୧୧ଟି ବନ୍ୟା ପ୍ରପୀଡ଼ିତ ରାଜ୍ୟକୁ ଯିବେ ଆନ୍ତଃ ଜିଲା ମନ୍ତ୍ରୀସ୍ତରୀୟ କମିଟି

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶା ସମେତ କର୍ଣ୍ଣାଟକ ଏବଂ ହିମାଚଳ ପ୍ରଦେଶକୁ ୪ହଜାର ୪ଶହ କୋଟି ଟଙ୍କାର ସହାୟତା ପ୍ରସ୍ତାବ ମଞ୍ଜୁରୀ ଲାଭ କରିଛି। ଏହି ସହାୟତା ରାଶି ତିନୋଟି ଯାକ ରାଜ୍ୟରେ ଘଟିଥିବା ବାତ୍ୟା, ବନ୍ୟା, ଭୁସ୍କଳନ ଏବଂ ଅନ୍ୟାନ୍ୟ ଦୁର୍ବୀପାକଜନୀତ କ୍ଷତିର ଭରଣା ପାଇଁ ଖର୍ଚ୍ଚ କରାଯିବ। ଏହି ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ଶୀତାରମଣ, କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଉପସ୍ଥିତ ଥିଲେ।
ବୈଠକରେ ଦେଶର ବିଭିନ୍ନ ଅଞ୍ଚଳରେ ଲାଗି ରହିଥିବା ବନ୍ୟା ପରିସ୍ଥିତିରେ ସମୀକ୍ଷା କରାଯାଇଥିଲା। ବନ୍ୟା ପ୍ରଭାବିତ ସମସ୍ଥ ରାଜ୍ୟକୁ ଆବଶ୍ୟକ ମୁତାବକ ସହଯୋଗ ଏବଂ ସହାୟତା ପାଇଁ କେନ୍ଦ୍ର ସରକାର ପଦକ୍ଷପ ନେଉଥିବା କୁହାଯାଇଛି। ପ୍ରାକୃତିକ ଦୁର୍ବିପାକ ପ୍ରପୀଡିତ ଅଞ୍ଚଳ ଗୁଡ଼ିକରେ କ୍ଷୟକ୍ଷତି ଆକଳନ ଏବଂ ପୁର୍ନଗଠନ ଆବଶ୍ୟକତାକୁ ଯାଞ୍ଚ କରିବା ଲାଗି ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳ ପଠାଇବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି। ଏଣିକି ପ୍ରାକୃତିକ ଦୁର୍ବିପାକ ପରେ ପରେ ତୁରନ୍ତ ଏହି ଦଳ ଗଠନ କରାଯାଇ ଯୁଦ୍ଧ କାଳୀନ ଭିତ୍ତିରେ ଆକଳନ କରାଯିବ। ଚଳିତ ବନ୍ୟାରେ କ୍ଷତିଗ୍ରସ୍ଥ ହୋଇଥିବା ଆସାମ, ମେଘାଳୟ, ତ୍ରିପୁରା, ବିହାର, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଗୁଜୁରାଟ, ରାଜସ୍ତାନ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ କେରଳକୁ ଖୁବଶୀଘ୍ର ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ପଠାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Comments are closed.