୫୯ ଚୀନା ଆପ୍ ବନ୍ଦ ପ୍ରଭାବ: ମୁମ୍ବାଇ, ଗୁରୁଗାଓଁ ଅଫିସ ବନ୍ଦ କଲା ଆଲିବାବା

ଭାରତ ସରକାର ଚୀନ ପ୍ରସ୍ତୁତ ୫୯ ମୋବାଇଲ୍ ଆପ୍ ବନ୍ଦ କରିବା ନିଷ୍ପତ୍ତି ପରେ ଚୀନର ସବୁଠାରୁ ବଡ଼ ଇ କମର୍ସ କମ୍ପାନୀ ଆଲିବାବାକୁ ଲାଗିଛି ଝଟକା । ଆଲିବାବା ଭାରତରୁ ୟୁସି ବ୍ରାଉଜର, ଭି-ମେଟ୍ ଓ ୟୁସି ନ୍ୟୁଜ୍ ବ୍ୟବସାୟ ବନ୍ଦ କରିଦେଇଛି । ୟୁସି ବ୍ରାଉଜର କର୍ମଚାରୀଙ୍କୁ ଅନୌପଚାରିକ ଭାବରେ ଭାରତରୁ କମ୍ପାନୀର କାରବାର ବନ୍ଦ ସମ୍ପର୍କରେ ସୂଚନା ଦିଆଯାଇ ଗୁରୁଗାଓଁ ଓ ମୁମ୍ବାଇର କାର୍ଯ୍ୟାଳୟ ବନ୍ଦ କରିଦେଇଛି ।

ରଏଟର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କମ୍ପାନୀ ପକ୍ଷରୁ ୧୫ ଜୁଲାଇରେ କର୍ମଚାରୀଙ୍କୁ ଏକ ଚିଠି ଲେଖାଯାଇଛି । ଏଥିରେ କୁହାଯାଇଛି ଯେ ଭାରତ ସରକାର ଦ୍ବାରା ୟୁସି ୱେବ ଓ ଭି-ମେଟ୍ ଉପରେ କଟକଣା ଲଗାଯାଇଥିବାରୁ କମ୍ପାନୀକୁ ଏପରି ନିଷ୍ପତ୍ତି ନେବାକୁ ପଡ଼ୁଛି । ଭାରତ ସରକାରଙ୍କ ନିଷେଧାଦେଷ ପରେ କମ୍ପାନୀ ପକ୍ଷରୁ ସେବା ଯୋଗାଇ ଦେବାରେ ବାଧା ସୃଷ୍ଟି ହୋଇଛି । ୟୁସି ୱେବ୍ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ କମ୍ପାନୀ ଭାରତ ସରକାରଙ୍କ ଆଦେଶକୁ ପାଳନ କରି ସବୁ ସେବା ବନ୍ଦ କରିଛି । ତେବେ ଆଲିବାବା ପକ୍ଷରୁ ଏ ସମ୍ପର୍କରେ ବିଧିବଦ୍ଧ ଭାବରେ କୌଣସି ବିବୃତି ଜାରି କରାଯାଇ ନାହିଁ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ୟୁସି ବ୍ରାଉଜର କର୍ମଚାରୀମାନଙ୍କୁ କୁହାଯାଇଛି ଯେ କମ୍ପାନୀ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବ । ଅର୍ଥାତ୍ ବର୍ତମାନ ସ୍ଥିତିରେ କିଛି ମାସର ଦରମା ପ୍ରଦାନ କରିବ । ୟୁସି-ବ୍ରାଉଜର ଆଲିବାବା କମ୍ପାନୀର ଏକ ଅଂଶ ଏବଂ ଭାରତରେ ବ୍ୟବହୃତ ଚୀନା ଆପ୍ ମଧ୍ୟରୁ ଏହା ସବୁଠାରୁ ଅଧିକ ବ୍ୟବହୃତ ହେଉଥିଲା । ସଂପ୍ରତି ଭାରତ-ଚୀନ ବିବାଦ ଯୋଗୁଁ ଭାରତ ସରକାର ଆଭ୍ୟନ୍ତରୀଣ ସୁରକ୍ଷାକୁ ଦୃଷ୍ଟିରେ ରଖି ଚୀନ ଆପ୍ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି ।

Comments are closed.