ଅମରିନ୍ଦର ଗଢିବେ ନିଜର ରାଜନୈତିକ ଦଳ

୨୦୨୨ ପଞ୍ଜାବ ନିର୍ବାଚନରେ ଭାଜପା ସହିତ ଆସନ ବୁଝାମଣା ସମ୍ଭାବନା

ଚଣ୍ଡିଗଡଢ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନିଜସ୍ୱ ରାଜନୈତିକ ଦଳ ଗଠନ କରିବେ । ତାଙ୍କର ଗଣମାଧ୍ୟମ ପରାମର୍ଶଦାତା ରବିନ ଠୁକରାଲ ଏହି ଘୋଷଣା କରିଛନ୍ତି । ଏଥିସହିତ ଅମରିନ୍ଦରଙ୍କର ରାଜନୈତିକ ଭବିଷ୍ୟତକୁ ନେଇ ପ୍ରକାଶ ପାଉଥିବା କଳ୍ପନା ଜଳ୍ପନାରେ ଅନ୍ତ ଘଟିଛି । ସୂଚନାଯୋଗ୍ୟ ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ସେପ୍ଟେମ୍ବର ୧୮ରେ ଇସ୍ତଫା ଦେବାପରେ ଅମରିନ୍ଦର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ଏହାପରେ ସେ ଭାଜପାରେ ସାମିଲ ହେବା ନେଇ କେତେକ ମହଲରେ ଆଶା କରାଯାଉଥିଲା । କିନ୍ତୁ ସେ ତାହା ଖଣ୍ଡନ କରିଥିଲେ । ତାହାସହିତ କଂଗ୍ରେସ ଛାଡିବା କଥା ସ୍ପଷ୍ଟ କରିଥିଲେ ।
ମଙ୍ଗଳବାର ଦିନ ଅମରିନ୍ଦରଙ୍କ ଉକ୍ତିକୁ ଉଦ୍ଧାର କରି ଠୁକରାଲ କହିଛନ୍ତି ଯେ ସେ ନିଜର ଏକ ରାଜନୈତିକ ଦଳ ଖୁବଶୀଘ୍ର ଗଠନ କରିବାକୁ ଯାଉଛନ୍ତି । ପଞ୍ଜାବର ଭବିଷ୍ୟତ ପାଇଁ ଲଢେଇ ଜାରି ରହିଛି । ନିଜର ଏକ ରାଜନୈତିକ ଦଳ ଗଠନ କରି ସେ କୃଷକଙ୍କ ସମେତ ରାଜ୍ୟବାସୀଙ୍କର ସ୍ୱାର୍ଥରକ୍ଷା ଦିଗରେ କାର୍ଯ୍ୟ କରିବେ । ସେ ଆଉ ମଧ୍ୟ କହିଛନ୍ତି ଯେ କୃଷକଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ ସଂପ୍ରତି ଚାଲିଥିବା କୃଷକ ଆନ୍ଦୋଳନ ଯଦି ସମାଧାନ ହୋଇଯାଏ ତେବେ ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ ସେ ଭାଜପା ସହିତ ଆସନ ବୁଝାମଣା କରିବା ସମ୍ଭାବନା ରହିଛି । ଏଥିସହିତ ବିଭାଜିତ ଅକାଳି ଦଳର ଧିଣ୍ଡସା ଓ ବ୍ରହ୍ମପୁରା ଗୋଷ୍ଠୀ ଭଳି ସମଭାବାପନ୍ନ ଦଳଗୁଡିକ ସହିତ ମଧ୍ୟ ମେଣ୍ଟ କରିବା ବିଷୟ ମଧ୍ୟ ବିଚାର କରାଯାଉଛି । ଅମରିନ୍ଦରଙ୍କ ଉକ୍ତିକୁ ଉଦ୍ଧାର କରି ସେ କହିଛନ୍ତି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ପଞ୍ଜାବ ଅଧିବାସୀଙ୍କ ଭବିଷ୍ୟତ ସୁରକ୍ଷିତ ନକରିବା ପର୍ଯ୍ୟନ୍ତ ବିଶ୍ରାମ ନେବେ ନାହିଁ ବୋଲି କହିଛନ୍ତି । ପଞ୍ଜାବରେ ରାଜନୈତିକ ସ୍ଥିରତା ଏବଂ ଆଭ୍ୟନ୍ତରୀଣ ଓ ବାହ୍ୟ ବିପଦରୁ ଲୋକଙ୍କୁ ସୁରକ୍ଷା ଦିଆଯିବାର ଆବଶ୍ୟକତା ରହିଛି ।

Comments are closed.