ମଙ୍ଗଳବାର ବିଭିନ୍ନ ଦଳର ନେତାଙ୍କ ସହ ବାଚସ୍ପତିଙ୍କ ବୈଠକ

0

ନୂଆଦିଲ୍ଲୀ : ଜୁଲାଇ ୧୮ରୁ ଆରମ୍ଭ ହେବାକୁ ଯାଉଥିବା ମୌସୁମୀ ଅଧିବେଶନ କାର୍ଯ୍ୟ ସୁରୁଖୁରୁରେ ଚଳାଇବା ଲାଗି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ବିଭିନ୍ନ ଦଳର ନେତାଙ୍କ ସହିତ ମଙ୍ଗଳବାର ରାତ୍ରିଭୋଜନକାଳୀନ ବୈଠକରେ ଆଲୋଚନା କରିବେ। ପୂର୍ବରୁ ମଞ୍ଜୁରୀ ଅପେକ୍ଷାରେ ପଡିରହିଥିବା ଗୁରୁତ୍ୱପୂର୍ଣ୍ଣ ବିଲ୍‍ଗୁଡିକୁ ଏହି ଅଧିବେଶନରେ ପାସ୍‍ କରାଇବା ନିମନ୍ତେ ଗୃହ କାର୍ଯ୍ୟ ଶାନ୍ତିପୂର୍ଣ୍ଣ ଭାବେ ଚାଲିବାରେ ସହଯୋଗ କରିବାକୁ ସେ ସମ୍ପୃକ୍ତ ନେତାମାନଙ୍କୁ ନିବେଦନ କରିବେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ଦାବିକୁ ନେଇ ରାଜନୈତିକ ଦଳଗୁଡିକର ହଟ୍ଟଗୋଳ ଯୋଗୁ ଏପ୍ରିଲରେ ବଜେଟ୍‍ ଅଧିବେଶନ ସମ୍ପୂର୍ଣ୍ଣ ଧୋଇଯାଇଥିଲା। ୨୦୦୦ ପରଠାରୁ ଏହା ସବୁଠାରୁ କମ୍‍ କାର୍ଯ୍ୟ ହୋଇଥିବା ବଜେଟ୍‍ ଅଧିକେଶନ ଥିଲା। ଏହାକୁ ଦୃଷ୍ଟିରେ ରଖି ଆଗାମୀ ଅଧିବେଶନ ସଫଳ କରିବାକୁ ମହାଜନ ଉଦ୍ୟମ ଚଳାଇଛନ୍ତି। ଏହା ପୂର୍ବରୁ ମହାଜନ ବିଭିନ୍ନ ଦଳର ନେତାମାନଙ୍କୁ ଭାବପ୍ରବଣପୂର୍ଣ୍ଣ ଚିଠି ଲେଖି ସଂସଦୀୟ କାର୍ଯ୍ୟ ଚଳାଇବା ନେଇ ସେମାନଙ୍କ ନୈତିକ ଦାୟିତ୍ୱ ସମ୍ବନ୍ଧରେ ହୃଦବୋଧ କରାଇଥିଲେ। ଉଲ୍ଲେଖ ଯେ ମାତ୍ର ୧୮ ଦିନ ପାଇଁ ବସିବାକୁ ଯାଉଥିବା ଏହି ଅଧିବେଶନରେ ୬ଟି ଅଧ୍ୟାଦେଶ, ୬୦ରୁ ଊର୍ଦ୍ଧ୍ବ ବିଲ୍‍ ସଂସଦରେ ପାରିତ ହେବା ଅପେକ୍ଷାରେ ରହିଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି।

Leave A Reply