ହାରିଲେ ଟ୍ରମ୍ପ; ଜୋ ବାଇଡେନ୍‌ ଆମେରିକାର ୪୬ତମ ରାଷ୍ଟ୍ରପତି

ଭାରତୀୟ ବଂଶୋଦ୍ଭବ କମଳା ଉପରାଷ୍ଟ୍ରପତି

ୱାଶିଂଟନ୍: ଡେମୋକ୍ରାଟ୍‌ ରାଷ୍ଟ୍ରପତି ପ୍ରାର୍ଥୀ ୭୭ ବର୍ଷ ବୟସ୍କ ଜୋ ବାଇଡେନ୍‌ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଦ୍ବିତୀୟଥର ପାଇଁ ରିପବ୍ଲିକାନ୍‌ ଦଳରୁ ପ୍ରାର୍ଥୀ ହୋଇଥିବା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କୁ ସେ ହରାଇଥିବା ଆମେରିକୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ। ପେନ୍‌ସିଲ୍‌ଭାନିଆର ଭୋଟ୍‌ଗଣତି ପରେ ବାଇଡେନ୍‌ ରାଷ୍ଟ୍ରପତି ହେବା ପାଇଁ କୁହୁକ ସଂଖ୍ୟା ୨୭୦ ଅତିକ୍ରମ କରିଛନ୍ତି। ତାଙ୍କୁ ୨୭୩ ଇଲେକ୍ଟର(ସାଂସଦ)ଙ୍କ ସମର୍ଥନ ମିଳିଛି। ଡୋନାଲ୍ଡ ଟ୍ରମ୍ପ ୨୧୪ ସାଂସଦଙ୍କ ସମର୍ଥନ ହାସଲ କରିଛନ୍ତି। ତେବେ ଏବେ ବି କେତେକ ରାଜ୍ୟରେ ମତଗଣନା ଜାରି ରହିଛି। ରାଷ୍ଟ୍ରପତି ନିର୍ବାଚିତ ହେବାପରେ ବାଇଡେନ୍‌ ଏଥିପାଇଁ ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ପ୍ରତି ଆସ୍ଥାବ୍ୟକ୍ତ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ ଏକାଧିକ ଆକସ୍ମିକ ପ୍ରତିବନ୍ଧକ ସ​‌େ​‌ତ୍ତ୍ବ ଆମେରିକୀୟ ନାଗରିକ ରେକର୍ଡସଂଖ୍ୟାରେ ମତଦାନ କରିଛନ୍ତି।

ଏହା ଆମେରିକା ଗଣତନ୍ତ୍ରକୁ ଅଧିକ ଦୃଢ଼ୀଭୂତ କରିଛି। ପ୍ରଚାର ଶେଷ ହୋଇଛି, ଫଳାଫଳ ପ୍ରକାଶ ପାଇସାରିଛି, ତେଣୁ ଏବେ କ୍ରୋଧ ଛାଡି ପରସ୍ପର ଏକାଠି ହୋଇ ରାଷ୍ଟ୍ରକୁ ଆଗେଇ ନେବାର ସମୟ। ଆମେରିକାର କ୍ଷତ ଭରିବା ସହ ପୁନର୍ବାର ଆମେରିକା ଏକାଠି ହୋଇ ବିଶ୍ବକୁ ପୁଣିଥରେ ଦେକାଇବାକୁ ଚାହୁଁ ଯେ ଆମେରିକା ସବୁକିଛି କରିପାରେ, ଯଦି ସେ ଏକାଠି କାର୍ଯ୍ୟକରେ। ବାଇଡେନ୍‌ଙ୍କ ଏହି ବାର୍ତ୍ତା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

କରୋନା କଟକଣା ଭିତରେ ଚଳିତବର୍ଷ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ୧୬କୋଟି ମତଦାତା ମତସାବ୍ୟସ୍ତ କରିଛନ୍ତି; ଯାହାକି ଶତାବ୍ଦୀର ରେକର୍ଡ ବୋଲି କୁହାଯାଉଛି। ଏଥିସହ ଦ୍ବିତୀୟବାର ରାଷ୍ଟ୍ରପତି ପ୍ରାର୍ଥୀ ହୋଇ ହାରିବାରେ ଟ୍ରମ୍ପ ୩୬ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ବାଇଡେନ୍‌ଙ୍କ ଦଳର ଭାରତୀୟ ବଂଶୋଦ୍ଭବ କମଳା ହାରିସ୍‌ ଉପରାଷ୍ଟ୍ରପତି ଭାବେ ସ୍ପଷ୍ଟ ହୋଇଛି। ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାରେ କମଳା ହେଉଛନ୍ତି ପ୍ରଥମ ଭାରତୀୟ ତଥା ଏସୀୟ ମହିଳା । ଆନୁଷ୍ଠାନିକ ଭାବେ ଜାନୁଆରୀ ୬ରେ ଫଳ ଘୋଷଣା ଓ ସେହି ମାସ ୨୦ରେ ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ବାଇଡେନ୍‌ ଶପଥ ଓ କାର୍ଯ୍ୟଭାର ଗ୍ରହଣ କରିବେ।

