ଇରାନ-ଆମେରିକା ଶତ୍ରୁତା କାହିଁକି ?

୧୯୪୫ରେ ଦ୍ବିତୀୟ ବିଶ୍ବ ଯୁଦ୍ଧ ସମାପ୍ତ ପରେ ଆମେରିକା ନିଜକୁ ବିଶ୍ବର ସର୍ବଶକ୍ତିମାନ ରାଷ୍ଟ୍ର ଭାବେ ପ୍ରତିପାଦିତ କରି ପାରିଥିଲା। ଏହି ଯୁଦ୍ଧର ବିଭୀଷିକା ସୁଦୂର ପ୍ରସାରୀ ଥିଲା। ତେଣୁ ଯୁଦ୍ଧଯୋଗୁଁ ଅଧିକାଂଶ ଦେଶର ଆର୍ଥିକ ମାନଦଣ୍ଡ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା। ଏହାର ସୁଯୋଗରେ ଆମେରିକା କେତେକ ରାଷ୍ଟ୍ର ମୁଖ୍ୟଙ୍କୁ ଆର୍ଥିକ ସହଯୋଗ ଦେଇ ସେମାନଙ୍କୁ ନିଜ ଅଧୀନକୁ ଆଣିବାରେ ଲାଗିଲା। ମଧ୍ୟ-ପ୍ରାଚ୍ୟ ଦେଶ ସମୂହର ସମସ୍ତ ନେତା ଆମେରିକାର ବଶତା ସ୍ବୀକାର କରନ୍ତୁ ବୋଲି ଆମେରିକା ଚାହେଁ। ଦ୍ବିତୀୟ ବିଶ୍ବଯୁଦ୍ଧ ଜାରି ରହିଥିବା ସମୟରେ ଇରାନରେ ଏକ ବୃହତ୍‌ ତୈଳ କୂପର ସନ୍ଧାନ ମିଳିଥିଲା। ଏହାକୁ ବ୍ରିଟେନର ଏକ କମ୍ପାନୀ ଆବିଷ୍କାର କରିଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଇରାନକୁ ପହଲବୀ ରାଜବଂଶ ଶାସନ କରୁଥିଲା। ୧୯୪୯ରେ ତତ୍କାଳୀନ ଇରାନ ରାଜା ମହମ୍ମଦ ରାଜା ଶାହା ଦେଶରେ ସମ୍ବିଧାନ ଲାଗୁ କରିଥିଲେ। ସମ୍ବିଧାନ ଲାଗୁ ହେବା ପରେ ଦେଶର ୭ଜଣ ପ୍ରଧାନମନ୍ତ୍ରୀ ଦାୟିତ୍ବ ନିର୍ବାହ କରିଥିଲେ।ଏମାନଙ୍କ କାର୍ଯ୍ୟକାଳ ଥିଲା କମ୍‌ ଦିନ। ୧୯୫୨ରେ ଇରାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋଦାଦିକ୍‌ ଦେଶର ସମସ୍ତ ତୈଳ କୂପଗୁଡ଼ିକର ରାଷ୍ଟ୍ରୀୟକରଣ କରିଥିଲେ। ଏହା ବ୍ରିଟେନ ସରକାରଙ୍କୁ ବାଧି ଥିଲା। କାରଣ ସେତେବେଳେ ବ୍ରିଟେନର ଉକ୍ତ ତୈଳ କମ୍ପାନୀ ଇରାନର ସମସ୍ତ ତୈଳ କୂପଗୁଡ଼ିକର ମାଲିକ ଥିଲା। ବ୍ରିଟେନର ସ୍ବାର୍ଥରେ ବାଧା ପଡ଼ିବାରୁ ଆମେରିକା ସହ ମିଶି ଏହି ଦେଶର ଇରାନର ପ୍ରଧାନମନ୍ତ୍ରୀଙ୍କୁ ଗାଦିଚ୍ୟୁତ କରିବାରେ ସଫଳ ହୋଇ ପାରିଥିଲା। ଏହା ପରେପରେ ଦେଶରେ କେବଳ ମାସେ/ ଦୁଇମାସ ପାଇଁ କେହି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ଥିଲେ। ଦେଶର ବାସ୍ତବିକ ମୁଖ୍ୟ ଥିଲେ ରାଜା ମହମ୍ମଦ ରାଜା ଶାହା। ତେଣୁ ଆମେରିକା ଓ ବ୍ରିଟେନର ପ୍ରରୋଚନାରେ ଶିକାର ହୋଇ ସେ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କୁ ବଦଳାଇବାରେ ଲାଗିଲେ। ଏଥିପାଇଁ ଇରାନର ଜନତା ଶାହାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ରାଜା ଶାହା ଆମେରିକା ଓ ବ୍ରିଟେନର ଖେଳନା ସାଜିଛନ୍ତି ବୋଲି ଇରାନବାସୀ ମନେ କରିଥିଲେ। ତାଙ୍କ ବିରୋଧରେ ଜନଆନ୍ଦୋଳନ ତେଜିଲା। ଅୟତୁଲ୍ଲା ଅଲ୍ଲୀ ଖାମେନେଇ ନାମକ ଜଣେ ଏହି ଜନ ଆନ୍ଦୋଳନର ନେତୃତ୍ବ ନେଇଥିଲେ। ୧୯୭୮ରେ ଶାହାଙ୍କ ବିରୋଧରେ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ରାଜା ଶାହା ଦେଶରେ ମାର୍ଶଲ ଲ’ ଲାଗୁ କରିଥିଲେ। ଇରାନବାସୀ ଏହା ଜାଣି ସାହାଙ୍କ ବିରୋଧରେ ଆମରଣ ବିକ୍ଷେଭ ଚଳାଇଲେ। ଜୀବନକୁ ବିପଦ ଥିବା ଭାବି ଶେଷରେ ୧୬ ଜାନୁଆରୀ ୧୯୭୯ରେ ରାଜା ସାହା ଦେଶଛାଡ଼ି ଆ​ମେରିକା ପଳାୟନ କରିଥିଲେ। ଏହାପରେ ଦେଶର ଜନତା ଖାମେନେଇଙ୍କୁ ନେତା ଭାବେ ମନୋନୀତ କରିଥିଲେ। ଏହିଠାରୁ ହଁ ଇରାନର ପାଶ୍ଚାତ୍ୟ ନିତି ବଦଳିବାରେ ଲାଗିଲା। ଇରାନର ତୈଳ କୂପଗୁଡ଼ିକରୁ ଆ​ମେରିକା ଓ ବ୍ରିଟେନ ପ୍ରଚୁର ଅର୍ଥ କମାଉଥିଲେ। ତେବେ ଖାମେନେଇ କ୍ଷମତା ଲାଭ କରିବାରେ ଆରେିକୀୟ କମ୍ପାନୀଗୁଡ଼ିକୁ ବନ୍ଦ କରି ଦେଇଥିଲେ। ପୂର୍ବରୁ ଆମେରିକା ସରକାର ଇରାନର ଶାସକ ମନୋନିତ କରୁଥିଲେ।ତେବେ ଖାମେନେଇ ଏଥିରେ ପରବର୍ତ୍ତନ କରିଥିଲେ। ଆମେରିକାର ସ୍ବାର୍ଥରେ ବାଧା ଉପୁଜିବାରୁ ଖାମେନେଇଙ୍କୁ କିପରି ହଟାଯିବ ସେ ନେଇ ଉକ୍ତ ଦେଶ ଚକ୍ରାନ୍ତ ଚଳାଇଥିଲା। ୧୯୮୦ରେ ଯେତେବେଳେ ତତ୍କାଳୀନ ଇରାକୀ ଶାସକ ସଦ୍ଦାମ ହୁସେନ ଇରାନ ଉପରେ ଆକ୍ରମଣ କଲେ ସେତେବେଳେ ଆମେରିକା ସରକାର ଇରାନ ବିରୋଧରେ ସଦ୍ଦାମଙ୍କୁ ସମର୍ଥନ ଯୋଗାଇ ଥିଲେ। ଏହିଠାରୁ ଆମେରିକା ଓ ଇରାନର ମୁହାଁମୁହିଁ ବିବାଦ ଆରମ୍ଭ ହୋଇଥିଲା। ମଧ୍ୟ-ପ୍ରାଚ୍ୟର ଅନେକ ଦେଶ ଆମେରିକାର ପ୍ରଭୁତ୍ବ ସ୍ବୀକାର କରିଥିଲେ ହେଁ ଇରାନ ଏ ପର୍ଯ୍ୟନ୍ତ କରି ନାହିଁ।

Comments are closed.