କ୍ୟାନସର୍‌ ବା କର୍କଟକୁ ଭଲ କରେ ଖଡା ଶାଗ

 

ଖଡ଼ାଶାଗର କର୍କଟ ଆରୋଗ୍ୟକାରକ ଦକ୍ଷତା
କର୍କଟ ଏକ ମାରାତ୍ମକ ରୋଗ। ଏଥିରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିବା କଷ୍ଟକର। ବିଭିନ୍ନ ପ୍ରକାର କର୍କଟ ଆରୋଗ୍ୟକାରୀ ଚିକିତ୍ସା ଯଥା – ବିକିରଣ ଦ୍ୱାରା କ୍ୟାନସର୍‍ ରୋଗର କୋଷ ନଷ୍ଟ ଚିକିତ୍ସା, ୨-ଶଲ୍ୟ ଚିକିତ୍ସା, ୩-ହରମୋନ୍‍ ଚିକିତ୍ସା, ୪-ଔଷଧ ବା ରାସାୟନିକ ଦ୍ରବ୍ୟ ଦ୍ୱାରା ଚିକିତ୍ସା ଦ୍ୱାରା ମଧ୍ୟ ସ୍ଥାୟୀ ପ୍ରତିକାର ସମ୍ଭବପର ହେଉନାହିଁ। ତେଣୁ ଏହାର ନୂତନ ଚିକିତ୍ସା କିମ୍ବା ବୈକଳ୍ପିକ ଚିକିତ୍ସାର ଆବଶ୍ୟକତା ଅପରିହାର୍ଯ୍ୟ। କର୍କଟ ରୋଗର ବିକଳ୍ପ ଚିକିତ୍ସା ଏକ ବଡ଼ ଆହ୍ୱାନ। ଉଦ୍ଭିଦ ଜାତ ପଦାର୍ଥ ସମୂହର ଔଷଧ ଗୁଣକୁ ଆବିଷ୍କାର କରିବାର ସମୟ ଆସିଛି। କାରଣ ଉଦ୍ଭିଦଜାତ ଔଷଧ ଗୁଡ଼ିକ ନିରାପଦ, ଫଳପ୍ରଦ ଏବଂ ଶସ୍ତା ବିକଳ୍ପ ଅଟେ। ଏହା ସର୍ବରୋଗ ପ୍ରତିକାରକ ରୂପେ କାର୍ଯ୍ୟ କରିଥାଏ ବୋଲି ଆଧୁନିକ ଗବେଷଣାରୁ ଜଣାପଡ଼ିଛି।

ସାମ୍ପ୍ରତିକ ଗବେଷଣାରୁ ଉପଲବ୍ଧ ଯେ ଖଡ଼ାଶାଗର କେତେଗୁଡ଼ିଏ ପ୍ରଜାତିର ଉକୃଷ୍ଟ କର୍କଟ ନାଶକ ପଦାର୍ଥ ଅଛି। ଅର୍ଥାତ୍‍ ଏହି ରାସାୟନିକ ପଦାର୍ଥ ସମୂହର ଆଣ୍ଟି-ପ୍ରୋଲିଫେରଟିଭ୍‍ ଗୁଣ କ୍ୟାନସର୍‍ କୋଷକୁ ନଷ୍ଟ କରିବାର ଦକ୍ଷତା ରହିଛି। ତେଣୁ ଖଡ଼ାଶାଗର କର୍କଟ ରୋଗନାଶକାରୀ ଗୁଣ ବିଷୟରେ ସମସ୍ତେ ଜାଣିବା ଜରୁରୀ।

