ପଞ୍ଜାବୀ ଗାୟକ ଅମନ୍‍ଦୀପ୍‍ ସିଂହଙ୍କ ବିରୋଧରେ ବଳାତ୍କାର ଅଭିଯୋଗ

0

ନୂଆଦିଲ୍ଲୀ : ନିକଟରେ ‘ରେସ୍‍ ୩’ରେ ଗୀତ ଗାଇଥିବା ପଞ୍ଜାବୀ ଗାୟକ ଅମନଦୀପ୍‍ ସିଂହ ଙ୍କ ବିରୋଧରେ ବଳାତ୍କାରର ଅଭିଯୋଗ ଆସିଛି। ଇଭେଣ୍ଟ୍‍ ମ୍ୟାନେଜ୍‍ମେଣ୍ଟ୍‍ ସହ ଜଡ଼ିତ ଜଣେ ମହିଳା ଏହି ଗାୟକଙ୍କ ନାଁ’ରେ ବଳାତ୍କାର ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ଅମନଦୀପ୍‍ ତାଙ୍କୁ ଚାକିରି କରାଇଦେବାର ଆଶା ଦେବା ସହ ବିବାହ ପ୍ରସ୍ତାବ ମଧ୍ୟ ଦେଇଥିଲେ। ଏହି ଅଭିଯୋଗ ଆସିବା ପରେ ଦିଲ୍ଲୀ ମେହରୌଲୀ ଥାନାରେ ମାମଲା ରୁଜୁ କରାଯାଇଛି।
ମହିଳାଙ୍କ ଅଭିଯୋଗ ଅନୁସାରେ, ଅମନଦୀପ୍‍ ସିଂହଙ୍କ ସହ ତାଙ୍କର ଏକ ପାଞ୍ଚ ତାରକା ହୋଟେଲ୍‍ରେ ଇଭେଣ୍ଟ୍‍ ସମୟରେ ଦେଖା ହୋଇଥିଲା। ମାତ୍ର କିଛି କ୍ଷଣର ଦେଖା ପରେ ଅମନଦୀପ୍‍ ତାଙ୍କୁ ନିଜ ପଞ୍ଜାବୀ ଆଲ୍‍ବମ୍‍ରେ କାମ ଦେବାର ପ୍ରତିଶ୍ରୁତି ଦେଇଥିଲେ। ଏହି ସମୟରେ ଦୁହେଁ ଦୁହିଁଙ୍କୁ ନିଜ ନିଜର ଫୋନ୍‍ ନମ୍ବର ଦେଇଥିଲେ। ଏହିପରି କିଛି ଥର ଦେଖା ହେବାପରେ ଅମନ୍‍ଦୀପ୍‍ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ। ପରେ ମହିଳା ଜାଣିବାକୁ ପାଇଥିଲେ ଯେ ସେ ବିବାହିତ। ସେ ଏ ବିଷୟରେ ଅମନ୍‍ଦୀପ୍‍ଙ୍କୁ ପଚାରିଥିଲେ, ହେଲେ ଅମନ୍‍ ଉତ୍ତର ଦେବା ପରିବର୍ତ୍ତେ ମହିଳା ଓ ତାଙ୍କ ମାଆ ହୁହିଁଙ୍କ ନମ୍ବରକୁ ବ୍ଲକ୍‍ କରି ଦେଇଥିଲେ। ମହିଳା ଜଣକ ତାଙ୍କୁ ଭେଟିବାକୁ ମଧ୍ୟ ବହୁତ ଚେଷ୍ଟା କରିଥିଲେ ହେଲେ ବିଫଳ ହୋଇଥିଲେ। ପୁଲିସ ନିକଟରେ ଅଭିଯୋଗ କରିବା ପରେ ଅମନ୍‍ଦୀପ୍‍ ତାଙ୍କ କ୍ୟାରିୟର ନଷ୍ଟ କରିଦେବାର ଧମକ୍‍ ଦେଇଥିବା ମହିଳାଙ୍କ ପରିବାର ଅଭିଯୋଗ କରିଛନ୍ତି। ଦିଲ୍ଲୀର ମେହରୌଲୀ ଥାନାରେ ଅମନ୍‍ଙ୍କ ନାଁ’ରେ ବଳାତ୍କାର ଅଭିଯୋଗରେ ମାମଲା ରୁଜୁ କରାଯାଇଛି ହେଲେ ଗିରଫଦାରୀ ଏଡ଼େଇବା ପାଇଁ ଅମନ୍‍ ଆଗୁଆ ଜାମିନ୍‍ କରାଇନେଇଥିବା ଜଣାପଡ଼ିଛି।

Leave A Reply