ଇତିହାସଠାରୁ ପୁରାତନ ଆମ ସମ୍ପର୍କ: ମାଳଦ୍ଵୀପ ସଂସଦରେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଳଦ୍ଵୀପରେ ପହଞ୍ଚିବା ପରେ ସେଠାକାର ଜାତୀୟ ସଂସଦରେ ଉଦବୋଧନ ଦେଇଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ବିଦେଶ ଗସ୍ତ ଅବସରରେ ମାଳଦ୍ଵୀପ ସ୍ଥିତ ଭେଲେନା ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସେଠାକାର ବିଦେଶ ମନ୍ତ୍ରୀ ସ୍ୱାଗତ କରିଥିଲେ। ସେଠାକାର ଜାତୀୟ ସଂସଦରେ ଉଦବୋଧନ ଦେବା ପୂର୍ବରୁ ମୋଦୀ ମାଳଦ୍ଵୀପ ରାଷ୍ଟ୍ରପତି ଇବ୍ରାହିମ ମହାମାଦ ସୋଲିଙ୍କ ସହ ଆଲୋଚନା କରିଥିଲେ।

ମାଳଦ୍ଵୀପ ସଂସଦରେ ଉଦବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରାୟୋଜିତ ସନ୍ତ୍ରାସବାଦ ଏବେ ବିଶ୍ୱ ପାଇଁ ବିପଦ ସୃଷ୍ଟି କରୁଛି। ବିଶ୍ୱର ସମସ୍ତ ଦେଶ ସନ୍ତ୍ରାସବାଦ ବିରୁଦ୍ଧରେ ଲଢେଇ ପାଇଁ ଆଗେଇ ଆସିବା ଆବଶ୍ୟକ ବୋଲି ମୋଦୀ ଆହ୍ୱାନ ଦେଇ କହିଛନ୍ତି, ଯେଉଁ ଦେଶଗୁଡିକ ସଂତ୍ରାସବାଦକୁ ସମର୍ଥନ କରୁଛନ୍ତି କିମ୍ବା ସାହାଯ୍ୟ କରୁଛନ୍ତି, ସେମାନଙ୍କ ମୁଖା ଖୋଲାଯିବା ଆବଶ୍ୟକ। ପ୍ରଧାନମନ୍ତ୍ରୀ ସେଠାକାର ସାଂସଦମାନଙ୍କୁ କହିଛନ୍ତି ଯେ ଭାରତ ମାଳଦ୍ଵୀପର ବିକାଶ ଦିଗରେ ସବୁ ପ୍ରକାର ସହାୟତା କରିବାକୁ ପ୍ରସ୍ତୁତ ଅଛି। ମାଳଦ୍ଵୀପ ଏବେ ନିରନ୍ତର ବିକାଶ ଦିଗରେ ଅଗ୍ରସର ହେଉଥିବାରୁ ମୋଦୀ ଖୁସି ବ୍ୟକ୍ତ କରି କହିଛନ୍ତି, ଭାରତ ଏବଂ ମାଳଦ୍ଵୀପ ପ୍ରକୃତ ବନ୍ଧୁ ଓ ଉଭୟ ଦେଶ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବେ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭବିଷ୍ୟତ ବଂଶଧରଙ୍କ ପାଇଁ ପୃଥିବୀକୁ ସୁରକ୍ଷିତ ରଖିବା ପାଇଁ ଆମକୁ ତ୍ୱରିତ ପଦକ୍ଷେପ ନେବାକୁ ହେବ। ଉଭୟ ଦେଶ ମଧ୍ୟରେ ଦ୍ୱି-ପାକ୍ଷିକ ସମ୍ପର୍କ ବୃଦ୍ଧି ଦିଗରେ ପାଦେ ଆଗକୁ ଯାଇ ଭାରତ ଇତି ମଧ୍ୟରେ ମାଳଦ୍ଵୀପ ପାଇଁ ଭିସା ଯୋଗାଇ ଦେବ ବୋଲି ଘୋଷଣା କରିଛି। ଭାରତ ଓ ମାଳଦ୍ଵୀପ ମଧ୍ୟରେ ଅନେକ କ୍ଷେତ୍ରରେ ସାମଞ୍ଜସ୍ୟ ରହିଥିବା ପ୍ରଧାନମନ୍ତ୍ରୀ କହିବା ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଦୃଢ଼ କରିବା ପାଇଁ ଆହ୍ୱାନ ଦେଇଛନ୍ତି।

ଆଜି ମଧ୍ୟ ମାଳଦ୍ଵୀପରେ ମୋଦୀଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ଦିଆଯାଇଛି। ସେଠାକାର ସଂସଦରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବା ପରେ ସମସ୍ତ ସାଂସଦ ନିଜ ନିଜ ଆସନରେ ଛିଡା ହୋଇ ସମ୍ମାନ ଜଣାଇଥିଲେ। ନିଜ ଅଭିଭାଷଣରେ ମୋଦୀ ଭାରତରେ ସଦ୍ୟ ସମାପ୍ତ ଲୋକସଭା ନିର୍ବାଚନ ପ୍ରସଙ୍ଗ ଉତଥାପନ କରି କହିଥିଲେ ଯେ ଭାରତୀୟ ନିର୍ବାଚନରୁ ଗଣତନ୍ତ୍ରର ଦୃଢ଼ତା ଜାଣିବାର ଅବକାଶ ମାଳଦ୍ଵୀପକୁ ମିଳିଛି। ମୋଦୀଙ୍କ ଗସ୍ତ ଅବସରରେ ମାଳଦ୍ଵୀପରେ ରୂପେ କାର୍ଡ଼ର ଶୁଭାରମ୍ଭ କରାଯାଇଛି।

Comments are closed.