ଦିଲ୍ଲୀରେ ବଢୁଥିବା କରୋନା ସ୍ଥିତିକୁ ନେଇ ଜରୁରୀ ବୈଠକ ଡକାଇଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବଢିଚାଲିଛି କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା। ଦେଶର ଅନ୍ୟ ରାଜ୍ୟମାନଙ୍କରେ କରୋନା ପରିସ୍ଥିତିରେ ଧିରେ ଧିରେ ସୁଧାର ଆସୁଥିଲେ ମଧ୍ୟ ଦିଲ୍ଲିୀରେ ସ୍ଥିତିରେ କୌଣସି ସୁଧାର ଆସୁନାହିଁ। ରାଜଧାନୀ ଦିଲ୍ଲୀର କରୋନା ସ୍ଥିତିକୁ ନେଇ ଆଜି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଜରୁରାକାଳୀନ ବୈଠକ ଡକାଇଛନ୍ତି। ସନ୍ଧ୍ୟା ୫ଟାରେ ଗୃହମନ୍ତ୍ରୀଙ୍କ ଉତ୍ତର ବ୍ଲକସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ୍‌, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଯୋଗ ଦେବେ ବୋଲି ଜଣାପଡିଛି।


ଦିଲ୍ଲୀରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି

ଦିଲ୍ଲୀରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୭୩୪୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୬ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ ଦିଲ୍ଲୀର କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ବର୍ତ୍ତମାନ ୭ ହଜାର ୫୧୯ରେ ପହଞ୍ଚିଛି। ଏଥି ସହିତ ଗତ ବୁଧବାର ଦିଲ୍ଲୀରେ ଗୋଟିଏ ଦିନରେ ୮ ହଜାର ୫୯୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ଯାହାକି ସର୍ବାଧିକ ଦିନକିଆ ସଂକ୍ରମଣ ଥିଲା । ସେ ଦିନ ମଧ୍ୟ ୮୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା ।  ତେବେ ନଭେମ୍ୱର ୧୨ ତାରିଖରେ ମୃତ୍ୟୁ ସଂଖ୍ୟା ଥିଲା ୧୦୪ । ଯାହା ପାଞ୍ଚ ମାସ ମଧ୍ୟରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ଥିଲା।

ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ମୋଟ୍ ୪ ଲକ୍ଷ ୮୪ ହଜାର ୧୭୦ କୁ ବୃଦ୍ଧି ପାଇଛି। ଦିଲ୍ଲୀରେ ସକ୍ରିୟ ମାମଲା ସଂଖ୍ୟା ହେଉଛି ୪୪ ହଜାର ୪୫୬। ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ୭ ହଜାର ୧୧୭ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ମୋଟ ୪ ଲକ୍ଷ ୩୦ ହଜାର ୧୯୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comments are closed.