କର୍ତ୍ତବ୍ୟରେ ଅବହେଳା ପାଇଁ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ବହିଷ୍କୃତ

ଭୁବନେଶ୍ୱର : ଏମିତି ଅନେକ ନଜିର ରହିଛି ଯେତେବେଳେକି ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ନିଜର ନିଃସ୍ୱାର୍ଥପର ସେବା ଓ ମାନବିକତା ଜରିଆରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଅନେକ ଥର ଏହି କର୍ମଚାରୀମାନେ ଦେବଦୂତ ସାଜି ରୋଗୀଙ୍କୁ କାନ୍ଧରେ ବୋହି ଦେଇଛନ୍ତି ବିଶାଳ ହୃଦୟର ପରିଚୟ । ସେହିପରି ନିକଟରେ କିଛି ୧୦୮ କର୍ମଚାରୀଙ୍କ ବିଶୃଙ୍ଖଂଳିତ କାର୍ଯ୍ୟକଳାପ ପାଇଁ କମ୍ପାନୀ ପକ୍ଷରୁ ସେମାନଙ୍କୁ ନିଲମ୍ବନ କରାଯାଇଥିବାବେଳେ ପୁଣିଥରେ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକରେ । ଘଟଣା ଅନୁଯାୟୀ ସନତ ବାରିକ ନାମକ ଜଣେ ଯୁବକ ଏକ ୧୨ ବର୍ଷର ବାଳକକୁ ଭଦ୍ରକ ଡ଼ାକ୍ତରଖାନାରୁ କଟକ ଏସସିବି ନେବା ନିମନ୍ତେ ୧୦୮ ଆମ୍ବୁଲାନ୍ସକୁ ଡ଼କାଇଥିଲେ। ରୋଗୀକୁ ଆମ୍ବୁଲାନ୍ସରେ ଭର୍ତ୍ତି କରିବା ପରେ ପାଇଲଟ ଜଣକ ରୋଗୀକୁ କଟକ ନେବା ପରିବର୍ତ୍ତେ ବାଲେଶ୍ୱର ରୁଟରେ ଆମ୍ବୁଲାନ୍ସକୁ ନେଇଥିଲେ । ଏହା ଦେଖି ରୋଗୀ ସମ୍ପର୍କିୟମାନେ ହୋହଲ୍ଲା କରିବା ସହ ସ୍ଥାନୀୟ ଲୋକଙ୍କୁ ରୁଣ୍ଡ କରାଇଥିଲେ ଏବଂ ଏକତ୍ର ହୋଇ ଚରମ୍ପା ଉଚ୍ଚ ବିଦ୍ୟାଳୟ ନିକଟରେ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ ।

ଏହା ବ୍ୟତୀତ ସ୍ଥାନୀୟ ଲୋକମାନେ ତିନି ଜଣ ଆମ୍ବୁଲାନ୍ସ କର୍ମଚାରୀ ଯେପରିକି ଇଏମଟି, ଜହେଦୁର ରେହମନ ଖାନ୍‌, ହେଲପର, ମୁକ୍ତକାନ୍ତ ମହାପାତ୍ର ଏବଂ ଡ୍ରାଇଭର, ସୁକଦେବ ନାୟକଙ୍କୁ ଭଦ୍ରକ ଟାଉନ ପୋଲିସ ଷ୍ଟେସନ ଜିମା ଦେବା ସହ ୧୦୮ କଲ ସେଣ୍ଟରକୁ ସୂଚିତ କରିଥିଲେ ।  ଓଡ଼ିଶାରେ ୧୦୮ ଏବଂ ୧୦୨ ପରିଚାଳନା କରୁଥିବା ସଂସ୍ଥା, ଜିକିତ୍ସା ହେଲଥ କେୟାର ଲିମିଟେଡ଼ ଘଟଣାର ଗମ୍ଭୀରତାକୁ ବୁଝି ସଙ୍ଗେ ସଙ୍ଗେ ଆଉ ଏକ ଆମ୍ବୁଲାନ୍ସକୁ ରୋଗୀମାନଙ୍କୁ ସ୍ତାନାନ୍ତର ପାଇଁ ପଠାଇଥିଲେ ଏବଂ ଉକ୍ତ ଗାଡିର ସବୁ କ୍ରୀୟୁ ମେମ୍ବରଙ୍କୁ ଅଫ ଡିଉଟି କରି ଦେଇଥିଲେ। ପରେ କମ୍ପାନୀ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ତିନିଜଣ କ୍ରୀୟୁ କର୍ମଚାରୀଙ୍କୁ କାର୍ଯ୍ୟରେ ଅବହେଳା ପାଇଁ କାର୍ଯ୍ୟରୁ ବହିଷ୍କୃୃତ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଜିକିତ୍ସା ହେଲଥ କେୟାର ଲିମିଟେଡ଼ ପକ୍ଷରୁ ଓଡ଼ିଶା ମୁଖ୍ୟ, ସବ୍ୟସାଚୀ ବିଶ୍ୱାଳ କହିଛନ୍ତିଯେ, “ଗତ ମାସରେ ବାରିପଦାରୁ କଟକ ବଡ଼ ମେଡିକାଲକୁ ରୋଗୀ ନେଇ ଯାଉଥିବା ଡ୍ରାଇଭର ସମେତ ଅନ୍ୟ ଏକ କ୍ରିୟୁ ମେମ୍ବରଙ୍କୁ ମଦ ପିଇ ଗାଡ଼ି ଚଳାଇବା ଯୋଗୁଁ ଚାକିରୀରୁ ବହିଷ୍କାର କରାଯାଇଥିଲା। ଜିକିତ୍ସା ସର୍ବଦା ସୁରକ୍ଷିତ ରୋଗୀ ସ୍ଥାନାନ୍ତରକୁ ପ୍ରାଧାନ୍ୟ ଦେଇଆସିଛି । ତେଣୁ ଏଭଳି ବିଶୃଙ୍ଖଳିତ କାର୍ଯ୍ୟ କରିଥିବା ସେହି ଆମ୍ବୁଲାନ୍ସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଏଠାରେ ମୁଁ ଆପଣଙ୍କ ମାଧ୍ୟମରେ ଆମର କର୍ମଚାରୀମାନଙ୍କୁ ଅନୁରୋଧ କରୁଛି ଯେ, ନିଜର କର୍ତ୍ତବ୍ୟକୁ ସଠିକ୍ ଭାବରେ ସମ୍ପାଦନ କର ଓ ଏଭଳି କାର୍ଯ୍ୟରୁ ନିବୃତ ରୁହନ୍ତୁ । ସୁରକ୍ଷିତ ଏବଂ ସଠିକ୍ ସମୟରେ ରୋଗୀଙ୍କୁ ସେବା ଯୋଗାଇବା ହେଉଛି ଆମର ପ୍ରଥମ କର୍ତ୍ତବ୍ୟ ।”

Comments are closed.