ଆମେରିକାରେ ପିଆଜ ଖାଇ ୬୫୦ ଅସୁସ୍ଥ

ନ୍ୟୁୟର୍କ: ପିଆଜ ଖାଇ ଆମେରିକାରେ ୬୫୦ ଲୋକ ଅସୁସ୍ଥ ହୋଇପଡିଛନ୍ତି। ଆମେରିକାର ରୋଗ ନିୟନ୍ତ୍ରଣ ଓ ପ୍ରତିଷେଧକ କେନ୍ଦ୍ର (ସିଡିସି)ର କହିବା ଅନୁଯାୟୀ ପିଆଜ ଖାଇବା ଦ୍ବାରା ଖାଦ୍ୟ ବିଷ କ୍ରିୟା ହୋଇ ଲୋକେ ଅସୁସ୍ଥ ହୋଇଛନ୍ତି। ଏହି ଖାଦ୍ୟ ବିଷକ୍ରିୟା ଜନିତ ରୋଗକୁ ‘ସାଲମୋନେଲା’ କୁହାଯାଇଛି। ଦେଶର ୩୭ଟି ପ୍ରଦେଶରେ ୬୫୦ ​‌ଲୋକ ଅସୁସ୍ଥ ହୋଇଥିବାବେଳେ ୧୨୯ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ଗତ ଅଗଷ୍ଟ ଓ ସେପ୍ଟେମ୍ବରରେ ଏହି ରୋଗରେ ଲୋକେ ପୀଡିତ ହୋଇଥିଲେ। ଟେକ୍ସାସ ଓ ଓକଲାହୋମାରେ ବେଶୀ ଲୋକ ଅସୁସ୍ଥ ହୋଇଥିଲେ। ମେକ୍ସିକୋର ଚିହୁଆହୁଆରୁ ଆମଦାନୀ ହୋଇଥିବା ଲାଲ, ଧଳା ଓ ହଳଦିଆ ପିଆଜ ଖାଇବା ଦ୍ବାରା ଏହି ରୋଗ ହେଉଥିବା ଜଣାଯାଇଛି। ଗତ ଅଗଷ୍ଟରେ ମେକ୍ସିକୋରୁ ଆମେରିକା ବିପୁଳ ପିଆଜ ଆମଦାନୀ କରିଥିବାବେଳେ ଏହା ଦେଶବ୍ୟାପୀ ଆବଣ୍ଟନ କରାଯାଇଥିଲା। ରୋଗ ବ୍ୟାପିବା ପରେ ଗ୍ରାହକମାନଙ୍କୁ ଲାଲ, ଧଳା ଓ ହଳଦିଆ ପିଆଜ ଖାଇବାକୁ ବାରଣ କରାଯାଇଛି। ପିଆଜକୁ ଆମଦାନୀ ପରେ ଏହାକୁ ବହୁତ ଦିନ ଗୋଦାମ ଓ ଘରେ ସଂରକ୍ଷଣ କରି ରଖାଯାଉଥିବାରୁ ଏପରି ରୋଗ ହେଉଥିବା କୁହାଯାଇଛି।

Comments are closed.