ସାଉଦି ଆରବର ସାମ୍ବାଦିକଙ୍କୁ ହତ୍ୟା

0

ଇସ୍ତାନବୁଲ : ସାଉଦି ଆରବର ଜଣେ ସାମ୍ବାଦିକଙ୍କୁ ତୁର୍କୀର ରାଜଧାନୀ ଇସ୍ତାନବୁଲସ୍ତିତ ସାଉଦି ଆରବ ଦୂତାବାସ ମଧ୍ୟରେ ହତ୍ୟା କରାଯାଇଛି। ହତ୍ୟାର ଶିକାର ସାମ୍ବାଦିକ ଜଣଙ୍କ ହେଉଛନ୍ତି ଜମାଲ ଖାସୋଗି। ସେ ‘ୱାଶିଂଟନ ପୋଷ୍ଟ’ରେ ସାମ୍ବାଦିକ (କଣ୍ଟ୍ରିବୁଟର) ଭାବେ କାମ କରୁଥିଲେ। ତୁର୍କୀର ତଦନ୍ତକାରୀ ଅଧିକାରୀମାନେ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଦର୍ଶାଇଥିବାବେଳେ ସାଉଦି ଆରବ ଏହାକୁ ଅଗ୍ରାହ୍ୟ କରିଛି। ସାଉଦି ଆରବ କହିଛି ଯେ ତୁର୍କୀ ତଦନ୍ତକାରୀଙ୍କ ଦାବି ଭିତ୍ତିହୀନ। ଜମାଲ ଆତ୍ମ ନିର୍ବାସନ ପୂର୍ବକ ଆମେରିକାରେ ରହିଆସୁଥିଲେ। ସେ ସାଉଦି ସରକାରଙ୍କ ବିରୋଧରେ ବିଭିନ୍ନ ଲେଖା ପ୍ରକାଶ କରିଆସୁଥିଲେ। ଗତ ମଙ୍ଗଳବାର ତୁର୍କୀସ୍ଥିତ ସାଉଦି ଆରବ ଦୂତାବାସକୁ ପରିଦର୍ଶନରେ ଯାଇଥିଲେ। ସାଉଦି ଦୂତାବାସକୁ ପରିଦର୍ଶନରେ ଯାଇ ସେ ନିଖୋଜ ହେବା ପରେ ଚାରିଆଡ ଚର୍ଚ୍ଚା ହୋଇଥିଲା। ଏହି ଘଟଣା ପରେ ସାଉଦି ଆରବ ଓ ତୁର୍କୀ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଏହି ଘଟଣା ପରେ ‘ୱାଶିଂଟନ ପୋଷ୍ଟ’ ସମ୍ପାଦକୀୟ ପୃଷ୍ଠାର ସମ୍ପାଦକ ଫ୍ରେଡ ହିଆତ ଲେଖିଛନ୍ତି ‘ଜମାଲଙ୍କ ହତ୍ୟା ଯଦି ସତ ହୋଇଥାଏ; ତେବେ ଏହା ଅତ୍ୟନ୍ତ ଦାରୁଣ ଓ ନିନ୍ଦନୀୟ କାର୍ଯ୍ୟ।’ ଜମାଲ ଜଣେ ସାହସୀ ସାମ୍ବାଦିକ ଥିଲେ ବୋଲି ଫ୍ରେଡ ଲେଖିଛନ୍ତି। ତାଙ୍କର ଦେଶ ପ୍ରତି ପ୍ରେମ ଓ ମାନବଜାତିର ସ୍ୱାଧୀନତା ଓ ସମ୍ମାନ ପ୍ରତି ବିଶ୍ୱାସ ଥିଲା ବୋଲି ଲେଖାଯାଇଛି।

Leave A Reply