ଆମ ଗାଁ ଆମ ବିକାଶ ;୧୬୩ ପଞ୍ଚାୟତ ପାଇଁ ୩୮.୮୬କୋଟି ମଞ୍ଜୁର

0

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୬ଟି ଜିଲାର ୧୬୩ଟି ପଞ୍ଚାୟତ ପାଇଁ ୩୮.୮୬କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ସଂପୃକ୍ତ ଜିଲାର ୮ଟି ବ୍ଲକରେ ୧୪୮୦ଟି ପ୍ରକଳ୍ପ କରାଯିବ। ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟର ୨୧୮ଟି ବ୍ଲକର ୪୭୩୮ଟି ପଞ୍ଚାୟତର ଜନସାଧାରଣଙ୍କ ସହ ଆଲୋଚନା କରି ୪୩,୪୧୨ଟି ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଏ ବାବଦରେ ସେ ୧୦୭୩.୪୯କୋଟି ଟଙ୍କା ମଞ୍ଜୁର କରିଛନ୍ତି।
ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲା ଘଟଗାଁ ବ୍ଲକର ୨୦ଟି ପଞ୍ଚାୟତ ପାଇଁ ୬.୦୧କୋଟି ଟଙ୍କାର ୧୬୦ଟି ପ୍ରକଳ୍ପ, ସହରପଡ଼ା ବ୍ଲକର ୨୦ଟି ପଞ୍ଚାୟତ ପାଇଁ ୪.୮୦କୋଟି ଟଙ୍କାର ୧୫୦ଟି, କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକର ୩୧ଟି ପଞ୍ଚାୟତ ପାଇଁ ୮.୧୮କୋଟି ଟଙ୍କାର ୩୧୦ଟି, ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକର ୨୪ଟି ପଞ୍ଚାୟତ ପାଇଁ ୬କୋଟି ଟଙ୍କାର ୨୬୯ଟି, ଖୁଣ୍ଟା ବ୍ଲକର ୧୪ଟି ପଞ୍ଚାୟତ ପାଇଁ ୩.୫୦ କୋଟି ଟଙ୍କାର ୧୨୫ଟି, ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକର ୧୭ଟି ପଞ୍ଚାୟତ ପାଇଁ ୩କୋଟି ଟଙ୍କାର ୧୮୭ଟି, ସମ୍ବଲପୁର ଜିଲା ନାକଟିଦେଉଳି ବ୍ଲକର ୧୪ଟି ପଞ୍ଚାୟତ ପାଇଁ ୩.୧୨କୋଟି ଟଙ୍କାର ୧୫୭ଟି ପ୍ରକଳ୍ପ ଏବଂ ଖୋର୍ଦ୍ଧା ଜିଲା ଚିଲିକା ବ୍ଲକର ୧୭ଟି ପଞ୍ଚାୟତ ପାଇଁ ୪.୨୫କୋଟି ଟଙ୍କାର ୧୨୨ଟି ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି।
ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ମଞ୍ଜୁର କରୁଛନ୍ତି। ଏହି କାର୍ଯ୍ୟକ୍ରମ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୂହିକ କାର୍ଯ୍ୟାନ୍ୱୟନ ଓ ସ୍ୱଚ୍ଛ ପ୍ରଶାସନର ଶ୍ରେଷ୍ଠ ଉଦାହରଣ ହୋଇପାରିଛି। ସୂଚନାଯୋଗ୍ୟ ଯେ ଆଜିର ଏହି କାର୍ଯ୍ୟକ୍ରମରେ ପ୍ରାୟ ଦେଢ଼ଲକ୍ଷରୁ ଅଧିକ ଲୋକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରିପରିଷଦ ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave A Reply