ଜଣେ ସହିଦଙ୍କ ପାଇଁ ୧୦ ଶତ୍ରୁଙ୍କ ମୁଣ୍ଡ ଗଡ଼ିବ: ଅମିତ ଶାହା

ସଙ୍ଗଲି: ଭାରତର ଜଣେ ଯବାନ ସହିଦ ହେଲେ ୧୦ ଜଣ ଶତ୍ରୁଙ୍କ ମୁଣ୍ଡ ଗଡିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ପୁଲୱାମାରେ ୪୦ ସିଆରପିଏଫ ଯବାନ ସହିଦ ହେବା ପରେ ଭାରତୀୟ ବାୟୁସେନାର ବାଲାକୋର୍ଟ ଆକ୍ରମଣ ପ୍ରସଙ୍ଗରେ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଜାତୀୟ ନିରାପତ୍ତା ମଜଭୁତ ହୋଇଛି। ଧାରା ୩୭୦ ଉଚ୍ଛେଦ ଦ୍ବାରା ଜାମ୍ମୁ କାଶ୍ମୀରଠାରୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରି ମୋଦୀ ଏକ ଶ୍ରେଷ୍ଠ କାର୍ଯ୍ୟ କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଶରଦ ପୱାର ପ୍ରମୁଖ ଏହି ପ୍ରସଙ୍ଗକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ ବୋଲି ଶାହା ସଙ୍ଗଲି ଜିଲାର ଜାଟଠାରେ ଏକ ନିର୍ବାଚନୀ ରାଲିରେ କହିଛନ୍ତି। ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ କାଶ୍ମୀରରେ ରକ୍ତର ନଦୀ ବୋହିଥିବା ନେଇ ରାହୁଲ ଓ କଂଗ୍ରେସର ଅଭିଯୋଗକୁ ସେ ସମ୍ପୂର୍ଣ୍ଣ ଅସ୍ବୀକାର କରିଛନ୍ତି। ସେଠାରେ ବୁନ୍ଦେ ମଧ୍ୟ ରକ୍ତ ବୋହି ନ ଥିବା ଶାହା କହିଛନ୍ତି। ପାକିସ୍ତାନର ନକାରାତ୍ମକ ଉଦ୍ୟମ ସତ୍ତ୍ବେ ଧାରା ୩୭୦ ପ୍ରସଙ୍ଗରେ ସମଗ୍ର ବିଶ୍ବ ମୋଦୀଙ୍କୁ ସମର୍ଥନ କରୁଥିବା ସେ ଦର୍ଶାଇଛନ୍ତି। ସେହିଭଳି ମହାରାଷ୍ଟ୍ରରେ କଂଗ୍ରେସ ଏବଂ ଏନସିପିର ପୂର୍ବତନ ସରକାର କିଭଳି ଉନ୍ନତିମୂଳକ କାର୍ଯ୍ୟ କରିଛି ବୋଲି ମଧ୍ୟ ପୱାରଙ୍କୁ ଶାହା ପ୍ରଶ୍ନ କରିଛନ୍ତି।

Comments are closed.