ଚୀନ୍‍ ଉପରେ ଆମେରିକାର ନୂଆ କଟକଣା

0

ୱାଶିଂଟନ: ଚୀନ୍‍କୁ ଯୋଗାଇ ଦେଉଥିବା ଆଣବିକ ବୈଷୟିକ ଜ୍ଞାନକୌଶଳକୁ ବନ୍ଦ କରିବାକୁ ଆମେରିକା ନିଷ୍ପତ୍ତି ନେଇଛି। ବେସାମରିକ ପ୍ରକଳ୍ପର ବିକାଶ ପାଇଁ ଚୀନ୍‍କୁ ଆମେରିକା ଏହି ବୈଷୟିକ ଜ୍ଞାନକୌଶଳ ଯୋଗାଇ ଦେଉଥିଲା। କିନ୍ତୁ ଚୀନ୍‍ ଏହାର ଦୁରୁପଯୋଗ କରି ବିଭିନ୍ନ ସାମରିକ ପ୍ରକଳ୍ପରେ ଉପଯୋଗ କରୁଥିବା ହୃଦ୍‍ବୋଧ ହେବା ପରେ ଆମେରିକା ଉପରୋକ୍ତ ପଦକ୍ଷେପ ନେଇଛି। ଜେଟ୍‍ ଇଞ୍ଜିନ ଉତ୍ପାଦନକାରୀ ଜେନେରାଲ୍‍ ଇଲେକ୍ଟ୍ରିକ୍‍ ଏଭିଏସନ୍‍ର ଗୋପନୀୟ ତଥ୍ୟ ଚୋରି କରିବା ଅଭିଯୋଗରେ ଚୀନ୍‍ର ଜଣେ ଗୁଇନ୍ଦା ଅଧିକାରୀଙ୍କୁ ଗିରଫ କରାଯାଇଥିବା ଆମେରିକାର ଡିପାର୍ଟମେଣ୍ଟ ଅଫ୍‍ ଜଷ୍ଟିସ୍‍ ଘୋଷଣା କରିବାର ଗୋଟିଏ ଦିନ ପରେ ଚୀନ୍‍କୁ ଆମେରିକା ପକ୍ଷରୁ ଆଣବିକ ଜ୍ଞାନକୌଶଳ ପ୍ରଦାନ କ୍ଷେତ୍ରରେ ଏଭଳି କଟକଣା ଜାରି କରାଯାଇଛି।
ବିଗତ ଦଶନ୍ଧି ଧରି ଆମେରିକାରୁ ଚୀନ୍‍ ଆଣବିକ ବୈଷୟିକ ଜ୍ଞାନକୌଶଳ ସହଯୋଗ ପାଇ ଆସୁଥିଲା। ୨୦୧୭ରେ ଚୀନ୍‍ ୧୭୦ ନିୟୁତ ଡଲାର ମୂଲ୍ୟ ବିନିମୟରେ ଚୀନ୍‍ ଆମେରିକାଠାରୁ ବୈଷୟିକ ଜ୍ଞାନକୌଶଳ ପାଇଥିଲା। ତେଣୁ ଏବେ ଚୀନ୍‍ ଉପରେ କଟକଣା ପରେ ଆମେରିକା ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେବ। ଏ ସମ୍ପର୍କରେ ଆମେରିକାର ଜଣେ ଅଧିକାରୀ କହିଛନ୍ତି ଯେ ପ୍ରତିରକ୍ଷା ଓ ସୁରକ୍ଷା କ୍ଷେତ୍ରରେ ଏଭଳି ଆର୍ଥିକ କ୍ଷତି ସହିବାକୁ ଆମେରିକା ପ୍ରସ୍ତୁତ ଅଛି। ଆମେରିକା ଉପରେ ଚୀନ୍‍ କଟକଣାର ଆର୍ଥିକ ପ୍ରଭାବ ସ୍ୱଳ୍ପ ମିଆଦୀ। କିନ୍ତୁ ଦୀର୍ଘ ମିଆଦୀ ଯୋଜନାକୁ ଦୃଷ୍ଟିରେ ରଖି ଆମେରିକା ଉପରୋକ୍ତ ପଦକ୍ଷେପ ନେଇଛି। ବାଣିଜ୍ୟ କଟକଣା ପରେ ଚୀନ୍‍ ଉପରେ ଚାପ ସୃଷ୍ଟି କରିବା ପାଇଁ ଆମେରିକାର ଏହା ନୂଆ ପଦକ୍ଷେପ ବୋଲି କୂଟନୈତିଜ୍ଞ ମହଲରେ ଆଲୋଚନା ହେଉଛି।

Leave A Reply