ବିଶ୍ବକପ୍‌ରେ ୪ ନଂରେ ବ୍ୟାଟିଂ କରିବେ ରାୟୁଡୁ !

0

ନୂଆଦିଲ୍ଲୀ : କ୍ରିକେଟ୍‌ ବିଶ୍ବକପ୍‌ ନିମନ୍ତେ ଆଉ ଅଳ୍ପଦିନ ବାକି ଥିବା ବେଳେ ଭାରତୀୟ ଦଳ ତରଫରୁ ୪ନଂରେ କିଏ ବ୍ୟାଟିଂ କରିବ ସେଥିନେଇ କଳ୍ପନା ଜଳ୍ପନା ଲାଗି ରହିଛି। ୪ନଂ ସ୍ଥାନ ପାଇଁ କେଏଲ ରାହୁଲ, ଅମ୍ବାତି ରାୟୁଡୁ, ଶୁବମାନ୍ ଗିଲ୍‌, ଋଷଭ ପନ୍ତ୍‌ ଓ ମନୀଷ ପାଣ୍ଡେ ଦୌଡ଼ରେ ରହିଛନ୍ତି। ତେବେ ସମସ୍ତଙ୍କ ମଧ୍ୟରେ ଅମ୍ବାତି ରାୟୁଡୁ ଦୌଡ଼ରେ ଆଗୁଆ ଥିବା କୁହାଯାଉଛି। ନ୍ୟୁଜିଲାଣ୍ଡ ବିପକ୍ଷ ୫ମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ରାୟୁଡୁ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ୧୯୦ ରନ୍‌ ସଂଗ୍ରହ କରିଥିଲେ। ଏଥିସହ ଗତବର୍ଷ ଏସିଆ କପ୍‌ରେ ମଧ୍ୟ ରାୟୁଡୁ ଭଲ ବ୍ୟାଟିଂ କରିବା ସହ ୧୭୫ ରନ୍ ସଂଗ୍ରହ କରିଥିଲେ। ସେଥିମଧ୍ୟରେ ଦୁଇଟି ଅର୍ଦ୍ଧଶତକ ରହିଥିଲା। ଅନ୍ୟପକ୍ଷରେ ପନ୍ତ୍‌ ଓ ଗିଲ୍‌ଙ୍କୁ ମିଳିଥିବା ସୁଯୋଗକୁ ଏହି ଦୁଇ ଖେଳାଳି ଠିକ୍‌ ଭାବେ ଉପଯୋଗ କରିପାରିନଥିଲେ। ସେହିପରି ଏକ ଟେଲିଭିଜନ୍‌ କାର୍ଯ୍ୟକ୍ରମରେ ବିବାଦୀୟ ମନ୍ତବ୍ୟ ଦେବା ଅଭିଯୋଗରେ କେଏଲ୍‌ ରାହୁଲଙ୍କୁ ବାସନ୍ଦ କରାଯାଇଥିଲା। ସେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରୁ ବାଦ୍‌ ପଡ଼ିଥିଲେ। ତାଙ୍କ ଉପରୁ ବାସନ୍ଦାଦେଶ ଉଠିଥିଲେ ମଧ୍ୟ ବିଶ୍ବକପ୍‌ ନିମନ୍ତେ ତାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯିବା ନେଇ ସନ୍ଦେହ ରହିଛି।
ଭାରତୀୟ ଦଳ ତରଫରୁ ବିଶ୍ବକପ୍‌ରେ ରୋହିତ ଶର୍ମା ଓ ଶିଖର ଧାୱନ୍‌ ବ୍ୟାଟିଂ ଓପନ୍‌ କରିବା ନିଶ୍ଚିତ। ସେହିପରି ଦଳର ଅଧିନାୟକ ବିରାଟ କୋହଲି ୩ନଂରେ ବ୍ୟାଟିଂ କରିବାକୁ ଥିବାରୁ ୪ନଂରେ ରାୟୁଡୁ ବ୍ୟାଟିଂ କରିବାକୁ ସୁଯୋଗ ପାଇବା ସୁନିଶ୍ଚିତ ବୋଲି କ୍ରିକେଟ୍‌ ପଣ୍ଡିତମାନେ ମତ ଦେଇଛନ୍ତି।

Leave A Reply