ଆଠଗଡ କଲେଜରେ କ୍ରୀଡା ପ୍ରତି ଅବହେଳା ଅଭିଯୋଗ

ଆଠଗଡ :  ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ କଲେଜରେ କ୍ରୀଡା ପ୍ରତି ଅବହେଳା ପ୍ରଦର୍ଶନ କରାଯାଉଥିବା ଏବଂ କ୍ରୀଡା ପ୍ରଶିକ୍ଷକ ନିଜ କର୍ତ୍ତବ୍ୟରେ ଗୁରୁତର ଅବହେଳା ପ୍ରଦର୍ଶନ କରୁଥିବା ନେଇ ଆଠଗଡର ଯୁବ କ୍ରୀଡାବିତ୍‍ମାନେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ କଲେଜର ପୁରାତନ ଛାତ୍ର ତଥା କ୍ରୀଡା ପ୍ରତି ରୁଚି ରଖୁଥିବା କ୍ରୀଡାବିତ୍‍ କଲେଜ ପରିଚାଳନା ପରିଷଦ ସଭାପତି ତଥା ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ କରିବା ସହ ଅନୁରୁପ ଭାବେ କଲେଜ ଅଧ୍ୟକ୍ଷ ଡଃ ଲୋକନାଥ ସାହୁଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଗୋପବନ୍ଧୁ ବିଜ୍ଞାନ କଲେଜରେ କାର୍ଯ୍ୟରତ କ୍ରୀଡା ପ୍ରଶିକ୍ଷକ ଛାତ୍ରଛାତ୍ରୀଙ୍କୁ କୌଣସି କ୍ରୀଡାରେ ତାଲିମ ଦେଉନଥିବା ଏବଂ କଲେଜରେ ନିୟମିତ କୌଣସି ଖେଳ ହେଉନଥିବା ସେମାନେ ଅଭିଯୋଗ କରିଛନ୍ତି। ଏଥିସହିତ ସଂପୃକ୍ତ କ୍ରୀଡା ପ୍ରଶିକ୍ଷକ ବେଆଇନଭାବେ ଦୀର୍ଘଦିନ ଧରି କଲେଜରେ ଅନୁପସ୍ଥିତ ରହିବା ଏବଂ ୨ବର୍ଷ ପୂର୍ବରୁ କଲେଜ ପକ୍ଷରୁ ବାହାରେ ହୋଇଥିବା ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଯାତାୟତ ଓ ଖାଇବା ଖର୍ଚ୍ଚ ଦେଇନଥିବା ଅବିଯୋଗ କରାଯାଇଛି। ନିଜେ କ୍ରୀଡା ପ୍ରଶିକ୍ଷକ ବାହାରକୁ ଖେଳିବା ପାଇଁ ଯାଉଥିବା ଛାତ୍ରଛାତ୍ରୀଙ୍କ ସହ ନଯାଇ ନିଜ ଘରେ ରହୁଥିବାରୁ ଛାତ୍ରଛାତ୍ରୀମାନେ ନିଜ ସୁରକ୍ଷାରେ ବାହାରକୁ ଖେଳିବାକୁ ଯାଉଛନ୍ତି। ଏହିପରି ଅନେକ ଗୁରୁତ୍ୱର ଅଭିଯୋଗ କ୍ରୀଡା ପ୍ରଶିକ୍ଷକଙ୍କ ନାମରେ ଆସିଥିବାରୁ ଏ ସଂପର୍କରେ କଲେଜ ଅଧ୍ୟକ୍ଷ ଡଃ ସାହୁଙ୍କୁ ତାଙ୍କ ପ୍ରତିକ୍ରିୟା ପଚରା ଯାଇଥିଲା। କେତେକ ଅଭିଯୋଗ ସତ୍ୟ ବୋଲି ଅଧ୍ୟକ୍ଷ ସ୍ୱୀକାର କରିବା ସହ ସଂପୃକ୍ତ କ୍ରୀଡା ପ୍ରଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‍ ଜାରି କରାଯାଇଥିଲେ ମଧ୍ୟ ସେ ତାର ଉତ୍ତର ଦେଉନାହାଁନ୍ତି । ତେଣୁ ତାଙ୍କର ଗତ ଦୁଇମାସର ଦରମା ବନ୍ଦ କରାଯାଇଥିବା ଅଧ୍ୟକ୍ଷ ଡଃ ସାହୁ କହିବା ସଙ୍ଗେ ସଙ୍ଗେ ଆବଶ୍ୟକ ପଡିଲେ ପରିଚାଳନା ପରିଷଦର ଅନୁମୋଦନକ୍ରମେ କ୍ରୀଡା ପ୍ରଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

Comments are closed.