ଆମେରିକା ରାଷ୍ଟ୍ରପତିଙ୍କ ଭୟ

କ୍ଷମତାଶାଳୀ ତଥା ଅଗ୍ରଣୀ ରାଷ୍ଟ୍ର ଭାବେ ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ବ ଦରବାରରେ ଜାହିର୍ କରିବା ପୂର୍ବରୁ ହିଁ ନିଜ ସ୍ଥିତିକୁ ଦୃଢ଼ କରିସାରିଥିଲା। ଅନ୍ତର୍ଜାତୀୟ ଖବରରେ ସବୁବେଳେ ଚର୍ଚ୍ଚାରେ ରହିଆସିଥିବା ଏଇ ରାଷ୍ଟ୍ରର ମୁଖ୍ୟ ରାଷ୍ଟ୍ରପତିଙ୍କ ଲୋକପ୍ରିୟତା ମଧ୍ୟ କିଛି କମ୍ ନୁହେଁ। ଆଜିର ଶୀର୍ଷକ ସହିତ ଜଡ଼ିତ ଘଟଣାଟି ୧୨୯ ବର୍ଷ ତଳ ପୁରୁଣା। ୧୮୯୧ ସମୟର ଘଟଣା, ତତ୍କାଳୀନ ରାଷ୍ଟ୍ରପତି ବେଞ୍ଜାମିନ୍ ହ୍ୟାରିସନ୍ ସପତ୍ନୀକ ହ୍ବାଇଟ୍ ହାଉସ୍‌ରେ ରହୁଥାନ୍ତି। ତାଙ୍କ ସମୟରେ ହ୍ବାଇଟ୍‌ ହାଉସ୍‌ରେ ବିଦ୍ୟୁତ୍‌ ସରବରାହ ପ୍ରଥମ କରି ଆରମ୍ଭ ହେବାର ଯୋଜନା କର୍ତ୍ତୃପକ୍ଷ ନିଷ୍ପତ୍ତି ନେଲେ। ରାଷ୍ଟ୍ରପତି ବେଞ୍ଜାମିନ୍, ତାଙ୍କ ପତ୍ନୀ ପିଲାମାନେ ବେଶ୍ ଉତ୍ସାହିତ ଥାନ୍ତି। କାରଣ ବିଦ୍ୟୁତ୍ ସରବରାହ ପରେ ହ୍ବାଇଟ୍‌ ହାଉସ୍‌ର ନୂଆରୂପ ସେମାନେ ଦେଖିବେ। ବତି ଆଲୋକିତ ହେବ, ପଙ୍ଖା ଚାଲିବ ଇତ୍ୟାଦିଇତ୍ୟାଦି। ପାଖାପାଖି ଦେଢ଼ ମାସ କାମ ଚାଲିବା ପରେ, ଆମେରିକା ରାଷ୍ଟ୍ରପତି ଭବନରେ ବିଦ୍ୟୁତ୍ ସଂଯୋଗ ହେଲା। ରାଷ୍ଟ୍ରପତି ଭବନ, ଏଣୁ ସମସ୍ତ କାମ ଚକାଚକ ହୋଇଥିଲା। ଦିନବେଳା ପଙ୍ଖା ଚାଲିଲା, କେତୋଟି କକ୍ଷରେ ବତି ମଧ୍ୟ ଆଲୋକିତ ହେଲା। ସନ୍ଧ୍ୟା ପରେ ହ୍ବାଇଟ୍ ହାଉସ୍‌ର ଚତୁର୍ଦିଗ ଉଜ୍ଜ୍ଵଳ ହୋଇଗଲା। ବାହାରେ ଯାଉଥିବା ପଥଚାରୀ ମଧ୍ୟ ଘଡ଼ିଏ ଅଟକି ଛିଡ଼ା ହେଲେ ହ୍ବାଇଟ୍‌ ହାଉସ୍‌ର ଏଇ ନୂଆ ରୂପ ଦେଖିବାକୁ। ରାତ୍ରିବେଳକୁ କିନ୍ତୁ ରାଷ୍ଟ୍ରପତି ବେଞ୍ଜାମିନ୍ ଓ ତାଙ୍କ ପତ୍ନୀଙ୍କ ଅବସ୍ଥା ଅସମ୍ଭାଳ। କାରଣ ସେମାନଙ୍କୁ ଭୟ ଲାଗୁଥାଏ ଯେ ଏଇ ବିଦ୍ୟୁତ୍ ବତି ଚାଲିଲେ ରାତିରେ ଭବନର ଚାରିପାଖ ବିଦ୍ୟୁତ୍‌ ସକ୍‌ ହୋଇ ସମସ୍ତେ ପ୍ରାଣ ହରାଇବେ। କର୍ମଚାରୀମାନେ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ପାରୁପର୍ଯ୍ୟନ୍ତ ବୁଝାଇଲେ ହେଲେ ଦୁହେଁ କିଛି ଶୁଣିଲେ ନାହିଁ। ଶେଷରେ ୩ଜଣ କର୍ମଚାରୀ ରାଷ୍ଟ୍ରପତିଙ୍କ ପାଖେପାଖେ ରହିଲେ, କେବଳ ବତି ସୁଇଚ୍ ଅନ୍-ଅଫ୍ କରିବାକୁ। ପ୍ରାୟ ୬-୭ ମାସ ପର୍ଯ୍ୟନ୍ତ ଚାଲିଲା ଏଭଳି ଡ୍ରାମା, ସମୟକ୍ରମେ ରାଷ୍ଟ୍ରପତି ବେଞ୍ଜାମିନ୍ ଓ ତାଙ୍କ ପତ୍ନୀଙ୍କର ବିଦ୍ୟୁତ୍ ବତିକୁ ନେଇ ଥିବା ଭୟ ଅପସରି ଗଲା। ୧୮୯୩ରେ ବେଞ୍ଜାମିନ୍‌ଙ୍କ ରାଷ୍ଟ୍ରପତି କାର୍ଯ୍ୟକାଳ ଶେଷ ହୋଇଥିଲା, ହେଲେ ଭବନରୁ ଯିବା ପୂର୍ବରୁ ନିଜର ଏଇ ଭୟ ଅନୁଭୂତିକୁ ସେ ରାଷ୍ଟ୍ରପତି ଭବନର ଡାଏରୀରେ ଉଲ୍ଲେଖ କରିବାକୁ ଭୁଲିନଥିଲେ।

Comments are closed.