ଆମେରିକା ସହ ସାମରିକ ଆଲୋଚନା ବନ୍ଦକଲା ଚୀନ

ନାନ୍ସିଙ୍କ ଉପରେ ଜିନପିଙ୍ଗଙ୍କ କଟକଣା

ବେଜିଂ : ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସିଙ୍କର ତାଇୱାନ ଗସ୍ତ ପରେ କ୍ଷୁବ୍ଧ ଚୀନ ସରକାର ଆମେରିକା ସହିତ ଏକାଧିକ ପ୍ରତିରକ୍ଷା ବୈଠକ ବାତିଲ କରିଦେଇଛନ୍ତି। ତାହାସହିତ ଗୁରୁତ୍ୱପୂର୍ଣ୍ଣ ଜଳବାୟୁ ସମ୍ପର୍କିତ ଆଲୋଚନାକୁ ସ୍ଥଗିତ ରଖିଛନ୍ତି। ଶୁକ୍ରବାର ଏ ସମ୍ପର୍କରେ ଚୀନ ପକ୍ଷରୁ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ ଯେ ତାଇୱାନ ତାହାର ପରିସୀମାର ଅଂଶବିଶେଷ ବୋଲି ଚୀନ ଦାବି କରିବା ସହିତ ଦିନେ ନା ଦିନେ ତାହା ଦଖଲ କରିବାକୁ ଶପଥ କରିଛି।
ଚୀନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହା ସୀମାପାର ଅପରାଧ ଏବଂ ନିଶାଦ୍ରବ୍ୟ ଚୋରାଚାଲାଣ ରୋକିବା ତଥା ବେଆଇନ ଅନୁପ୍ରବେଶକାରୀଙ୍କ ପ୍ରତ୍ୟର୍ପଣ ଦିଗରେ ୱାଶିଂଟନ ସହିତ ସହଯୋଗକୁ ସ୍ଥଗିତ ରଖୁଛି। ପେଲୋସି ତାଙ୍କର ଏସୀୟ ରାଷ୍ଟ୍ରସମୂହ ଗସ୍ତର ଶେଷ ପର୍ଯ୍ୟାୟରେ ଜାପାନ ଗସ୍ତକରିବାର କିଛି ସମୟ ମଧ୍ୟରେ ଚୀନ ପକ୍ଷରୁ ଏଭଳି ବିବୃତି ଜାରି କରାଯାଇଛି। ଏଥିରେ ଚୀନ ସାମୁଦ୍ରିକ ସାମରିକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଦ୍ୱିପାକ୍ଷିକ ବୈଠକ ମଧ୍ୟ ବାତିଲ କରିଥିବା ଘୋଷଣା କରିଛି। ଇତିମଧ୍ୟରେ ତାଇୱାନ ପ୍ରଣାଳୀରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପରସ୍ପର ପରସ୍ପରକୁ ସହଯୋଗ କରିବେ ବୋଲି ଜାପାନ ଓ ଆମେରିକା ଘୋଷଣା କରିଛନ୍ତି। ଚୀନ ସରକାରଙ୍କ ପକ୍ଷରୁ ନାନ୍ସି ପେଲୋସିଙ୍କ ଉପରେ କଟକଣା ଜାରି କରାଯାଇଛି। ଚୀନ ପକ୍ଷରୁ କୁହାଯାଇଛି ଯେ ଏହାର ୧୦୦ରୁ ଅଧିକ ଲଢୁଆ ବିମାନ ଏବଂ ୧୦ଟି ଯୁଦ୍ଧଜାହାଜ ତାଇୱାନ ଚାରିପଟେ ଚାଲିଥିବା ଯୁଦ୍ଧାଭ୍ୟାସରେ ଗତ ଦୁଇଦିନ ଧରି ଅଂଶଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ବେଜିଂର ଏହି ସମରାଭ୍ୟାସ ଅତି ମାତ୍ରାରେ ଉସୁକାଇବା ଭଳି ହୋଇଛି ବୋଲି ତାଇପେ କହିଛି। ଏହି ଯୁଦ୍ଧାଭ୍ୟାସ ଆଳରେ ଚୀନର ପିଏଲ୍‍ଏ ତାଇୱାନକୁ ଘେରିବା ସହିତ ତାଇୱାନକୁ ସମର୍ଥନ କରୁଥିବା ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ରକୁ ଧମକ ଦେଇଛନ୍ତି।
ଶୁକ୍ରବାର ଚୀନର ୪୯ଟି ଯୁଦ୍ଧ ବିମାନ ତାଇୱାନର ଆକାଶ ସୀମା ମଧ୍ୟକୁ ପ୍ରବେଶ କରିବା ପରେ ସେଗୁଡିକୁ ଘଉଡାଇବା ପାଇଁ ତାଇୱାନ ଜେଟ୍‍ଗୁଡିକ ଉଡାଣ କରିଥିବା କୁହାଯାଇଛି। ଚୀନର ୪୯ଟି ଯୁଦ୍ଧବିମାନ ମଧ୍ୟରୁ ୩୦ଟି ବିମାନ ତାଇୱାନ ପ୍ରଣାଳୀ ମଧ୍ୟଭାଗରେ ପରିକଳ୍ପିତ ମଧ୍ୟରେଖାକୁ ପାର କରିଥିବା ଅଭିଯୋଗ ଆଣିଛି ତାଇୱାନ। ତାଇୱାନ ସରକାର ଏହାକୁ ଦୃଢ ନିନ୍ଦା କରିବା ସହିତ ଚୀନ ସୈନ୍ୟ ଉକ୍ତ ରାଷ୍ଟ୍ରକୁ ଜଳ ଓ ଆକାଶ ମାର୍ଗରେ ଘେରି ତାହାକୁ ହତାଶ କରିବାକୁ ଉଦ୍ୟମ କରୁଥିବା କହିଛନ୍ତି। ତେବେ ତାଇୱାନ ସେନା ନିଜ ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱକୁ ସବୁମତେ ସୁରକ୍ଷିତ ରଖିବେ ବୋଲି ଦେଶର ରାଷ୍ଟ୍ରପତି ଘୋଷଣା କରିଛନ୍ତି।

Comments are closed.