ସବୁ ଭାରତୀୟ କ୍ରିକେଟରଙ୍କ କୋଭିଡ୍‌ ରିପୋର୍ଟ ନେଗେଟିଭ୍ : ହୋଟେଲରେ ପରିବାର ଲୋକଙ୍କ ସହ ରହିବାର ଅନୁମତି

ଚେନ୍ନଇ : ଫେବୃଆରୀ ୫ରୁ ଏଠାରେ ଭ୍ରମଣକାରୀ ଇଂଲଣ୍ଡ କ୍ରିକେଟ୍‌ ଦଳ ବିପକ୍ଷରେ ଭାରତୀୟ ଦଳ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ ଖେଳିବା ପାଇଁ ଭାରତୀୟ ଦଳର ଖେଳାଳି ଚେନ୍ନଇରେ ଏକାଠି ହୋଇଛନ୍ତି। ଉଭୟ ଭାରତ ଓ ଇଂଲଣ୍ଡର ଖେଳାଳି ଲିଲା ପ୍ୟାଲେସ୍ ହୋଟେଲରେ ରହୁଛନ୍ତି। ଏଠାରେ ଉଭୟ ଦଳଙ୍କୁ ୫ ଦିନ ସଂଗରୋଧରେ ରହିବାକୁ ପଡ଼ିବ। ଉଭୟ ଦଳଙ୍କୁ ଫେବୃଆରୀ ୨ରୁ ଅଭ୍ୟାସ କରିବାକୁ ମିଳିବ। ଗୁରୁବାର ସମସ୍ତ ଭାରତୀୟ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କର ଆର୍‌ଟି-ପିସିଆର୍ ପରୀକ୍ଷା କରା ଯାଇଥିଲା। ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ସେମାନଙ୍କର ଆଉ ୨ ରାଉଣ୍ଡ କୋଭିଡ୍‌ ପରୀକ୍ଷା କରାଯିବ। ୩ଟିଯାକ ପରୀକ୍ଷାର ରିପୋର୍ଟ ଯାହାର ନେଗେଟିଭ୍ ଆସିବ; ସେମାନଙ୍କୁ କେବଳ ଅଭ୍ୟାସର ଅନୁମତି ମିଳିବ। ଏବେ ଭାରତୀୟ ଖେଳାଳି ସେମାନଙ୍କ ହୋଟେଲ ରୁମ୍‌ରେ ଶାରୀରିକ ଅଭ୍ୟାସ କରୁଛନ୍ତି। ରୁମ୍‌ରେ ଖେଳାଳି ସେମାନଙ୍କ ପରିବାର ଲୋକଙ୍କ ସହ ରହିବାର ଅନୁମତି ବିସିସିଆଇ ଦେଇଛି। ଅଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, ଋଦ୍ଧିମାନ ଶାହା ଓ ହାର୍ଦିକ ପାଣ୍ଡ୍ୟାଙ୍କ ପରିବାର ଲୋକ ରହୁଛନ୍ତି। ଆଇପିଏଲ୍‌ ଖେଳିବା ପରେ ଭାରତୀୟ କ୍ରିକେଟର ୟୁଏଇରୁ ସିଧା ଅଷ୍ଟ୍ରେଲିଆ ଯାଇଥିଲେ। ପ୍ରାୟ ୫ ମାସ ପରେ ଖେଳାଳି ଭାରତ ଫେରିଥିବାରୁ ସେମାନଙ୍କ ସହ ପରିବାର ଲୋକଙ୍କୁ ସହ ରହିବାର ଅନୁମତି ମିଳିଛି। ଫଳରେ ଖେଳାଳିଙ୍କୁ ମାନସିକ ଆଶ୍ବସ୍ତି ମିଳିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

Comments are closed.