ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଘୋଟାଲା ଅଭିଯୋଗ

ଉପଜିଲାପାଳଙ୍କ ନିର୍ଦ୍ଦେଶକୁ ବେଖାତିର, ବଢୁଛି ଅସନ୍ତୋଷ

ଟିଟିଲାଗଡ଼ : ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବ ପରିବାରଙ୍କୁ ମାସକୁ ମାସ ରିହାତି ମୂଲ୍ୟରେ ଚାଉଳ, ଗହମ ଓ କିରାସିନ ଦେବାର ଯୋଜନା ରହିଛି। ହେଲେ ଯୋଜନା ନେଇ ଖୋଦ ସରପଞ୍ଚ ଅନ୍ଧାରରେ। ଉପଜିଲାପାଳ ସୋମେଶ ଉପାଧ୍ୟାୟ ଗତ ସେପଟେମ୍ବର ୧୫ରେ ପତ୍ର ସଂଖ୍ୟା ୩୩୫୧ ଅନୁସାରେ ୨୦୧୭ ଏପ୍ରିଲ ମାସରୁ ଏପର୍ଯ୍ୟନ୍ତ ୫ଟି ବ୍ଲକର ବିଭିନ୍ନ ପଞ୍ଚାୟତରେ ପିଡିଏସ ସାମଗ୍ରୀ ବଣ୍ଟନ ସଂପର୍କରେ ସମସ୍ତ ସୂଚନା ୭ ଦିନ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ। କିନ୍ତୁ ନିର୍ଦ୍ଦେଶନାମାକୁ ଦେଖିବା ଦୂରେ ଥାଉ, କେହି ଏହାର ଜବାବ ଦେବାକୁ କି ତଥ୍ୟ ଦେବାକୁ ଟିକିଏ ବି ଆଗ୍ରହ ଦେଖାଇ ନାହାନ୍ତ।

ହିତାଧିକାରୀଙ୍କୁ ଟଙ୍କିକିଆ ଚାଉଳ ପଞ୍ଚାୟତ ଜରିଆରେ ବଣ୍ଟନ ପାଇଁ ୨୦ ପଇସା ଦରରେ ଯୋଗାଇ ଦିଆଯାଉଛି। ତାହାକୁ ହିତାଧିକାରୀଙ୍କୁ ୧ ଟଙ୍କାରେ ବିକ୍ରୟ କରି ପଞ୍ଚାୟତକୁ କେଜି ପ୍ରତି ୮୦ ପଇସା ଲାଭ ହେଉଛି। ଅପରପକ୍ଷରେ ଖାଲି ଚାଉଳ ବସ୍ତା ପ୍ରତି ୨୦ ଟଙ୍କା ଦରରେ ବିକ୍ରୟ ହୋଇ ପଞ୍ଚାୟତ ଲାଭ ଅର୍ଜନ କରୁଛି। ଲାଭାଂଶ ପଞ୍ଚାୟତ ବୈଠକରେ ଅନୁମୋଦନ ସହ ଉନ୍ନୟନ କାର୍ଯ୍ୟରେ ପାଇଁ ଖର୍ଚ୍ଚ ହୋଇପାରନ୍ତା। ହେଲେ ଏସବୁ ଲାଭ ନେଇ ହିସାବ ନିକାଶ ସରପଞ୍ଚଙ୍କ ଗୋଚରକୁ ଅଣାଯାଉନାହିଁ। ଏହିକ୍ରମରେ ବିଜେପୁର ସରପଞ୍ଚ ସୁଚିତ୍ରା ନାଗ ଉପଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପିଡିଏସ ଚାଉଳ, ଗହମ ବଣ୍ଟନରୁ ମିଳୁଥିବା ଅର୍ଥକୁ ତାଙ୍କ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଯୋଗାଣ ସହାୟକ ମିଶି ହଡପ କରିଛନ୍ତି। ସରକାରୀ ନିୟମକୁ ଅଣଦେଖା କରି ବର୍ଷ ବର୍ଷ ଧରି ପିଡିଏସରୁ ଆଦାୟ ଅର୍ଥ ବ୍ୟାଙ୍କରେ ଜମା କରିନାହାନ୍ତି। ଉପଜିଲାପାଳଙ୍କ ତାଗିଦ ପରେ ମଧ୍ୟ ଏହି ରାଶିକୁ ପଞ୍ଚାୟତ ବୈଠକର ବିନା ଅନୁମୋଦନରେ ଓ ସରପଞ୍ଚଙ୍କ ଅଗୋଚରରେ ମନ ଇଚ୍ଛା ଖର୍ଚ୍ଚ ଦେଖାଇଛନ୍ତି। ଏପରିକି ଅସ୍ଥାୟୀ କର୍ମଚାରୀଙ୍କୁ ଡିସେମ୍ବର ମାସ ସରି ନଥିବା ବେଳେ ଏଡଭାନ୍ସ ପେମେଣ୍ଟ ଦେଇଥିବା ଦେଖାଇଛନ୍ତି। ଏଭଳି ଲକ୍ଷ ଲକ୍ଷ ଟଙ୍କାର ଅନିୟମିତତାର ତଦନ୍ତ ସହ ପଞ୍ଚାୟତବାସୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସରପଞ୍ଚ, ଉପଜିଲାପାଳଙ୍କୁ ଗୁହାରି କରିଛନ୍ତି।

