ସିଏଏ ପ୍ରତ୍ୟାହାର ହେବ ନାହିଁ: ଶାହା

ଲକ୍ଷ୍ନୌ: ନାଗରିକତ୍ବ ସଂଶୋଧନ ଆଇନ (ସିଏଏ)କୁ ନେଇ ବିରୋଧୀ ଦଳଗୁଡିକ ଯେତେ ବିରୋଧ କଲେ ମଧ୍ୟ ଏହାକୁ ପ୍ରତ୍ୟାହାର କରାଯିବ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦୃଢୋକ୍ତି ପ୍ରକାଶ କରିଛନ୍ତି। ମଙ୍ଗଳବାର ସିଏଏକୁ ସମର୍ଥନ ଜଣାଇ ଏଠାରେ ଆୟୋଜିତ ଏକ ଶୋଭାଯାତ୍ରାକୁ ସମ୍ବୋଧନ କରି ଶାହା କହିଛନ୍ତି ଯେ ବିରୋଧୀ ଦଳଗୁଡିକ ଏହି ଆଇନ ସମ୍ପର୍କରେ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ହିନ୍ଦୁମାନଙ୍କୁ ଭାରତର ନାଗରିକତ୍ବ ପ୍ରଦାନ କରିବା ଲାଗି ଅତୀତରେ କଂଗ୍ରେସ ନେତାମାନେ ପ୍ରସ୍ତାବ ଦେଇଥିବାବେଳେ ଦଳ ଏହାକୁ କାର୍ଯ୍ୟକାରୀ କରି ନଥିଲା ବୋଲି ଶାହା ଅଭିଯୋଗ କରିଛନ୍ତି। ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଶାହା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ମମତା ଦଳିତ ବେଙ୍ଗଲୀମାନଙ୍କୁ ଭାରତର ନାଗରିକତ୍ବ ପ୍ରଦାନ କରିବାକୁ ବିରୋଧ କରୁଛନ୍ତି। କଂଗ୍ରେସ, ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ସିଏଏ ପ୍ରସଙ୍ଗରେ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଶାହା କହିଛନ୍ତି ଯେ ଭାରତର କୌଣସି ନାଗରିକ ନିଜର ନାଗରିକତ୍ବ ହରାଇବା ଭଳି ବ୍ୟବସ୍ଥା ସିଏଏରେ ନାହିଁ। ସଂଶୋଧିତ ଆଇନରେ ଯଦି ଏପରି କୌଣସି ବ୍ୟବସ୍ଥା ରହିଥାଏ; ତେବେ ତାହା ଜଣାଇବା ଲାଗି ଶାହା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଅଖିଳେଶ ଯାଦବ, ମାୟାବତୀ ଓ ମମତା ବାନାର୍ଜୀଙ୍କୁ ଆହ୍ବାନ ଦେଇଛନ୍ତି।

Comments are closed.