ରାଜ୍ୟପାଳଙ୍କ ଅଭିଭାଷଣ, ପ୍ରଶ୍ନକାଳରେ ହୋଇପାରିବନି ହଟ୍ଟଗୋଳ

ବିଧାନସଭା ପୂର୍ବରୁ ସର୍ବଦଳୀୟ ବୈଠକରେ ବାଚସ୍ପତିଙ୍କ ନିଷ୍ପତ୍ତି, ସ୍ଥିତି ଦେଖି ନିଷ୍ପତ୍ତି: ନରସିଂହ, ଅଧାରୁ ବିଜେପିର ବର୍ଜନ

ଭୁବନେଶ୍ୱର : ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଥିବା ଶୀତକାଳୀନ ଅଧିବେଶନ ଲାଗି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଣିକି ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ଓ ପ୍ରଶ୍ନକାଳ ସମୟରେ ଗୃହରେ କୌଣସି ସଦସ୍ୟ ହଟ୍ଟଗୋଳ କରିପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିବା ବାଚସ୍ପତି କହିଛନ୍ତି। ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନାବେଳେ ବିଜେପିର ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତି କାଳରେ ନୂଆ ନେତା ମନୋନୀତ କରାଯିବା ନେଇ ବିଜେପି ସଭ୍ୟ ପ୍ରସ୍ତାବ ଦେଇଥିଲେ। ଏହାକୁ ନେଇ ବାଚସ୍ପତି ଓ ବିଜେପି ସଦସ୍ୟଙ୍କ ମଧ୍ୟରେ କଥା କଟାକଟି ହେବାରୁ ବିଜେପି ବୈଠକକୁ ଅଧାରେ ବର୍ଜନ କରିଥିଲା।
ବିଧାନସଭା ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଗୃହ ସୁରୁଖୁରୁରେ ଚାଲିବା ପାଇଁ ବାଚସ୍ପତି ଡ. ପାତ୍ର ସମସ୍ତ ଦଳଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ ଡିସେମ୍ୱର ୧ରେ ଗୃହର ପ୍ରାରମ୍ଭିକ ଅଧିବେଶନ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ ଏବଂ ଅନ୍ୟ ଦିନରେ ପୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍ଣ ୧ଟା ୩୦ ମିନିଟ୍ ଏବଂ ଅପରାହ୍ଣ ୪ଟାରୁ ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଗୃହର ପ୍ରଥମ ଦିବସରେ ଦିବଂଗତ ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହେବ ଏବଂ ତାଙ୍କ ସମ୍ମାନାର୍ଥେ ଗୃହକୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ମୁଲତବି କରାଯିବ। ଉକ୍ତଦିନ ୫ଟାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଆଗତ ହେବ। ଗୃହରେ ନିୟମିତ ଭାବେ ଉଭୟ ତାରକା ଏବଂ ଅଣତାରକା ଚିହ୍ନିତ ପ୍ରଶ୍ନମାନଙ୍କର ଉତ୍ତର ରଖାଯିବ। ସେହିଭଳି ଗୃହରେ ମୁଲତବୀ ପ୍ରସ୍ତାବ ମଧ୍ୟ ବିରୋଧୀ ଦଳ ତରଫରୁ ଆଗତ କରାଯାଇପାରିବ। ସମ୍ପୂର୍ଣ୍ଣ କରୋନା କଟକଣା ମଧ୍ୟରେ ଗୃହ କାର୍ଯ୍ୟ ଚାଲିବ ଏବଂ ପୂର୍ବଥର ଭଳି ବିଧାୟକଙ୍କ ପାଇଁ ଆସନ ବ୍ୟବସ୍ଥା ଗ୍ରହଣ କରାଯିବ। ଗଣମାଧ୍ୟମ ପ୍ରତିନିଧିମାନେ ବିଧାନସଭା କାର୍ଯ୍ୟକ୍ରମକୁ ବିଧାନସଭା ସମ୍ମିଳନୀ କକ୍ଷରେ ଉପସ୍ଥିତ ରହି ପ୍ରସାରଣ ବ୍ୟବସ୍ଥା କରିପାରିବେ। ସେହିପରି ଓକାକ୍, ଭୁବନେଶ୍ୱର, ଲୋକସେବା ଭବନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷ, ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟ, ବିରୋଧୀ ଦଳ ନେତା ଏବଂ ବିଧାୟକଙ୍କ ଆବାସିକ କାର୍ଯ୍ୟାଳୟ ଏବଂ ଜିଲାପାଳଙ୍କ ଆଭାସି ସମ୍ମିଳନୀ କକ୍ଷରେ ଉପସ୍ଥିତ ରହି ସଭ୍ୟମାନେ ଗୃହର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ।
