ପ୍ରଥମରୁ ୮ମ ସବୁ ପାସ୍‌, ସରକାରଙ୍କ ଆପାତତଃ ନିଷ୍ପତ୍ତି

ଭୁବନେଶ୍ଵର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଆଉ ସ୍କୁଲ ଖୋଲିବା ସମ୍ଭବ ନୁହେଁ। ପରୀକ୍ଷା ବି ହୋଇପାରିବନି। ତେଣୁ ପ୍ରଥମରୁ ୮ମ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ପାସ୍‌ କରିବାକୁ ରାଜ୍ୟ ସରକାର ଆପାତତଃ ନିଷ୍ପତ୍ତି ନେଇଛନ୍ତି ବୋଲି ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମକୁ କହିଛନ୍ତି। କିନ୍ତୁ ଏ ସମ୍ପର୍କରେ ବିଧିବଦ୍ଧ ନିଷ୍ପତ୍ତି ହୋଇନାହିଁ।

ସୂଚନାଯୋଗ୍ୟ, ଗତବର୍ଷ କରୋନା ମହାମାରୀ ଯୋଗୁ ପାଠପଢ଼ା ହୋଇପାରି ନ ଥିଲା। ପୂରା ଶିକ୍ଷାବର୍ଷ ପ୍ରଭାବିତ ହୋଇଥିଲା। ଦୀର୍ଘ ଦିନ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଥିଲା। ଅନ୍‌ଲାଇନ କ୍ଲାସ ହୋଇଥିଲେ ହେଁ ତାହା ପିଲାଙ୍କ ପାଇଁ ପର୍ଯ୍ୟାପ୍ତ ନ ଥିଲା। କିଛିଦିନ ତଳେ ସରକାର ୯ମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ।

ଏବେ ପୁଣି ଥରେ କରୋନା ଫେରୁଥିବାରୁ କୋମଳମତି ଛାତ୍ରଛାତ୍ରୀଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଗତବର୍ଷ ଭଳି ଏଥର ବି ପରୀକ୍ଷା ନ କରି କ୍ଲାସ ପ୍ରମୋସନ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। କେବଳ ନବମ, ଦଶମ ଛାତ୍ରଛାତ୍ରୀଙ୍କ କ୍ଲାସ ଚାଲୁଥିବାରୁ ସେମାନେ ଅଫଲାଇନ୍‌ ପରୀକ୍ଷା ଦେବେ ବୋଲି ଜଣାଯାଇଛି।

Comments are closed.