କେନିଆସ୍ଥିତ ଆମେରିକା ସାମରିକ ଘାଟି ଉପରେ ଆତଙ୍କବାଦୀଙ୍କ ଆକ୍ରମଣ : ୭ ଯୁଦ୍ଧ ବିମାନ ଓ ୩ ସେନା ଗାଡ଼ି ଧ୍ବଂସ

ନାଇରୋବି : ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ଉତ୍ତେଜନା ଲାଗି ରହିଥିବାବେଳେ କେନିଆସ୍ଥିତ ଆମେରିକାର ସାମରିକ ଘାଟି ଉପରେ ସୋମାଲିଆ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଅଲକାଏଦାର ଅନୁବନ୍ଧିତ ଇସଲାମିକ ଆତଙ୍କବାଦୀ ସଂଗଠନ ଅଲ-ସାବାବ ରବିବାର ଏହି ଆକ୍ରମଣ କରିଛି। ତେବେ ଏଥିରେ କାହାର ମୃତ୍ୟୁ ହୋଇ ନାହିଁ। କେନିଆ ପ୍ରତିରକ୍ଷା ବାହିନୀ (କେଡିଏଫ୍‌) କହିଛି ଯେ ମାଣ୍ଡା ଏୟାର ଷ୍ଟ୍ରିପ୍‌ (ବିମାନ ଘାଟି) ଉପରେ ଆକ୍ରମଣ ଉଦ୍ୟମ ବିଫଳ ହୋଇଛି। ବିମାନ ଘାଟି ସୁରକ୍ଷିତ ରହିଛି। ଲାମୁ କାଉଣ୍ଟିରେ ଥିବା ଏହି ଘାଟିକୁ ଉଭୟ ଆମେରିକା ଓ କେନିଆ ସୈନ୍ୟ ବ୍ୟବହାର କରିଆସୁଥିଲେ। ବିମାନ ଘାଟି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଆମେରିକା-ଆଫ୍ରିକା କମାଣ୍ଡାଣ୍ଟ ସ୍ପଷ୍ଟ କରିଛନ୍ତି। କମାଣ୍ଡାଣ୍ଟ ଜଣଙ୍କ କହିଛନ୍ତି ଯେ ପରିସ୍ଥିତି ଉପରେ ଅନୁଧ୍ୟାନ କରାଯିବା ପରେ ସବିଶେଷ ତଥ୍ୟ ଦିଆଯିବ। ଆକ୍ରମଣ ଉଦ୍ୟମ କରିଥିବା ୪ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଆକ୍ରମଣ ସମୟରେ ବିମାନଘାଟି ଆଖପାଖରେ ଥିବା କେତେକ ତୈଳ ଟାଙ୍କି ଜଳି ଯାଇଛି। ନିଆଁକୁ ଆୟତ୍ତ କରାଯାଇଥିବାବେଳେ ସାଧାରଣ ସୁରକ୍ଷା ନିୟମ ପାଳନ କରାଯାଇଛି। ଆମେରିକା ସାମରିକ ଘାଟି ଉପରେ ଆକ୍ରମଣ ପାଇଁ ଅଲ୍‌-ସାବାବ ନିଜକୁ ଦାୟୀ କରିଛି। ଆକ୍ରମଣରେ ୭ଟି ଯୁଦ୍ଧବିମାନ ଓ ତିନିଟି ଗାଡି ପୋଡି ଯାଇଥିବା ଏହା ଦାବି କରିଛି। ଅତୀତରେ ଅଲ୍-ସାବାବ ନାଇରୋବି ଓ ମୋଗାଡିସୁରେ ଅନେକ ଆତଙ୍କବାଦୀ ଆକ୍ରମଣ ଘଟାଇଆସିଛି।

Comments are closed.