ମୁହାଁମୁହିଁ କଥା ହେବେ ମୋଦୀ – ଜିନ୍‍ପିଙ୍ଗ୍‍: ଏଜେଣ୍ଡାରେ ନାହିଁ କାଶ୍ମୀର ପ୍ରସଙ୍ଗ

ନୂଆଦିଲ୍ଲୀ: ଚୀନ୍‍ ରାଷ୍ଟ୍ରପତି ସି. ଜିନ୍‍ପିଙ୍ଗ୍‍ଙ୍କ ଭାରତ ଗସ୍ତ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତାମିଲ୍‍ନାଡ଼ୁର ମାମ୍‍ଲାପୁରମ୍‍ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍‍ ରାଷ୍ଟ୍ରପତିଙ୍କ ମଧ୍ୟରେ ଆସନ୍ତାକାଲି ଓ ପରଦିନ ଦ୍ୱିତୀୟ ଅଣଆନୁଷ୍ଠାନିକ ଶିଖର ବୈଠକ ଅନୁଷ୍ଠିତ ହେବ। ଚୀନ୍‍ ସହ ଥିବା ପୁରାତନ ସାଂସ୍କୃତିକ ଓ ବାଣିଜ୍ୟିକ ସମ୍ପର୍କକୁ ଆହୁରି ଅଧିକ ସୁଦୃଢ଼ କରିବା ଓ ଭାରତର ବିବିଧତାର ପ୍ରଦର୍ଶନ ଲକ୍ଷ୍ୟରେ ଏହି ଶିଖର ବୈଠକକୁ ଦିଲ୍ଲୀ ପରିବର୍ତ୍ତେ ମାମ୍‍ଲାପୁରମ୍‍ରେ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ଚେନ୍ନାଇର ବିଭିନ୍ନ ସ୍ଥାନ ଓ ଶିଖର ବୈଠକ ହେବାକୁ ଥିବା ଅଞ୍ଚଳରେ ୧୦ ହଜାରରୁ ଅଧିକ ପୁଲିସ୍‍ କର୍ମଚାରୀଙ୍କୁ ମୁତୟନ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଏକ ସ୍ୱତନ୍ତ୍ର ବିମାନରେ ଚେନ୍ନାଇରେ ପହଞ୍ଚିବେ। ସେଠାରୁ ସେ ହେଲିକପ୍ଟର ଯୋଗେ ମାମ୍‍ଲାପୁରମ୍‍ ଯିବେ। ଚୀନ୍‍ ରାଷ୍ଟ୍ରପତି ଆସନ୍ତାକାଲି ଅପରାହ୍ଣରେ ଚେନ୍ନାଇରେ ଆସି ପହଞ୍ଚିବେ ଓ ସେଠାରୁ ଏକ ହୋଟେଲ୍‍କୁ ଯିବେ। ଏହାପରେ ସେହି ହୋଟେଲ୍‍ରୁ ସେ ଶିଖର ବୈଠକ ସ୍ଥାନକୁ ଯିବେ। ଶନିବାର ଦିନ ଦୁଇ ନେତାଙ୍କ ମଧ୍ୟରେ ମୁହାଁମୁହିଁ କଥାବାର୍ତ୍ତା ହେବ ଓ ଏହାପରେ ଏକ ସୀମିତ ପ୍ରତିନିଧି ମଣ୍ଡଳସ୍ତରୀୟ ଆଲୋଚନା ହେବ। ଦ୍ୱିପକ୍ଷୀୟ ବାଣିଜ୍ୟ, ପ୍ରତିରକ୍ଷା ସମ୍ପର୍କ, ଏସୀୟ ସୁରକ୍ଷା ଢାଞ୍ଚା, ସନ୍ତ୍ରାସବାଦ ଓ ଆନ୍ତର୍ଜାତିକ ସହଯୋଗ ଆଦି ପ୍ରସଙ୍ଗ କଥାବାର୍ତ୍ତାରେ ସ୍ଥାନ ପାଇବା ଆଶା କରାଯାଉଛି। ହେଲେ ଆଲୋଚନାରେ କାଶ୍ମୀର ପ୍ରସଙ୍ଗ ସ୍ଥାନ ପାଇବ ନାହିଁ ବୋଲି ଜଣାପଡିଛି।

Comments are closed.