ଅଲୱର ଗୋଷ୍ଠୀବଦ୍ଧ ଆକ୍ରମଣ ଜନିତ ହତ୍ୟା ମାମଲା : ରାଜସ୍ଥାନ ବାହାରକୁ ଶୁଣାଣି ସ୍ଥାନାନ୍ତର ଦାବି

0

ନୂଆଦିଲ୍ଲୀ : ଅଲୱର ଗୋଷ୍ଠୀବଦ୍ଧ ଆକ୍ରମଣ ପୂର୍ବକ ପିଟିପିଟି ଜଣେ ବ୍ୟକ୍ତିଙ୍କୁ ହତ୍ୟା ସମ୍ବନ୍ଧୀୟ ମାମଲାର ଶୁଣାଣି ରାଜସ୍ଥାନ ବାହାରର କୌଣସି କୋର୍ଟକୁ ସ୍ଥାନାନ୍ତର କରିବା ନିମନ୍ତେ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଛି। ହତ୍ୟାର ଶିକାର ହୋଇଥିବା ରକବର୍‍ ଖାନଙ୍କ ପିତା ତଥା ଘଟଣାର ମୁଖ୍ୟ ସାକ୍ଷୀଙ୍କ ପକ୍ଷରୁ କରାଯାଇଥିବା ଏହି ଆବେଦନ ଉପରେ ଶୁଣାଣି କରିବା ନିମନ୍ତେ ସର୍ବୋଚ୍ଚ ଅଦାଲତ ସହମତି ଦେଇଛନ୍ତି। ସ୍ଥାନୀୟ ଜଣେ ବିଜେପି ବିଧାୟକ ତଦନ୍ତକୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛନ୍ତି। ଏଣୁ ସ୍ୱଚ୍ଛ ଏବଂ ନିରପେକ୍ଷ ତଦନ୍ତ ପାଇଁ ଅଦାଲତଙ୍କ ଦ୍ୱାରା ପରିଚାଳିତ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ଉଲ୍ଲେଖ ଯେ ୨୮ ବର୍ଷ ବୟସ୍କ ରକବରଙ୍କୁ ଗାଈ ଚୋର ବୋଲି ସନ୍ଦେହ କରି କେତେକ ତଥାକଥିତ ଗୋରକ୍ଷକ ତାଙ୍କୁ ଜୁଲାଇ ୨୦ ରାତିରେ ସମୁହ ଆକ୍ରମଣ ପୂର୍ବକ ପିଟିପିଟି ହତ୍ୟା କରିଥିଲେ। ଘଟଣାସ୍ଥଳରୁ ପୁଲିସ ୩ ଜଣଙ୍କୁ ଗିରଫ କରିଥିଲା। ପୁଲିସ ଏହାର ୨୫ ପୃଷ୍ଠା ସମ୍ବଳିତ ଅଭିଯୋଗଫର୍ଦରେ ଅଭିଯୁକ୍ତ ଦର୍ଶାଯାଇଥିବା ଅନ୍ୟ ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ ଶୁକ୍ରବାର ଗିରଫ କରିଥିଲା।

Leave A Reply