ଏବେ ଯୁଦ୍ଧ ହେଲେ ଚୀନ୍‍ ଓ ରୁଷ୍‍ଠାରୁ ହାରିବ ଆମେରିକା

0

ୱାଶିଂଟନ୍‍ : ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାସନରେ ଆମେରିକାର ଜାତୀୟ ସୁରକ୍ଷା ବିପନ୍ନ ହୋଇଛି ଓ ସାମରିକ ଶକ୍ତି କ୍ଷେତ୍ରରେ ସଙ୍କଟ ସୃଷ୍ଟି ହୋଇଛି। ପରିସ୍ଥିତି ଏମିତି ହୋଇଛି ଯେ ଏବେ ଯୁଦ୍ଧ ହେଲେ ରୁଷ୍‍ ଓ ଚୀନ୍‍ଠାରୁ ଆମେରିକା ହାରିଯିବ। ଏଭଳି ରିପୋର୍ଟ ଦେଇଛନ୍ତି ଆମେରିକା କଂଗ୍ରେସର ଏକ ବିଶେଷଜ୍ଞ ଦଳ। ସରକାର ଏଥିପ୍ରତି ସତର୍କ ରହିବାକୁ ଏହି ବିଶେଷଜ୍ଞ ଦଳ ଚେତାଇ ଦେଇଛନ୍ତି। ସମ୍ପ୍ରତି ରୁଷ ଓ ଚୀନ୍‍କୁ ନେଇ ଚାଲିଥିବା ‘ବିରାଟ ଶକ୍ତି ପ୍ରତିଯୋଗିତା’ରେ ଟ୍ରମ୍ପଙ୍କ ନୂଆ ଜାତୀୟ ପ୍ରତିରକ୍ଷା ଯୋଜନା (ଏନ୍‍ଡିଏସ୍‍) ଯେମିତି ପଛରେ ପଡ଼ି ନ ଯାଏ ସେଥିପ୍ରତି ଗୁରୁତ୍ୱର ସହ ଧ୍ୟାନଦେବାକୁ ଜାତୀୟ ପ୍ରତିରକ୍ଷା ଯୋଜନା ଆୟୋଗ (ଏନ୍‍ଡିଏସ୍‍ସି)କୁ ବିଶେଷଜ୍ଞ ଦଳ ପରାମର୍ଶ ଦେଇଛନ୍ତି। ଏହି ବିଶେଷଜ୍ଞ ଦଳରେ ଉଭୟ ଡେମୋକ୍ରାଟ୍‍ ଓ ରିପବ୍ଲିକାନ୍‍ ଦଳର ପ୍ରାୟ ୧୨ଜଣ ପୂର୍ବତନ ଅଧିକାରୀ ସଦସ୍ୟ ଅଛନ୍ତି। ସେମାନେ ବିଶେଷ ଭାବେ ଆମେରିକାର ପ୍ରତିରକ୍ଷା ବଜେଟ ଖର୍ଚ୍ଚ କାଟ, ସାମରିକ ଉପଯୋଗିତା ହ୍ରାସ ଏବଂ ରୁଷ ଓ ଚୀନ୍‍ ପକ୍ଷରୁ ଆମେରିକାକୁ ନିଷ୍କ୍ରିୟ ତଥା ଦମିତ କରିବା ପାଇଁ ଚାଲିଥିବା ପ୍ରୟାସ ଉପରେ ରିପୋର୍ଟରେ ଆଲୋଚନା କରିଛନ୍ତି। ‘ବିଶ୍ୱରେ ପ୍ରଭାବ ବିସ୍ତାର କରିବା ଓ ଜାତୀୟ ସୁରକ୍ଷା ବଜାୟ ରଖିବା ପଛରେ ରହିଥିବା ଆମେରିକାର ସାମରିକ ସାମର୍ଥ୍ୟ କ୍ଷେତ୍ରରେ ଏବେ ଚିନ୍ତାଜନକ ଭାବେ ଅବକ୍ଷୟ ଲକ୍ଷ୍ୟକରାଯାଉଛି’ ବୋଲି ସେମାନେ ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି।
ଆମେରିକା କିଛି କାଳ ହେଲା ଅନ୍ୟ ଦୁଇ ରାଷ୍ଟ୍ର ତୁଳନାରେ ବିଭିନ୍ନ ସ୍ଥାନରେ ବିଦ୍ରୋହ ଦମନ, ସାଇବର ଓ ମହାକାଶ ଅଭିଯାନ, କ୍ଷେପଣାସ୍ତ୍ର ଓ ବୁଡ଼ାଜାହାଜ ତଥା ଭୂପୃଷ୍ଠ ଯୁଦ୍ଧ ପ୍ରସ୍ତୁତି କ୍ଷେତ୍ରରେ ପଛେଇ ଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। ଚୀନ୍‍ ଓ ରୁଷ୍‍ର ପ୍ରତିରୋଧ ପାଇଁ ଯେଉଁ ମାତ୍ରାରେ ଯୋଜନା ପ୍ରସ୍ତୁତି ହେବା କଥା କିମ୍ବା ଦକ୍ଷତାର ବିନିଯୋଗ ସହ ସାମରିକ ଅଭିଯାନ ହେବା କଥା ତାହା ହେଉ ନାହିଁ; ବରଂ ଶିଥିଳ ପଡ଼ିଯାଇଛି। ୨୦୧୧ଠାରୁ ଏ କ୍ଷେତ୍ରରେ ରାଜନୈତିକ ନେତୃତ୍ୱର ଦୁର୍ବଳତା ସ୍ପଷ୍ଟ ହୋଇଛି। ଉଭୟ ଦଳର ନେତାମାନେ ବଡ଼ ନିଷ୍ପତ୍ତି ନେବାରେ ନିଷ୍କ୍ରିୟ ରହିବା ଲକ୍ଷ୍ୟ କରାଯାଉଛି। ଏହା ଦ୍ୱାରା ଜାତୀୟ ସୁରକ୍ଷା ପ୍ରତି ସଂଶୟ ସୃଷ୍ଟି ହେଉଥିବା ରିପୋର୍ଟରେ ଦର୍ଶାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ୍‍କୁ ଏନ୍‍ଡିଏସ୍‍ ଆଉ ପୂର୍ବପରି ସଠିକ ମାର୍ଗଦର୍ଶନ କରୁ ନାହିଁ। ବିଭିନ୍ନ ପ୍ରସଙ୍ଗରେ ହେଉଥିବା ଅନୁଶୀଳନ ମଧ୍ୟ ଦୁର୍ବଳ ଥିବା ଲକ୍ଷ୍ୟକରାଯାଉଛି। ସାମ୍ପ୍ରତିକ ପରିସ୍ଥିତିରେ ବୃଦ୍ଧିପାଉଥିବା ଆହ୍ୱାନର ମୁକାବିଲା ପାଇଁ କୌଣସି ଯୋଜନା ମଧ୍ୟ ପ୍ରସ୍ତୁତ ହେଉ ନାହିଁ। ଏ କ୍ଷେତ୍ରରେ ବହୁ ପ୍ରଶ୍ନ ଅସମାହିତ ହୋଇ ରହୁଛି। ଏହି କାରଣରୁ ୟୁରୋପ ଓ ଏସିଆରେ ଆମେରିକାର ପ୍ରଭାବ ହ୍ରାସ ପାଉଛି କିମ୍ବା ଏଥିପ୍ରତି ଆହ୍ୱାନ ସୃଷ୍ଟିହେଉଛି। ଆମେରିକାର ସାମରିକ କ୍ଷମତା ପ୍ରତିକୂଳ ବାତାବରଣ ଦେଇ ଗତିକରୁଛି। ଏହା ଜାରି ରହିଲେ ଦେଶ ଘୋର କ୍ଷତିର ସମ୍ମୁଖୀନ ହେବା ନିଶ୍ଚିତ।
ଏଭଳି ପରିସ୍ଥିତିରେ ଚୀନ୍‍ କିମ୍ବା ରୁଷ୍‍ ସହିତ ଯୁଦ୍ଧ ହେଲେ ଆମେରିକାକୁ ବିଜୟ ପାଇଁ ଘୋର ସଂଗ୍ରାମ କରିବାକୁ ପଡ଼ିବ। କହିବାକୁ ଗଲେ ଆମେରିକା ହାରିଯାଇପାରେ; କାରଣ ଏକା ସମୟରେ ଦୁଇ ବା ଅଧିକ କ୍ଷେତ୍ରରେ ଲଢ଼ିବା ନେଇ ଏହାର ଦୁର୍ବଳତା ସମ୍ମୁଖକୁ ଆସିଲାଣି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହି ପରିପ୍ରେକ୍ଷୀରେ ଆମେରିକାର ପ୍ରତିରକ୍ଷା ବ୍ୟୟ ଅଟକଳ ବୃଦ୍ଧି କରିବାକୁ ପଡ଼ିବ। ବର୍ତ୍ତମାନ ଏହି ପରିମାଣ ୭୦୦ ବିଲିୟନ ଡଲାର ରହିଥିଲାବେଳେ ଏହା ଚୀନ୍‍ ଓ ରୁଷ୍‍ର ମିଳିତ ପ୍ରତିରକ୍ଷା ବ୍ୟୟ ଅଟକଳ ତୁଳନାରେ ଅଧିକ; କିନ୍ତୁ ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ନୁହେଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହାବ୍ୟତୀତ ପ୍ରତିରକ୍ଷା ବ୍ୟୟ ଅଟକଳରେ ନିୟମିତ ଭାବେ ୩ରୁ ୫ପ୍ରତିଶତ ବୃଦ୍ଧି କରାଯିବା ସହ ଅନ୍ୟ କେତେକ ସୁପାରିସ କରାଯାଇଛି।

Leave A Reply