ବୈଜ୍ଞାନିକ ଶ୍ରେଣୀ ବିଭାଗ ଅନୁସାରେ ଖଡ଼ାଶାଗର ଉଦ୍ଭିଦ ବିଜ୍ଞାନ ନାମ ହେଉଛି ‘ଆମାରନ୍ଥସ୍‍’। ଆମାରନ୍ଥସ୍‍ ଏକ ବିଶ୍ୱବ୍ୟାପୀ ଜେନସ୍‍। ଏହା ଏକ ଉଦ୍ଭିଦ। ଖଡ଼ାଶାଗର ପ୍ରାୟ ୬୦-୭୦ଟି ପ୍ରଜାତି ରହିଛି। ସେଥିମଧ୍ୟରୁ ପ୍ରାୟ ୪୦ଟି ଆମେରିକାର ଜନ୍ମଗତ ପ୍ରଜାତି। ଭାରତରେ ପ୍ରାୟ ୬ଟି ଜନ୍ମଗତ ପ୍ରଜାତି ରହିଛି। ଖଡ଼ାଶାଗର ଭିନ୍ନ ଭିନ୍ନ ପ୍ରଜାତିର ଚମତ୍କାର ଆଣ୍ଟି-କ୍ୟାନସର୍‍ ଏଜେଣ୍ଟ ରହିଛି। ସେଗୁଡ଼ିକ ହେଲା ଯଥା –
୧. ଖଡ଼ାଶାଗର ମଞ୍ଜିରେ ପତ୍ର ଅପେକ୍ଷା ଅଧିକ ‘ସ୍କାଲିନ’ ଆଣ୍ଟି-କର୍କଟ ପଦାର୍ଥ ରହିଛି। ଏହା ଆମାରନ୍ଥସ ଟ୍ରାଇକଲର (କ୍ରୋମସୋନ୍‍ ସଂଖ୍ୟା ୨ଏନ = ୩୪) ଏବଂ ଆମାରନ୍ଥସ କୃୟନ୍‍ଟସ୍‍ (କ୍ରୋମସୋମ୍‍ ସଂଖ୍ୟା ୨ଏନ=୩୪) ପ୍ରଜାତିରୁ ମିଳେ। ଖଡ଼ାଶାଗରେ ଥିବା “ସ୍କାଲିନ୍‍” ଏକ ଫ୍ୟାଟି ଅମ୍ଳ ରାସାୟନିକ ପଦାର୍ଥ। ଏହା କର୍କଟ ବିରୋଧ ଶକ୍ତି ଗୁଣଯୁକ୍ତ।

୨. ଆମାରନ୍ଥସ ହାଇପୋଇକାଡ଼୍ରିଆକସ୍‍ ମଞ୍ଜିରେ ଥିବା ପେପ୍‍ଟାଇଡ଼୍‍ ଲୁନାସିନ୍‍ ରସାୟନିକ ପଦାର୍ଥର ମଧ୍ୟ ଆଣ୍ଟି-କର୍କଟ ଗୁଣ ରହିଛି। ଏହା ଏକ ଏନ୍‍ଜାଇମ୍‍ ସାଇକ୍ଳୋଅକ୍ସିଜେନେଜ୍‍ର କ୍ରିୟାଶୀଳ କର୍ମଠତା ନିଷେଧରୁ ପ୍ରମାଣିତ ହୋଇଛି (୨୦୧୪).

୩. ଆମାରନ୍ଥସର ପତ୍ରରେ ଏକ ନୂତନ ଟେଟ୍ରାନେଇବ୍‍ ଫ୍ୟାଟି ଅମ୍ଳ ରାସାୟନିକ ପଦାର୍ଥ ରହିଛି। ଏହା ବ୍ୟକ୍ତିର କଲିଜା କର୍କଟ ସେଲ୍‌ଫ ଗୁଡ଼ିକର ବୃଦ୍ଧିରେ ଅସାଧାରଣ ବାଧା ସୃଷ୍ଟିକରି, କ୍ୟାନସର୍‍ କୋଷର ମୃତ୍ୟୁହାର ଘଟାଇବା ପକ୍ରିୟାକୁ ସାବ୍ୟସ୍ତ କରି, କଲିଜା କର୍କଟ ରୋଗକୁ ହ୍ରାସ କରେ ବୋଲି ଗବେଷଣାରୁ ପ୍ରମାଣିତ (୨୦୧୬)।

