ଅମ୍ଫନ ଉଜାଡ଼ିଲା ରୋଷେଇ ଘର ପରିବା ଡ଼ଲା

ହାଟରେ ଚାଷୀ ନାହାନ୍ତି, ବେପାରୀ ଓ ଗ୍ରାହକ ବି ହାତଗଣତି

ବଡ଼ସାହି : ଝଡ଼ବାତ୍ୟା ଅମ୍ଫନ ଜନିତ କ୍ଷୟକ୍ଷତିର ପ୍ରଭାବ ବର୍ତ୍ତମାନ ସିଧାସଳଖ ଉତ୍ତର ଓଡ଼ିଶାର ଜନସାଧାରଣଙ୍କ ରୋଷେଇ ଘର ପରିବା ଡ଼ଲାରେ ଦେଖିବାକୁ ମିଳିଛି। ପ୍ରକୃତିର ଏପରି କ୍ଷତି ସମସ୍ତେ ଭାତଥାଳିରୁ ଉପଲବ୍ଧି କରୁଛନ୍ତି। ଅଞ୍ଚଳରେ ୪ଦିନ ତଳେ ଥିବା ପରିବା ଦର ହଠାତ ବୃଦ୍ଧି ପାଇଛି। ସମସ୍ତ ପରିବାକୁ ହିସାବକୁ ନେଲେ କିଲୋ ପ୍ରତି ୨୦ରୁ ୪୦ଟଙ୍କା ବୃଦ୍ଧି ପାଇଛି। ବଡ଼ସାହି ବ୍ଲକର ମାଣତ୍ରୀ ହାଟ ଉଭୟ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାର ସାପ୍ତାହିକ ହାଟ ଓ ବଜାର ତୁଳନାରେ କମ ଦରରେ ପନିପରିବା ବ୍ୟବସାୟ ହୋଇଥାଏ। କାରଣ ବୁଢ଼ାବଳଙ୍ଗ ଓ ଗଙ୍ଗାହାର ନଦୀ ସଂଲଗ୍ନ ଅଞ୍ଚଳରେ ନିର୍ଭରଶୀଳ ଚାଷୀ ଅନୁକୂଳ ପରିବେଶ ପାଇଁ ଋତୁ ଗୁଡ଼ିକର ପ୍ରଥମାର୍ଦ୍ଧରେ ହିଁ ଉତ୍ପାଦିତ ପନିପରିବା ପ୍ରଥମେ ବଜାରକୁ ଆଣୁଥିବାରୁ ଉଭୟ ଜିଲାର ବ୍ୟବସାୟୀମାନେ ଆସି ଏଠାରୁ ପନିପରିବା ସଂଗ୍ରହରେ ଆଗ୍ରହ ପ୍ରକାଶ କରିଥାନ୍ତି। ପରନ୍ତୁ ଅମ୍ଫନ ପାଇଁ ଚିତ୍ର ପୂରାପରି ବଦଳି ଯାଇଛି।

