ରାହୁଲଙ୍କୁ ଶାହାଙ୍କ ଆହ୍ବାନ : ହୀନ ରାଜନୀତି କର ନାହିଁ, ଚୀନ ପ୍ରସଙ୍ଗରେ ବିତର୍କ ଲାଗି ପ୍ରସ୍ତୁତ

୧୯୬୨ରୁ ଆଜି ଯାଏ ହୋଇଥିବା ସବୁ ପ୍ରସଙ୍ଗରେ ଆଲୋଚନା ହେଉ

ନୂଆଦିଲ୍ଲୀ : ସୀମାରେ ଭାରତ-ଚୀନ ମଧ୍ୟରେ ତିକ୍ତତା ଜାରି ରହିଛି । ଏହାରି ମଧ୍ୟରେ ଏହି ପ୍ରସଙ୍ଗରେ ଦେଶ ମଧ୍ୟରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ତୀବ୍ର ବାକ ଯୁଦ୍ଧ ମଧ୍ୟ ଚାଲିଛି। ପୂର୍ବ ଲଦାଖର ଗଲୱାନ ଭ୍ୟାଲିରେ ଚୀନ ସହିତ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହେବାପରେ ରାଜନୀତି ଜୋର ଧରିବାରେ ଲାଗିଛି। ସୀମା ବିବାଦକୁ ନେଇ ବିରୋଧୀ ଦଳ କଂଗ୍ରେସ ବାରମ୍ବାର ମୋଦୀ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ତଥା ନେତା ରାହୁଲ ଗାନ୍ଧୀ ମଧ୍ୟ କ୍ରମାଗତ ମୋଦୀ ସରକାର ଉପରେ ପ୍ରଶ୍ନ ଉଠାଉଛନ୍ତି।


ଏହାରି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ନ୍ୟୁଜ୍ ଏଜେନ୍ସି(ଏଏନଆଇ) ସମ୍ପାଦିକା ସ୍ମିତା ପ୍ରକାଶଙ୍କ ସହ ଭାରତ-ଚୀନ୍ ସୀମା ବିବାଦରେ ଆଲୋଚନା ସମୟ​‌ରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଭାରତ-ଚୀନ ପ୍ରସଙ୍ଗରେ ରାହୁଲ ଗାନ୍ଧୀ ହୀନ ରାଜନୀତି କରୁଛନ୍ତି। ବିଜେପି ସର୍ବଦା ଦେଶର ସୁରକ୍ଷା ଏବଂ ପ୍ରତିରକ୍ଷା ନେଇ ସଜାଗ ରହିଛି। ଯଦି ରାହୁଲ ଗାନ୍ଧୀ ଜାଣିବାକୁ ଚାହୁଛନ୍ତି ଯେ ମୋଦୀ ସରକାର ଦେଶର ସୁରକ୍ଷା ପାଇଁ କଣ ପଦକ୍ଷେପ ନେଇଛନ୍ତି। ତେବେ ସେ ବିତର୍କକୁ ଆସନ୍ତୁ । ମୋଦୀ ସରକାର ସଂସଦରେ ଏହି ପ୍ରସଙ୍ଗରେ ବିତର୍କ କରିବାକୁ ସର୍ବଦା ପ୍ରସ୍ତୁତ । ବିତର୍କରେ ୧୯୬୨ ମସିହାରୁ ଆଜି ଯାଏଁ କଣ ଘଟିଛି ସେ ସବୁ ବିଷୟରେ ଆଲୋଚନା କରାଯିବ । ଆଲୋଚନାକୁ କେହି ଭୟ କରନ୍ତି ନାହିଁ।


ଅମିତ ଶାହା ଆହୁରି ମଧ୍ୟ କହିଛନ୍ତି ଯେତେବେଳେ ସୀମାରେ ଯବାନ ଯୁଦ୍ଧ କରୁଛନ୍ତି, ସରକାର ଠୋସ୍ ପଦକ୍ଷେପ ନେଉଛନ୍ତି, ସେହି ସମୟରେ ଦେଶର ଏକ ପୁରୁଣା ଦଳର ପୂର୍ବତନ ଅଧ୍ୟକ୍ଷ ହୋଇ ଚୀନ ଓ ପାକିସ୍ତାନକୁ ଖୁସି କରିବା ଭଳି ବିବୃତ୍ତି ଦେଉଛନ୍ତି ରାହୁଲ ଗାନ୍ଧୀ । ବିଜେପି ଭାରତ ବିରୋଧୀ ପ୍ରଚାରକୁ ପରିଚାଳନା କରିବାରେ ସମ୍ପୂର୍ଣ୍ଣ ସକ୍ଷମ ଅଟୁ କିନ୍ତୁ ଯେତେବେଳେ ଦେଶର ପୁରୁଣା ଦଳର ପୂର୍ବତନ ଅଧ୍ୟକ୍ଷ ଏପରି ସ୍ଥଳେ ଛୋଟ ରାଜନୀତି କରନ୍ତି ସେତେବେଳେ ଏହା କଷ୍ଟଦାୟକ ହୋଇଥାଏ।

ଏଏନଆଇ ସହ ଆଲୋଚନା ସମୟରେ ଶାହା ଆହୁରି ମଧ୍ୟ କହିଛନ୍ତି ଯେ ଗତ  ସପ୍ତାହରେ କଂଗ୍ରେସ ହ୍ୟାସଟ୍ୟାଗ ‘ଆତ୍ମସମର୍ପଣ ମୋଦୀ’ ଭାଇରାଲ ହୋଇଥିଲା ଏବଂ ଏହା ଚୀନ୍ ଏବଂ ପାକିସ୍ଥାନରେ ବ୍ୟାପକ ବ୍ୟବହୃତ ହେଉଥିଲା। ଏହା ବିଜେପି ପାଇଁ ନୁହେଁ ବରଂ କଂଗ୍ରେସ ପାଇଁ ଚିନ୍ତାର ବିଷୟ ହେବା ଉଚିତ । କାରଣ ସଙ୍କଟ ସମୟରେ କଂଗ୍ରେସ ନେତାଙ୍କ ହ୍ୟାସଟ୍ୟାଗ ଚୀନ୍ ଏବଂ ପାକିସ୍ଥାନରେ ବୃଦ୍ଧି ପାଇବାରେ ଲାଗିଛି। ଯାହା ଦ୍ବାରା ଜଣାପଡୁଛି କଂଗ୍ରେସ ଯାହା କରୁଛି ତାହା ପାକିସ୍ତାନ ଏବଂ ଚୀନ୍  ପସନ୍ଦ କରନ୍ତି।

Comments are closed.