୪. ଆମାରନ୍ଥସ ପାନିକୁଲଟାସ୍‍ ପତ୍ରର ରସରେ ଦୃଢ ଆଣ୍ଟି-ଟ୍ୟୁମର ପଦାର୍ଥ ରହିଛି। ଏହା ଟ୍ୟୁମର ଜୀବକୋଷର ଓଜନ ଓ ଆୟତନରେ ଉଲ୍ଲେଖନୀୟ ଅବନତି ଆଣିଛି ବୋଲି ଗବେଷଣାରୁ ଜଣାପଡ଼ିଛି (୨୦୧୬)।

୫. ଆମାରନ୍ଥସ ହାଇବ୍ରିଡ଼ିସ୍‍ (କୋମସୋନ୍‍ ସଂଖ୍ୟା ୨ଏନ୍‍ = ୩୨) ଓ ଆମାରନ୍ଥସ ଲିଭିଡ଼ସ ପ୍ରଜାତିର କାଣ୍ଡ ରସରେ ଥିବା ଆଣ୍ଟି-କର୍କଟ ଏଜେଣ୍ଟ ଜୀବକୋଷର ଦିଗନ୍ତରେ ଟ୍ୟୁମର-ନାଶକ ଜିନ୍‍-ପି-୩୫ର ସଂଖ୍ୟାବୃଦ୍ଧି କରି, କୋଷନାଶକ ପ୍ରକ୍ରିୟା ପ୍ରତିଷ୍ଠିତ କରି, କର୍କଟ ରୋଗକୁ ପ୍ରତିରୋଧ କରିଥାନ୍ତି।

୬. ଆମାରନ୍ଥସ କାୟଡ଼ାଟସ୍‍ (କୋମସୋମ୍‍ ସଂଖ୍ୟା ୨ଏନ୍‍ = ୩୨) ଏବଂ ଆମାରନ୍ଥସ ହାଇବ୍ରିଡ଼ସ୍‍ (କ୍ରେମସୋମ୍‍ ସଂଖ୍ୟା ୨ଏନ୍‍=୩୨) ସ୍ପେସିଜ୍‍ ଗୁଡ଼ିକର ପତ୍ରରେ ଶକ୍ତିଶାଳୀ ଆଣ୍ଟିକ୍ୟାନ୍‍ସର ପଦାର୍ଥ ରହିଛି। ସେହି ରାସାୟନିକ ମଲିକ୍ୟୁଲ ଗୁଡ଼ିକ, କର୍କଟ କୋଷ ଗୁଡ଼ିକର ସଂଖ୍ୟା ବୃଦ୍ଧି ହ୍ରାସକରି, ବିଷାକ୍ତ ନ୍ୟୁଟ୍ରାଲ ଏନ୍‍ଜାଇମ ଗୁଡ଼ିକୁ ସୁରକ୍ଷା ଯୋଗାଇ, କର୍କଟରୋଗକୁ ଦମନ କରିବାରେ ବିଶେଷ ସହାୟକ (୨୦୧୬)।

୭. ଆମାରନ୍ଥସ କୃୟନ୍‍ଟସ୍‍ ପ୍ରଜାତିର ମଞ୍ଜି, ପତ୍ର ଓ କାଣ୍ଡରୁ ଉଦ୍ଧୃତ ରସରେ ଥିବା ପ୍ରୋଟିନ୍‍ ଏବଂ ପେପ୍ଟାଇଡ଼୍‍ ମଲିକ୍ୟୁଲ୍‍ ଗୁଡ଼ିକର କର୍କଟ ରୋଗକୁ ପ୍ରତିହତ କରିବାରେ ବଳିଷ୍ଠ ଦକ୍ଷତା ଅଛି।