ରବିବାର ମାଣତ୍ରୀ ହାଟର ଦୃଶ୍ୟ ଥିଲା ଭିନ୍ନ ପ୍ରକାରର ତଥା ଚିନ୍ତା ଜନକ। ସ୍ଥାନୀୟ ଅଞ୍ଚଳର ଚାଷୀ ନଥିଲେ ହାଟରେ। ତାଲାବନ୍ଦ ପାଇଁ ନୂଆକରି ପରିବା ବ୍ୟବସାୟକୁ ଆସିଥିବା ତେନ୍ତୁଳିଗାଁର ଯାତ୍ରାକଳାକାର ଦୀପକ ପଟ୍ଟନାୟକ ଭଳି କିଛି ଯୁବକ ହତାଶ ଭଳି ବସିଥିଲେ ସୀମୀତ ପନିପରିବାକୁ ଧରି। ପଶ୍ଚିମବଙ୍ଗ, ଜଳେଶ୍ୱର ଓ ରାଜଘାଟ ଆଦି ଅଞ୍ଚଳରୁ ସବୁଦିନ ଭ୍ୟାନରେ ପରିବା ଆଣି ହାଟ ସମ୍ଭାଳୁଥିବା ପୁରିଖୁଣ୍ଟାର ସୁଜିତ ବେହେରାଙ୍କ ପରି ଯୁବକ ଅଳ୍ପ କେତେକ ପନିପରିବା ଉଚ୍ଚାଦରରେ କିଣି ପହଞ୍ଚିବା ପରେ ଖୁଚୁରା ବ୍ୟବସାୟୀ ମଧ୍ୟ ଆଚମ୍ବିତ ରହିଥିଲେ। କାରଣ ପ୍ରତି ପନିପରିବା କିଲୋରେ ଦୁଇ-ତିନି ଗୁଣ ଦର ଶୁଣି। ସେମାନେ କିଣିବେ କେତେ ଟଙ୍କାରେ ଓ ବିକ୍ରି କରିବେ କେତେ ଟଙ୍କାରେ କହୁଥିବା ଶୁଣିବାକୁ ମିଳିଥିଲା। ପୂର୍ବ ହାଟପାଳିରେ ଏହି ହାଟରେ ଜହ୍ନି କିଲୋ ପ୍ରତି ୨୫/୩୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଜିର ଦର ଥିଲା ୬୦ଟଙ୍କା କିଲୋ ପ୍ରତି। ସେହିପରି ବାଇଗଣଳ, ପୋଟଳ, ବିଲାତି, ପୋଟଳ, ଭେଣ୍ଡି ଓ ନାଟୁକା କିଲୋ ପ୍ରତି ୫୦ଟଙ୍କା ତଥା ତା’ଠାରୁ ବେଶୀ ଥିବା ବେଳେ କାଙ୍କଡ଼ କିଲୋ ପ୍ରତି ୮୦ଟଙ୍କା, କୁନ୍ଦୁରୀ ୪୦ଟଙ୍କା, କଞ୍ଚାଲଙ୍କା ୧୦୦ଟଙ୍କା, ବୈତାଳୁ ୩୦ଟଙ୍କା, ଲାଉ/କଖାରୁ ଗୋଟାକୁ ୩୦ଟଙ୍କା, କଞ୍ଚାକଳଦୀ ଗୋଟାକୁ ୧୦ଟଙ୍କା ଓ ଶାଗ କିଲୋ ମଧ୍ୟ ୮୦ଟଙ୍କା ଦରରେ ବିକ୍ରି ହେଉଥିଲା। ଗରିବ ଲୋକେ ଦର ଶୁଣି ପଳାଉଥିବା ବେଳେ ଯିଏ ବି କିଣୁଥିଲେ କେଜିଏ ଜାଗାରେ ୫୦୦ ଓ ୨୫୦ଗ୍ରାମର ବ୍ୟାଗରେ ପୁରାଉ ଥିଲେ। ମାଣତ୍ରୀର ସୁରେଶ୍ଚନ୍ଦ୍ର ପତିଙ୍କ କହିବାନୁଯାୟୀ ପୂର୍ବ ପାଳିରେ ତାଙ୍କର ପରିବା କିଣା ୨୦୦ଟଙ୍କା ଥିବା ବେଳେ ବ୍ୟାଗ ଭର୍ତ୍ତି ହୋଇଥିଲା। ପରନ୍ତୁ ଆଜି ବ୍ୟାଗ ଅଧା ମଧ୍ୟ ହୋଇନାହିଁ। ଅମ୍ଫାନ ପାଇଁ ପନିପରିବା ଚାଷ ସ୍ଥାନୀୟ ଅଞ୍ଚଳରେ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିବା ବେଳେ ପଶ୍ଚିମବଙ୍ଗ ଓ ଉତ୍ତର ବାଲେଶ୍ୱର କଥା ଅବର୍ଣ୍ଣନୀୟ। ଚାଷଜମିର ପରିବା ଗଛ ମୂଳ ଗୋଟିଏ ଜାଗାରେ ତ ମଞ୍ଚା ଉଡ଼ି ୪/୫ଜଣଙ୍କ ଚାଷଜମି ଆରପାରିରେ। ଖରାଦିନ ପାଇଁ ସ୍ଥାନୀୟ ଅଞ୍ଚଳର ପନିପରିବା ଉତ୍ପାଦନ କମ ସମୟରେ ପଶ୍ଚିମବଙ୍ଗ ଓ ଉତ୍ତର ବାଲେଶ୍ୱରରୁ ଭ୍ୟାନ ଯୋଗେ ୧୦/୧୫ଜଣ ବ୍ୟବସାୟୀ ପ୍ରତି ଦିନ ପନିପରିବା ଆଣି ହାଟ ଓ ଡ଼େଲିମାର୍କେଟରେ ଯୋଗାଇଥାନ୍ତି। ବର୍ତ୍ତମାନ ସେଠାକାର ଚାଷୀ ପନିପରିବା ଖାଇବା ସ୍ୱପ୍ନ ପାଲଟିଥିବା ବେଳେ ଦର ବଢ଼ିବା ସ୍ୱାଭାବିକ। ଦିନକୁ ଦିନ ଦର ବଢ଼ିବା ସହିତ ସ୍ୱଭାବିକ ସ୍ଥିତି ଫେରିବାକୁ ୨ମାସ ଲାଗିବ ବୋଲି ବ୍ୟବସାୟୀ ମଦନ ଖଣ୍ଡା କହିଛନ୍ତି।

Comments are closed.