ସର୍ବଦଳୀୟ ବୈଠକକୁ ଆସିଲେନି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ସରକାରଙ୍କ ପକ୍ଷରୁ ଆହୂତ ଏହି ସର୍ବଦଳୀୟ ବୈଠକରେ ୩୧ଟି ଦଳରୁ ୪୨ଜଣ ନେତା ଯୋଗ ଦେଇଥିଲେ। ତେବେ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁପସ୍ଥିତ ରହିବାକୁ ନେଇ ବିରୋଧୀ ଦଳଗୁଡିକ ପକ୍ଷରୁ ପ୍ରଶ୍ନ ଉଠାଯାଇଛି। ବିରୋଧୀଙ୍କ ପ୍ରଶ୍ନ ଉପରେ ଜବାବ ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଥିଲେ ଯେ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହିବାର ପରମ୍ପରା ମୋଦୀ ଆରମ୍ଭ କରିଥିଲେ । ଏହା ପୂର୍ବରୁ କେବଳ ସଂସଦୀୟ ବ୍ୟାପାର ମନ୍ତ୍ରୀ ସରକାରଙ୍କ ପକ୍ଷରୁ ବୈଠକରେ ଉପସ୍ଥିତ ରହୁଥିଲେ। ତେଣୁ ପ୍ରଧାନମନ୍ତ୍ରୀ ଏହି  ବୈଠକକୁ ଆସି ନପାରିବା ଆପତ୍ତିଜନକ ନୁହେଁ। ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ କହିଥିଲେ ଯେ ଆମେ ଆଶା କରିଥିଲୁ ଯେ ବୈଠକକୁ ମୋଦୀ ଆସିବେ ଓ କୃଷି ବିଧେୟକ ନେଇ ଆମେ ତାଙ୍କ ଠାରୁ ମତାମତ ଲୋଡିଥାନ୍ତୁ। ବୈଠକରେ ଅଧିକାଂଶ ବିରୋଧୀ ଦଳ ପେଗାସସ୍ ଗୁଇନ୍ଦା କାର୍ଯ୍ୟ, ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ଉପରେ ଆଲୋଚନା କରିବାକୁ ଦାବି କରିଥିଲେ। ତୃଣମୂଳ କଂଗ୍ରେସ ପକ୍ଷରୁ ସୁଦୀପ ବନ୍ଦୋପାଧ୍ୟାୟ ଓ ଡେରେକ ଓବ୍ରାଏନ୍‌ ବିଏସ୍‌ଏଫର କାର୍ଯ୍ୟ ପରିସର ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ। ବୈଠକରେ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ସର୍ବଦଳୀୟ ବୈଠକରେ ଅନେକ ପ୍ରସଙ୍ଗ ଉଠାଯାଇଛି। ବିଶେଷକରି ଦରଦାମ୍ ବୃଦ୍ଧି, ତୈଳଦର ବୃଦ୍ଧି, କୃଷକଙ୍କ ସମସ୍ୟା ଓ ନିଶ୍ଚିତ ଏମଏସପି ଆଇନ ଆଦି ଆଲୋଚନା ହୋଇଛି। କରୋନା ମହାମାରୀରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ ନେଇ ବିରୋଧୀ ଦଳଗୁଡିକ ଦାବି କରିଛନ୍ତି। ସେହିପରି ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି ଯେ ବିରୋଧୀ ଦଳଗୁଡିକ ପକ୍ଷରୁ ଅନେକ ପ୍ରସ୍ତାବ ଆସିଛି। ସରକାର ଏ ସବୁ ପ୍ରସଙ୍ଗରେ ନିୟମ ଅନୁଯାୟୀ ଆଲୋଚନା କରିବାକୁ ପ୍ରସ୍ତୁତ। ତେବେ ବିରୋଧୀ ଦଳଗୁଡିକ ଏହାକୁ ନେଇ ବିଶୃଙ୍ଖଳା କରିବା ଉଚିତ୍ ନୁହେଁ। ସରକାର ଆଶା କରିଛନ୍ତି ଯେ ଶୀତ ଅଧିବେଶନରେ ଭଲ ଆଲୋଚନା ହେବ।
ରବିବାର ବୈଠକ ଅଧାରୁ ଆମ୍ ଆଦମୀ ପାର୍ଟି (ଆପ୍‌) ନେତା ସଞ୍ଜୟ ସିଂହ ଉଠି ପଳାଇ ଯାଇଥିଲେ। ସେ କୃଷକଙ୍କ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ନିଶ୍ଚିତ ଲାଗି ବିଧେୟକ ଆଗତ କରିବାକୁ କହିଥିଲେ। ମାତ୍ର ତାଙ୍କୁ କହିବାକୁ ସୁଯୋଗ ଦିଆଯାଇ ନଥଲା। ସଞ୍ଜୟ କହିଛନ୍ତି ଯେ ସରକାର କାହାକୁ କିଛି କହିବାକୁ ସୁଯୋଗ ଦେଉ ନାହାନ୍ତି; ତେଣୁ ଏହି ସର୍ବଦଳୀୟ ବୈଠକର କିଛି ମାନେ ନାହଁ। ଆଜିର ବୈଠକରେ କଂଗ୍ରେସରୁ ମଲ୍ଲିକାର୍ଜୁନ ଖଡଗେ, ଅଧୀର ରଞ୍ଜନ ଚୌଧୁରୀ ଓ ଆନନ୍ଦ ଶର୍ମା, ଡିଏମକେର ଟିଆର ବାଲୁ ଓ ତିରୁଚି ଶିବା, ଏନସିପିର ଶରଦ ପୱାର, ସମାଜବାଦୀ ପାର୍ଟିର ରାମଗୋପାଳ ଯାଦବ, ଶିବସେନାର ବିନାୟକ ରାଉତ, ବିଏସପିର ସତୀଶ ମିଶ୍ର, ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ ଓ ଏନସିପିର ଫାରୁକ ଅବଦୁଲା ପ୍ରମୁଖ ଉପସ୍ଥିତ ଥିଲେ। ନଭେମ୍ବର ୨୯ (ସୋମବାର) ଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୨୩ରେ ଶେଷ ହେବ।

Comments are closed.