୧୫୦ ଆଇପିଏଲ୍‌ ୱିକେଟ ନେବାରେ ଅମିତ ପ୍ରଥମ ଭାରତୀୟ

ମୁମ୍ବଇ : ପ୍ରଥମ ଭାରତୀୟ ଭାବେ ୧୫୦ ଆଇପିଏଲ୍‌ ୱିକେଟ ନେବାର କୃତିତ୍ବ ହାସଲ କରିଛନ୍ତି ଲେଗ୍‌ସ୍ପିନର ଅମିତ ମିଶ୍ର। ଗୁରୁବାର ମୁମ୍ବଇ ଇଣ୍ଡିଆନ୍‌ସ ଅଧିନାୟକ ରୋହିତ ଶର୍ମାଙ୍କୁ ଆଉଟ୍‌କରି ଦିଲ୍ଲୀ କ୍ୟାପିଟାଲ୍‌ସର ଅମିତ ୧୫୦ ଆଇପିଏଲ୍‌ ୱିକେଟ ପୂରଣ କରିଛନ୍ତି। ୩୬ ବର୍ଷ ଅମିତ ମିଶ୍ରଙ୍କର ଏହା ୧୪୦ତମ ଆଇପିଏଲ୍‌ ମ୍ୟାଚ୍ ଥିଲା। ମୋଟଉପରେ ଆଇପିଏଲ୍‌ ଇତିହାସରେ ଅମିତ ମିଶ୍ର ୨ୟ ସର୍ବାଧିକ ୱିକେଟ ନେଇଛନ୍ତି। ମୁମ୍ବଇ ଇଣ୍ଡିଆନ୍‌ସର ଶ୍ରୀଲଙ୍କା ଫାଷ୍ଟବୋଲର ଲାସିଥ୍‌ ମାଲିଙ୍ଗା ଆଇପିଏଲ୍‌ରେ ସର୍ବାଧିକ ୧୬୨ଟି ୱିକେଟ ନେଇଛନ୍ତି। ମାଲିଙ୍ଗା ୧୧୫ଟି ଆଇପିଏଲ୍ ମ୍ୟାଚ୍ ଖେଳିଛନ୍ତି। ୧୫୨ଟି ମ୍ୟାଚ୍‌ରୁ ୧୪୬ଟି ୱିକେଟ ନେଇଥିବା କଲକାତା ନାଇଟ ରାଇଡର୍ସର ପୀୟୂଷ ଚାୱଲା ୱିକେଟ ହାସଲକାରୀ ତାଲିକାରେ ୩ୟ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଚେନ୍ନଇ ସୁପର କିଙ୍ଗ୍‌ସର ଡ୍ବେନ୍ ବ୍ରାଭୋ (୧୪୩) ଓ ହରଭଜନ ସିଂହ (୧୪୧) ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନରେ ରହିଛନ୍ତି।

Comments are closed.