ପ୍ରବାସୀ ଶ୍ରମିକଙ୍କୁ ସହାୟତା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ – ଶାହ

ସମାଜ ପୋର୍ଟାଲ ଡେସ୍କ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଦେଶବ୍ୟାପୀ ଗ୍ରହଣ କରାଯାଇଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି। ସେ କହିଛନ୍ତି ଯେ ଲକଡାଉନ ସମୟରେ ପ୍ରବାସୀ ଶ୍ରମିକମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବା ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ। ଲକଡାଉନ ସମୟରେ ପ୍ରବାସୀ ଶ୍ରମିକମାନେ ସେମାନଙ୍କ ନିଜ ରାଜ୍ୟକୁ ଫେରିଯିବାକୁ ଚାହୁଁଛନ୍ତି ଏବଂ ଏଭଳି ପ୍ରୟାସ ଜାରି ରଖିଛନ୍ତି। ତେଣୁ ସେମାନଙ୍କ ପାଇଁ ତୁରନ୍ତ ସହାୟତା ଯୋଗାଇ ଦେବା ନିମନ୍ତେ ସହାୟତା ଶିବିର ପ୍ରତିଷ୍ଠା କରିବା ନିମନ୍ତେ କେନ୍ଦ୍ର ଗୃହ ସଚିବ ରାଜ୍ୟଗୁଡ଼ିକୁ ଅନୁରୋଧ କରି ପତ୍ର ଲେଖିଛନ୍ତି। ପ୍ରବାସୀ ଶ୍ରମିକଙ୍କୁ ଯଥାସମ୍ଭବ ସହାୟତା କରିବା ଲାଗି ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।

ରାଜପଥ ଦେଇ ପ୍ରବାସୀ ଶ୍ରମିକମାନେ ଗୃହରାଜ୍ୟ ଅଭିମୁଖେ ଯାତ୍ରା କରୁଥିବାରୁ ସେଠାରେ ସହାୟତା ଶିବିର ପ୍ରତିଷ୍ଠା କରିବା ଲାଗି ରାଜ୍ୟଗୁଡ଼ିକୁ କୁହାଯାଇଛି। ସେମାନଙ୍କ ରହିବା ପାଇଁ ସୁବିଧା ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଛି। ଯାହାଫଳରେ ସେମାନେ ଲକଡାଉନ ସମୟରେ ସେଠାରେ ରହିପାରିବେ। ସାମାଜିକ ଦୂରତା, ଯଥେଷ୍ଟ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସ୍ୱତନ୍ତ୍ର ସଙ୍ଗରୋଧ ଏବଂ ଡାକ୍ତରଖାନାରେ ଭର୍ତ୍ତି ହେବା ସୁବିଧା ସହିତ ଏସବୁ ଆଶ୍ରୟସ୍ଥଳୀ ନିର୍ମାଣ କରିବା ଲାଗି କୁହାଯାଇଛି। ଏହି ବ୍ୟବସ୍ଥା ନିମନ୍ତେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଅର୍ଥ ବିନିଯୋଗ କରିବା ଲାଗି ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ କ୍ଷମତା ଦିଆଯାଇଛି।

Comments are closed.