ସର୍ବଭାରତୀୟ ଶିକ୍ଷକ କାର୍ଯ୍ୟକାରିଣୀ ବୈଠକରେ ପୁରୁଣା ପେନସନ ବ୍ୟବସ୍ଥା ପାଇଁ ଦାବି

ଗୁରୁଡିଝାଟିଆ : ଓଡ଼ିଶା ସରକାରୀ ପ୍ରାଥମିକ ଶିକ୍ଷକ ସଂଘ ଆନୁକୂଲ୍ୟରେ ଭୂବନେଶ୍ୱର ସିୱାଇଏସଡି ସଭାଗୃହରେ ଆୟୋଜିତ ସର୍ବଭାରତୀୟ ଶିକ୍ଷକ ସଂଗଠନ(ଏଆଇଏଫଟିଓ)ର ଜାତୀୟ କାର୍ଯ୍ୟକାରୀଣି ବୈଠକ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡଃ ଅଶ୍ୱୀନି କୁମାର ପୌରୋହିତ୍ୟ କରି ଭାରତ ବର୍ଷର ନୂତନ ପେନସନଭୁକ୍ତ ଶିକ୍ଷକ ତଥା କର୍ମଚାରୀଙ୍କ ନିମନ୍ତେ ପୁନର୍ବାର ପୁରୁଣା ପେନସନ ଲାଗୁକରିବା ପାଇଁ ଆହ୍ୱାନ ଦେବା ସହ ଉପସ୍ଥିତ ଥିବା ସମସ୍ତ ରାଜ୍ୟ ସଂଗଠନର ସଭ୍ୟମାନେ ଏହାକୁ ସମର୍ଥନ କରିଥିଲେ। ଆଗାମୀ ଦିନରେ ଏହାକୁ କାର୍ଯ୍ୟକାରୀ ନକଲେ ସମଗ୍ର ଦେଶରେ ଏଆଇଏଫଟିଓର ୧୨ଲକ୍ଷ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ । ଶିକ୍ଷକ ନେତା ଧର୍ମ ବିଜୟ ପଣ୍ଡିତ ବିଭିନ୍ନ ସଂଗଠନର ସାଂଗଠନିକ ସ୍ଥିତି ସଂପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକାରିଣୀ ବୈଠକରେ ସର୍ବଭାରତୀୟ ଶିକ୍ଷକ ସଂଗଠନ ତଥା ବିଭିନ୍ନ ରାଜ୍ୟରୁ ଆସିଥିବା ୧୬ଟି ଶିକ୍ଷକ ନେତୃମଣ୍ଡଳୀର କର୍ମକର୍ତ୍ତା ରମେଶ ଭାଇ ପଟେଲ, ରଣଜିତ୍ ସିଂହ ରାଜପୁତ୍, ହିତେଶ ଭାଇ ପଟେଲ, ସ୍ୱର୍ଣ୍ଣଲତା ପଣ୍ଡା, ରଶ୍ମୀ ସିଂ, ଶିଳ୍ପା ନାୟକ, ଅଞ୍ଜି ରେଡି, ଏସ୍ ସଲାହଉଦ୍ଦିନ, ଅଶୋକ କୁମାର ମିଶ୍ର, ଯୋଗେନ୍ଦ୍ର ସିଂ ଓ ଡଃ ସଲିକ ରାମ ପ୍ରଜାପତି ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରି ମତ ଉପସ୍ଥାପନ କରିଥିଲେ। ଏଆଇଏଫଟିଓର ଜାତୀୟ ସଂପାଦକ ଆରତ ଭଞ୍ଜନ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂଘର ଉପଦେଷ୍ଟା ପ୍ରତାପ କିଶୋର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଂଗଠନର ସାଧାରଣ ସଂପାଦକ ଛଗନଲାଲ ରୋଜ ବିବରଣୀ ପାଠ କରିଥିବା ବେଳେ ଉପସଭାପତି ଟୁଲୁ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.