ଅମିତ ଶାହ ଓଡ଼ିଶା ଗସ୍ତରେ ଆସି କେନ୍ଦୁଝର ମେଡିକାଲ କଲେଜ ପଡ଼ିଆରେ ଆୟୋଜିତ ବିଜେପିର ଏକ ନିର୍ବଚାନୀ ପ୍ରଚାର ସଭାରେ ଯୋଗଦେଇଥିଲେ। ଏହି ଅବସରରେ ଶାହ ନବୀନ ସରକାର ଉପରେ ପ୍ରବଳ ବର୍ଷିବା ସହିତ ଏହି ସରକାରକୁ ଓପାଡ଼ି ଫିଙ୍ଗି ଦେବାକୁ ଦଳୀୟ କର୍ମୀ ଏବଂ ଜନସାଧାରଣଙ୍କୁ ଆହ୍ବାନ କରିଥିଲେ।

କର୍ମୀମାନଙ୍କୁ ଉଦବୋଧନ ଦେବା ଅବସରରେ ଶାହ କେନ୍ଦୁଝରର ପଦ୍ମଶ୍ରୀ ଦୈତାରୀ ନାୟକଙ୍କୁ ସ୍ମରଣ କରିଥିଲେ। ଏଥିସହ ପୁଲୱାମାରେ ଶହୀଦ ହୋଇଥିବା ୨ ଓଡ଼ିଆ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶାହ କହିଥିଲେ, ଯୁଆଡ଼େ ଯାଉଛି ମୋଦୀ ମୋଦୀ ଶୁଭୁଛି। ଗତ ୫ବର୍ଷ ମଧ୍ୟରେ ମୋଦୀ ସରକାର ଗରିବୀ ହଟାଇବାକୁ ଅନେକ କାମ କରିଛନ୍ତି। ନିର୍ବାଚନରେ ମୋଦୀଙ୍କୁ ଜିତାଇ ନବୀନଙ୍କୁ ବିଦା କରିବା ଦରକାର। ୧୯ ବର୍ଷ ପରେ ବି ନବୀନ ଓଡ଼ିଆରେ କଥା ହୋଇପାରୁ ନାହାନ୍ତି। ଓଡ଼ିଶାବାସୀଙ୍କୁ ଏମିତି ମୁଖ୍ୟମନ୍ତ୍ରୀ ଦରକାର ଯିଏ ଆପଣଙ୍କ ଭାଷାରେ କଥା ହୋଇପାରିବ।

ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଶାହ କହିଥିଲେ, ଡିଏମ୍‌ଏଫରେ କେନ୍ଦୁଝର ଜିଲାକୁ ୧୬ ଶହ କୋଟି ଟଙ୍କା ମଞ୍ଜୁର କରାଯାଇଛି। କେନ୍ଦୁଝର ମେଡିକାଲ କଲେଜ ଡିଏମ୍‌ଏଫ ପାଣ୍ଠିରେ ତିଆରି ହେଉଛି। ମୋଦୀ ମେଡିକାଲ ପାଇଁ ପାଣ୍ଠି ଦେଲେ, ନବୀନ ଚାରେଣୀଟି ବି ଦେଇନାହାନ୍ତି। ବନଜାତ ଦ୍ରବ୍ୟର ସହାୟକ ମୂଲ୍ୟ ମୋଦୀ ସରକାର କରିଛନ୍ତି। ୧୯ ବର୍ଷ ହେଲା ନବୀନ ଏଠି ଅଛନ୍ତି, ପାଣି ଟୋପେ ମିଳୁନାହିଁ। ଡାକ୍ତରଖାନାରେ ଡାକ୍ତର ବି ନାହାନ୍ତି। ହଜାର ହଜାର ଓଡ଼ିଆ ଯୁବକ କାମ ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି। ଥରେ ନବୀନଙ୍କୁ ଓପାଡ଼ି ଫିଙ୍ଗ, ତା’ପରେ କାମ ପାଇଁ ଆପଣମାନଙ୍କୁ ବାହାରକୁ ଯିବାକୁ ପଡ଼ିବନି। ନବୀନ ବାବୁ ଖଣିଜ ଘୋଟାଲା ଛଡ଼ା ଆଉ କିଛି କରିନାହାନ୍ତି। ନବୀନଙ୍କ ପାଖରେ ଥିବା ବାବୁମାନେ ଭ୍ରଷ୍ଟାଚାର କରୁଛନ୍ତି, କିନ୍ତୁ ସେ ନିର୍ବିକାର। ପୁଲୱାମା ଆକ୍ରମଣର ୧୩ ଦିନରେ ଭାରତ ପାକିସ୍ତାନରେ ପଶି ଆକ୍ରମଣ କଲା। କିନ୍ତୁ ସାମ୍‌‌ ପିଟ୍ରୋଡା କହୁଛନ୍ତି ପାକିସ୍ତାନ ସହ ଆଲୋଚନା କରିବା ଦରକାର। ସେହପରି ଚିଟ୍‌ଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ବିଜେପି ସରକାର ଆଣିଲେ ଅଭିଯୁକ୍ତମାନଙ୍କୁ ଜେଲ ପଠାଇବୁ। ବିଜେପି ସରକାର ଆସିଲେ କେନ୍ଦୁଝରରେ ଆଉ ଏକ ମେଡିକାଲ ପ୍ରତିଷ୍ଠା କରାଯିବ। କେନ୍ଦୁପତ୍ର ଉପରୁ ଜିଏସଟି ସମ୍ପୂର୍ଣ୍ଣ ଛାଡ଼ କରାଯିବ। ଆଦିବାସୀମାନଙ୍କ ପାଇଁ ୧୧୨ ଆମ୍ବୁଲାନ୍ସ ସେବା ଆରମ୍ଭ ହେବ ବୋଲି ଶାହ କହିଥିଲେ।

କଂଗ୍ରେସ ଉପରେ ଟାର୍ଗେଟ କରି ଶାହ କହିଥିଲେ, ଓମାର ଅବଦୁଲ୍ଲା ଦେଶରେ ୨ଟି ପ୍ରଧାନମନ୍ତ୍ରୀ ଦରକାର ବୋଲି କହୁଛନ୍ତି। ଓମାରଙ୍କ କଥା ଶୁଣି ଭୋଟ ବ୍ୟାଙ୍କ ପାଇଁ ରାହୁଲ ଚୁପ୍‌ ବସିଛନ୍ତି। କାଶ୍ମୀର ଭାରତ ଅବଚ୍ଛେଦ୍ୟ ଅଙ୍ଗ। ବିଜେପି ଥିବା ଯାଏ କାଶ୍ମୀରକୁ କେହି ଛଡ଼ାଇ ନେଇପାରିବେ ନାହି ବୋଲି ଶାହ କହିଥିଲେ।

Comments are closed.