ରୋଗୀ ନୁହେଁ ଶ୍ରମିକ – ୨ଟି ଆମ୍ବୁଲାନ୍ସ ଜବତ କଲା ଯାଜପୁର ପୋଲିସ

ଯାଜପୁର: ଏବେ ରୋଗୀ ସେବାରେ ଆମ୍ବୁଲାନ୍ସ ନୁହେଁ, ଶ୍ରମିକଙ୍କୁ ଭଡାରେ ନେଇ ଯାଉଛି ଆମ୍ବୁଲାନ୍ସ। ଏଭଳି ପୃଥକ ଘଟଣାରେ ୨ଟି ଆମ୍ବୁଲାନ୍ସକୁ ଜବତ କରିଛି ଯାଜପୁର ପୋଲିସ। କଟକରୁ ଏକ ଆମ୍ବୁଲାନ୍ସ ୧୬ଜଣ ଶ୍ରମିକଙ୍କୁ ନେଇ ପଶ୍ଚିମବଙ୍ଗ ମୁର୍ସିଦାବାଦ ଅଂଚଳକୁ ଯିବା ସମୟରେ ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ରଥିଆ ନିକଟରେ ଦୁର୍ଘଟଣାଗ୍ରସ୍ଥ ହୋଇଥିଲା। ଆହତମାନଙ୍କୁ ଆମ୍ବୁଲାନ୍ସ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରିବା ପରେ ଘଟଣା ସାମନାକୁ ଆସିଥିଲା। ଏହି ଦୁର୍ଘଟଣାରେ ୪ଜଣ ଶ୍ରମିକ କଟକ ସ୍ଥାନାନ୍ତର ହୋଇଥିବା ବେଳେ ୧୨ଜଣ ଶ୍ରମିକଙ୍କୁ ଜାରକା ସ୍କୁଲରେ ଥିବା ଆଶ୍ରୟ କେନ୍ଦ୍ରରେ ରଖାଯାଇଛି।

ଏହି ଶ୍ରମିକମାନଙ୍କୁ ୪୩ହଜାର ଟଙ୍କାରେ ଭଡା ସୂତ୍ରରେ ନେଇ ଛାଡିବାକୁ ଆମ୍ବୁଲାନ୍ସ ଡ୍ରାଇଭର ଜଣକ ଚୁକ୍ତି କରିଥିଲେ। ସେହିପରି ଅନ୍ୟଏକ ଘଟଣାରେ ଆଉ ଏକ ଆମ୍ବୁଲାନ୍ସ ପୋଲିସ ଯାଂଚ ସମୟରେ ଧରାପଡିଛି। ଏହି ଆମ୍ବୁଲାନ୍ସ ୪ଜଣ ଲୋକଙ୍କୁ ନେଇ ଭଦ୍ରକରୁ ଫେରୁଥିବା ବେଳେ ପୋଲିସ ହାତରେ ଧରାପଡିଥିଲା। ଉଭୟ ଆମ୍ବୁଲାନ୍ସ ଡ୍ରାଇଭରକୁ ଗିରଫ କରାଯିବା ସହ ଜାତୀୟ ରାଜପଥରେ କଡାକଡି ଯାଂଚ ଜାରି ରହିଥିବା କହିଛନ୍ତି ଯାଜପୁର ଏସଡିପିଓ ଚିନ୍ମୟ କୁମାର ନାୟକ। ତେବେ ଲକ ଡାଉନ ସମୟରେ କିଛି ଆମ୍ବୁଲାନ୍ସ ଡ୍ରାଇଭର ଭଡା ଅଧିକା ପାଇବା ଆଶାରେ ଏଭଳି କାଣ୍ଡ ଭିଆଉଥିବା ସାମନାକୁ ଆସିଛି।

Comments are closed.