ହାରିବା ପାଇଁ ଓଏସି ଦାୟୀ: କଂଗ୍ରେସ

ପାଟନା: ନିର୍ବାଚନ ଫଳାଫଳ ନେଇ କଂଗ୍ରେସ ନିଜର ଦୁର୍ବଳତା ସମ୍ପର୍କରେ ଆତ୍ମସମୀକ୍ଷା କରିବା ପରିବର୍ତ୍ତେ ଏଆଇଏମ୍‌ଆଇଏମ୍‌ ନେତା ତଥା ହାଇଦରାବାଦ ସାଂସଦ ଆସାଦୁଦ୍ଦିନ ଓଏସୀଙ୍କୁ ଦୋଷାରୋପ କରିଛି। ତାଙ୍କ ଯୋଗୁଁ ମହାଗଠବନ୍ଧନର ଭୋଟ ବିଭାଜନ ଘଟିଲା ଏବଂ ଏହା ଆଶନୁରୂପ ଫଳ ପାଇବାରୁ ବଞ୍ଚିତ ହେଲା ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଧର୍ମ ନିରପେକ୍ଷ ଦଳଗୁଡ଼ିକ ଏଥିପ୍ରତି ସତର୍କ ରହିବାକୁ କଂଗ୍ରେସ ଚେତାଇ ଦେଇଛି। ଦଳର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ କହିବାନୁଯାୟୀ, ଓଏସୀ ହେଉଛନ୍ତି ‘ଭୋଟ୍‌ କଟର’। ବିଜେପି ତାଙ୍କୁ ମହାଗଠବନ୍ଧନର ଭୋଟ କାଟିବା ପାଇଁ ଚତୁରତାର ସହିତ ବ୍ୟବହାର କରିଥିଲା। ଓଏସୀଙ୍କ ଦଳ ମୁସଲମାନ ଅଧ୍ୟୁଷିତ ସୀମାଞ୍ଚଳ ଅଞ୍ଚଳର ୧୪ଟି ଆସନରେ ପ୍ରାର୍ଥୀ ଦେଇଥିଲାବେଳେ ସେଥିରୁ ୫ଟିରେ ବିଜୟୀ ହେବା ସହ କଂଗ୍ରେସର ଆଶା ଧୂଳିସାତ୍‌ କରିଦେଇଥିଲା। ଓଏସିଙ୍କ ଦଳ ପ୍ରଥମ ଥର ବିହାରରେ ଖାତା ଖୋଲିବା ଅଧିକ ଗୁରୁତ୍ବପୂର୍ଣ୍ଣ ମନେ ହୁଏ।

Comments are closed.