ବୈଠକ ସମୟରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ବାଚସ୍ପତିଙ୍କ ଦୃଷ୍ଟିଆକର୍ଷଣ କରି କହିଥିଲେ ଯେ ମୁଖ୍ୟ ବିରୋଧୀ ଦଳ ହିସାବରେ ବିଜେପିକୁ ତା’ର ହକ୍‌ ଦିଆଯାଉନାହିଁ । ପୂର୍ବରୁ ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ନେତା ଓ ଉପ ନେତା ଉପସ୍ଥିତ ରହୁଥିଲେ । କିନ୍ତୁ ବିରୋଧୀ ଦଳ ନେତାଙ୍କ ଅସୁସ୍ଥତା କାରଣରୁ ବିରୋଧୀ ଦଳ ଉପ ନେତା ଉପସ୍ଥିତ ରହିପାରିବେ ବୋଲି କୁହାଯାଇଛି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏବଂ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ବୈଠକରେ ସାମିଲ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଥିଲା । ଗତଥର ସର୍ବଦଳୀୟ ବୈଠକରେ ପ୍ରତିଶ୍ରୁତି ଦିଆଯାଇଥିବା ସତ୍ତ୍ବେ ବାଚସ୍ପତି ଦଳର ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେବାରୁ ବୈଠକକୁ ବର୍ଜନ କଲୁ ବୋଲି ଶ୍ରୀ ସେଠୀ କହିଥିଲେ।
ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ କହିଥିଲେ ଯେ ସମ୍ବିଧାନର ନିୟମ ଅନୁଯାୟୀ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବିରୋଧୀ ଦଳ ନେତାଙ୍କ ବଦଳରେ କାହାକୁ ମନୋନୀତ କରାଯିବ ସେନେଇ ବିଜେପିର ବିଧାୟକ ଦଳ (ଲେଜିସିଲେଟିଭ ପାର୍ଟି) ପକ୍ଷରୁ ଯାହା ନାଁ ପ୍ରସ୍ତାବ ଦିଆଯିବ ତାକୁ ବିଚାର କରାଯିବ। ହେଲେ ବିଜେପି ରାଜ୍ୟ ସଭାପତି ଏନେଇ ଲେଖିଲେ କ’ଣ ହେବ ବୋଲି ସେ ପ୍ରଶ୍ନ କରିଥିଲେ। ସେହିପରି ବାଚସ୍ପତି ଶ୍ରୀ ପାତ୍ର କହିଥିଲେ ଯେ ଯାହା ନିୟମରେ ରହିଛି ସେହି ଅନୁସାରେ ନିଷ୍ପତ୍ତି ହୋଇଛି। ଯଦି ସେମାନେ ବିରୋଧୀ ଦଳ ନେତାଙ୍କ ବଦଳରେ ଆଉ କାହାକୁ ବସାଇବାକୁ ଚାହୁଁଛନ୍ତି ତେବେ ତାଙ୍କ ‘ଲେଜିସିଲେଟିଭ ପାର୍ଟି’ ସେ ବିଷୟରେ ଲିଖିତଭାବେ ଜଣାଇବେ।ଏହି ଅବସରରେ କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ପ୍ରେସ୍‌ ଗ୍ୟାଲେରିରେ ସାମ୍ବାଦିକଙ୍କୁ ବସିବାକୁ ଅନୁମତି ଦେବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଅନ୍ୟମାନେ ଗ୍ରହଣ କଲେନି। ରାଜ୍ୟପାଳଙ୍କ ଅଭିଭାଷଣ ଓ ପ୍ରଶ୍ନକାଳରେ ହୋ ହଲ୍ଲା କଥା କହି ବାଚସ୍ପତି ପୁରୁଣା କଥା ଦୋହରାଇଛନ୍ତି। ଆଗାମୀ ଦିନରେ କ’ଣ କରାଯିବ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ। ମମିତା ପ୍ରସଙ୍ଗକୁ ଦଳ ମୁଖ୍ୟ ଅସ୍ତ୍ର କରିବ ବୋଲି ସେ କହିଛନ୍ତି।
ସର୍ବଦଳୀୟ ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ, ବିରୋଧୀ ଦଳ ଉପନେତା ଶ୍ରୀ ସେଠୀ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.