ଗତ ସେପଟେମ୍ବର ୧୧ରେ ଖୋଲାନ ସରପଞ୍ଚ ସାରଦାବାଇ ଅଗ୍ରୱାଲ ସରପଞ୍ଚ ପଦ ଗ୍ରହଣ କରିବା ପର ଠାରୁ ପିଡିଏସର ହାନି ଲାଭ କିଛି ଜାଣି ପାରୁନଥିବା ତଥା ପଚାରିଲେ ମଧ୍ୟ ପଞ୍ଚାୟତ ନିର୍ବାହୀ ଅଧିକାରୀ କିମ୍ବା ଯୋଗାଣ ସହାୟକ କହୁନଥିବା ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ୩ ମାସ ପରେ ମଧ୍ୟ କୌଣସି ତଥ୍ୟ ସରପଞ୍ଚ ଶ୍ରୀମତି ଅଗ୍ରୱାଲଙ୍କୁ ଦିଆଯାଉ ନଥିବା ଜଣାପଡିଛି। ଅପରପକ୍ଷରେ ପିଡିଏସ ହିତାଧିକାରୀଙ୍କ ତାଲିକା ସାର୍ବଜନୀନ କରାଯାଉନଥିବା ତଥା ନିର୍ବାଚିତ ସରପଞ୍ଚଙ୍କୁ ମଧ୍ୟ ଦେଖିବାକୁ ଦିଆଯାଉ ନଥିବା, ହାନିଲାଭ ଗୁପ୍ତ ରଖାଯିବା ପଞ୍ଚାୟତି ବ୍ୟବସ୍ଥା ପ୍ରତି କୁଠାରଘାତ ବୋଲି ଟିଟିଲାଗଡ ବ୍ଲକ ସରପଞ୍ଚ ସଂଘ ସଭାପତି ବିରବର ସାହୁ କହିଛନ୍ତି। ଜିଲାପାଳ କ୍ଷମତା ପ୍ରାପ୍ତ ସରପଞ୍ଚ ଏହି ବ୍ୟବସ୍ଥାର ଆଦିଅନ୍ତ ନପାଇବା ଦୁର୍ଭାଗ୍ୟପୁର୍ଣ୍ଣ ବୋଲି ରାଜ୍ୟ ସରପଞ୍ଚ ସଂଘ କାର୍ଯ୍ୟକାରି ସଭାପତି ହରିନାରାୟଣ ମିଶ୍ର ତଦନ୍ତ ଦାବି କରିଛନ୍ତି। ବିଜେପୁର ପଞ୍ଚାୟତ ସରପଞ୍ଚଙ୍କ ଅଭିଯୋଗ ନେଇ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜେଶ ଭାତ୍ରାଙ୍କୁ ଯୋଗାଯୋଗ କରିବାରୁ ଆଗରୁ ପିଡିଏସ ସମ୍ବନ୍ଧୀୟ ଟଙ୍କା ହାତରେ ରଖି ଆସିବା ଚଳି ଆସୁଥିଲା। ଯାହା ଖର୍ଚ୍ଚ ଦେଖାଯାଇଛି ସବୁ ଠିକ ଅଛି ବୋଲି କହିଛନ୍ତି। ଯୋଗାଣ ସହାୟକ ପ୍ରଶାନ୍ତ ବଗର୍ତ୍ତିଙ୍କୁ ପଚାରିବାରୁ ମୁଁ ଚାଉଳ, ଗହମ ବିକି ସବୁ ତକ ଟଙ୍କା ନିୟମିତ ଭାବରେ ନିର୍ବାହି ଅଧିକାରୀଙ୍କୁ ଦେଇ ଦେଉଥିଲି। ସେ ବ୍ୟାଙ୍କରେ ଜମା କଲେ କି କଣ କଲେ ତାହା ଜାଣି ନାହିଁ ବୋଲି କହିଛନ୍ତି।

Comments are closed.