ଜୋ ବାଇଡେନଙ୍କ ପୂରା ନାମ ଯୋଶେଫ ରବନେଟ ବାଇଡେନ ଜୁନିଅର । ୨୦ ନଭେମ୍ବର ୧୯୪୨ରେ ପେନସିଲଭାନିଆର ସ୍କ୍ରାଣ୍ଟନ ସହରରେ ତାଙ୍କ ଜନ୍ମ । ଏବେ ତାଙ୍କ ବୟସ ୭୭ । ସେତେବେଳେ ଭାରତବାସୀ ଇଂରେଜଙ୍କ ବିରୋଧରେ ଭାରତ ଛାଡ଼ ଆନ୍ଦୋଳନ ଚଳାଉଥିଲେ । ତାଙ୍କ ପିତା ଯୋଶେଫ ରବନେଟ ବାଇଡେନଙ୍କ ଜନ୍ମ ଆୟର୍ଲାଣ୍ଡରେ । ତାଙ୍କ ମାତାଙ୍କ ନାମ କୈଥରିନ ୟୁଜିନ ଫିନନେଗନ । ତାଙ୍କର ଅନ୍ୟ ଦୁଇ ଭାଇ ଓ ଜଣେ ଭଉଣୀ ଅଛନ୍ତି । ପିଲା ବେଳେ ତାଙ୍କ ଘରର ଆର୍ଥିକସ୍ଥିତି ଭଲ ନଥିଲା । ତାଙ୍କ ପିତା ଏକ କାର୍‌ ଶୋ ରୁମରେ ସେଲ୍ସମ୍ୟାନ ଭାବେ କାମ କରୁଥିଲେ। କ୍ଲୋମେଣ୍ଟସ୍ଥିତ ଅର୍ଚର ଏକାଡେମୀରେ ସେ ହାଇସ୍କୁଲ ଶିକ୍ଷା ସମାପ୍ତ କରିଥିଲେ। ସେତେବେଳେ ସେ ଜଣେ ଭଲ ଫୁଟବଲ ଖେଳାଳି ଥିଲେ । ଏହି ସ୍କୁଲରେ ସେ ଯେତେଦିନ ପଢିଛନ୍ତି ପ୍ରତିବର୍ଷ କ୍ଲାସରେ ପ୍ରେସିଡେଣ୍ଟ (ମନିଟର) ଭାବେ ମନୋନୀତ ହୋଇଛନ୍ତି। ଡେଲୋଭେୟର ବିଶ୍ବବିଦ୍ୟାଳୟରୁ ସେ ଇତିହାସ ଓ ରାଜନୀତି ବିଜ୍ଞାନରେ ସ୍ନାତ୍ତକ ଶିକ୍ଷା ହାସଲ କରିଥିଲେ ।