ଖାଦ୍ୟତତ୍ତ୍ୱ ଉତ୍ତମ ସ୍ୱାସ୍ଥ୍ୟ ଗଠନ ଓ ଶରୀରର ଜିନ୍‍ ପ୍ରକାଶରେ ବିଶେଷ ଉପକାରୀ। ଖଡ଼ାଶାଗର ଶକ୍ତି ସମ୍ପନ୍ନ ଗୁଣ ଗୁଡ଼ିକ ହେଲା –

୧. ଏହା ଏକ ପୋଷକ ତତ୍ତ୍ୱ, ସ୍ୱାସ୍ଥ୍ୟ ଅନୁକୂଳ, ନ୍ୟୁଟ୍ରାସିୟଟିକାଲ୍‍ ପରିବା ଖାଦ୍ୟ;

୨. ଏହା ଏକ ପୁଷ୍ଟିକର ଓ ଇମ୍ୟୁନିଟି ଦ୍ରବ୍ୟର ଗନ୍ତାଘର।

୩. ବ୍ୟକ୍ତିର ଉତ୍ତମ ସ୍ୱାସ୍ଥ୍ୟ ବଜାଇ ରଖିବାରେ ଏହାର ବୃହତ୍ତର ଶକ୍ତି ଅଛି।

୪. ଅମାରନ୍ଥସ ପ୍ରଜାତି ଗୁଡ଼ିକର ଜିନୀୟ ବିବର୍ତ୍ତନ ଅଭିପ୍ରାୟ ସ୍ୱାଭାବିକ ଓ ବଳିଷ୍ଠ। ସେଥିପାଇଁ ଏହି ପରମ୍ପରାଗତ ଶସ୍ୟର କର୍କଟ ଆରୋଗ୍ୟକାରୀ ଗୁଣ ଅତି ମହତ୍‍ ଓ ଆଶ୍ଚର୍ଯ୍ୟଜନକ।

୫. ଏହାର ଆଣ୍ଟିଅକ୍ସିଡ଼ାଣ୍ଟ, ପୋଲିଫେନୋଲିକ୍‍ ଯୌଗିକ ପଦାର୍ଥ ଓ ଆଣ୍ଟି-କର୍କଟ କର୍ମଠତା (ଆକ୍ଟିଭିଟ୍‍) ଅତି ବଳିଷ୍ଠ।

୬. ଖଡ଼ାଶାଗ ଏକ ଉଜ୍ଜ୍ୱଳ ଭବିଷ୍ୟତ ସମ୍ପନ୍ନ ପରମ୍ପରାଗତ ପରିବା ଏବଂ ସୁଷମ ଖାଦ୍ୟ।

ତେଣୁ ଏହା ଆମର ନିୟମିତ ଖାଦ୍ୟପେୟରେ ସାମିଲ ହେବା ଉଚିତ୍‍। କର୍କଟ ରୋଗ ସମସ୍ୟାର ସମାଧାନ ପାଇଁ ଖଡ଼ାଶାଗର ଉପଯୋଗିତା ଅତ୍ୟନ୍ତ ଜରୁରୀ। ପ୍ରତ୍ୟେହ ଉପଯୁକ୍ତ ପରିମାଣର ସିଝା ଖଡ଼ାଶାଗ ଓ ସୁପ୍‍ ଭୋଜନରେ ସାମିଲ୍‍ କରି ନିରୋଗ ସୁସ୍ଥ ଏବଂ ଦୀର୍ଘାୟୁ ଜୀବନ ଉପଭୋଗ କରନ୍ତୁ।
ଡ. ଗୌରାଙ୍ଗ ଚରଣ ସ୍ୱାଇଁ
ବି/ଏଲ୍‍ – ୫୪, ଭି.ଏସ୍‍.ଏସ୍‍ ନଗର
ଭୁବନେଶ୍ୱର – ୭୫୧୦୧୦
ମୋ– ୯୪୩୮୦୭୭୩୨୯

Comments are closed.