୧୯୭୨ରେ ସେ ଡେଲୋଭେୟରରୁ ପ୍ରଥମେ କଂଗ୍ରେସ(ଦେଶର ସଂସଦ)ର ଉଚ୍ଚ ସଦନ ସିନେଟକୁ ନିର୍ବାଚିତ ହୋଇଥିଲେ । ସେତେବେଳେ ତାଙ୍କ ବୟସ ଥିଲା ୨୯। ସିନେଟକୁ ନିର୍ବାଚିତ ହେବାରେ ସେ ଥିଲେ ଆମେରିକାର ୫ମ କନିଷ୍ଠ ସାଂସଦ। ଏହି ନିର୍ବାଚନରେ ସେ ରିପବ୍ଲିକାନ ପାର୍ଟିର ବିଶିଷ୍ଟ ନେତା ଜେମ୍ସ କାଲେବ ବୋଗ୍ସଙ୍କୁ ହରାଇଥିଲେ । ବାଇଡେନ ଦୁଇ ଥର ବିବାହ କରିଛନ୍ତି। ୨୭ ଅଗଷ୍ଟ ୧୯୬୬ରେ ସିଲିଆକସ୍‌ ବିଶ୍ବବିଦ୍ୟାଳୟର ଛାତ୍ରୀ ନୋଲିଆ ହଣ୍ଟରଙ୍କୁ ବିବାହ କରିଥିଲେ । ତାଙ୍କର ୩ଟି ପିଲା ଜନ୍ମ ହୋଇଥିଲେ । ୱାଶିଂଟନ ଆସିବା ପରେପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତାଙ୍କ ସ୍ତ୍ରୀ ନୈଲିଆ ଓ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ତାଙ୍କ ଦୁଇ ପୁଅ ବିଉ ଓ ହଣ୍ଟର କ୍ଷତାକ୍ତ ହୋଇପଡ଼ିଲେ । ଏହି ଘଟଣା ତାଙ୍କୁ ଗଭୀର ମର୍ମାହତ କରିଥିଲା । ଜୀବନର ସମସ୍ତ ଆଶା ତାଙ୍କର ଧୂଳିସାତ୍‌ ହୋଇ ଯାଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ସେ ଆତ୍ମହତ୍ୟା କରିବାକୁ ଯାଇଥିଲେ । ପରେ ତାଙ୍କ ପିତା ବାଇଡେନଙ୍କୁ ଧୈର୍ଯ୍ୟ ଧରିବା ପାଇଁ ପରାମର୍ଶ ଦେଇଥିଲେ । ୧୮ ଡିସେମ୍ବର ୧୯୭୭ରେ ଜିଲ ଟ୍ରେସିଙ୍କୁ ସେ ଦ୍ବିତୀୟ ବିବାହ କରିଥିଲେ ା ପାଠପଢା ଶେଷରେ ସେ ଆମେରିକା ରାଜନୀତିରେ ଯୋଗ ଦେଇଥିଲେ । ୬ ଥର ପାଇଁ ସେ ଆମେରିକାର ଉଚ୍ଚ ସଦନ ସିନେଟକୁ ନିର୍ବାଚିତ ହୋଇ ନିଜକୁ ଜଣେ ଧୂରୀଣ ରାଜନେତା ଭାବେ ପ୍ରତିପାଦିତ କରିପାରିଛନ୍ତି।

ବିଗତ ୩୫ ବର୍ଷର ରାଜନୈତିକ ଅଭିଜ୍ଞତା ଥିବାରୁ ଡେମୋକ୍ରାଟିକ୍‌ ପାର୍ଟି ୨୦୦୮ରେ ତାଙ୍କୁ ରାଷ୍ଟ୍ରପତି ପଦରେ ନିର୍ବାଚନ ଲଢିବା ପାଇଁ ଯୋଜନା କରିଥିଲା । ପରବର୍ତ୍ତୀ ସମୟରେ ଏହି ପଦ ବାରାକ୍‌ ଓବାମାଙ୍କୁୁ ଦିଆଯାଇଥିଲା । ୨୦୦୮ରେ ସେ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ୨୦୧୨ରେ ଓବାମା ଓ ବାଇଡେନଙ୍କୁ ପୁନଃ ଡେମୋକ୍ରାଟିକ ପାର୍ଟି ପକ୍ଷରୁ ଯଥାକ୍ରମେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପାଇଁ ପ୍ରାର୍ଥୀ କରା ଯାଇଥିଲା । ଉଭୟେ ପୁନର୍ବାର ବିଜୟୀ ହୋଇଥିଲେ । ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍‌ ଦଳ ତାଙ୍କୁ ପ୍ରାର୍ଥୀ କରାଇବ ବୋଲି ଆଲୋଚନା ହେଉ ଥିଲା। ପରବର୍ତ୍ତୀ ସମୟରେ ହିଲାରୀ କ୍ଲିଣ୍ଟନ ପ୍ରାର୍ଥୀ ହୋଇ ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ନିର୍ବାଚନ ହାରି ଯାଇଥିଲେ । ଏହି ନିର୍ବାଚନରେ ବାଇଡେନ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ଦୁଇଥର ଉପରାଷ୍ଟ୍ରପତି ହୋଇଥିବା ଜୋ ବାଇଡେନଙ୍କୁ ଦଳ ଏଥର ରାଷ୍ଟ୍ରପତି ଭାବେ ନିର୍ବାଚନ ଲଢିବାକୁ ଘୋଷଣା କରିଥିଲା । ପୁନର୍ବାର ଜିତିବା ଆଶାରେ ଥିବା ରିପବ୍ଲିକାନ୍‌ ପାର୍ଟିର ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇ ସେ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ।

Comments are closed.