ରଣବୀର-ଆଲିୟା ବିବାହ!

ମୁମ୍ବଇ: ରଣବୀର କପୁର ଓ ଆଲିୟା ଭଟ୍ଟ ଦୁହେଁ ନିଜ ସମ୍ପର୍କକୁ ଆଉ ଗୋପନ ରଖିବାକୁ ଚାହୁଁନାହାନ୍ତି। ଦୁହେଁ ଏବେ ସର୍ବସମ୍ମୁଖରେ ରେସ୍ତୋରାଁ ଯିବା, ପରସ୍ପରର ଘରକୁ ଯା-ଆସ କରିବା ଇତ୍ୟାଦି ଗଣମାଧ୍ୟମକୁ ଲୁଚାଉନାହାନ୍ତି। ଦୁହିଁଙ୍କ ପରିବାରଲୋକେ ମଧ୍ୟ ଚାହୁଁଛନ୍ତି ଯଥା ଶୀଘ୍ର ଏଇ ଶୁଭ କାର୍ଯ୍ୟ ସମ୍ପାଦନ ହେଉ। ଏଇ ଦୁଇ ଲୋକପ୍ରିୟ ସିନେକଳାକାରଏବେ କିନ୍ତୁ ନିଜ ସୁଟିଂରେ ଖୁବ୍ ବ୍ୟସ୍ତ ଅଛନ୍ତି। ଫେବୃଆରୀ ଶେଷ ସୁଦ୍ଧା ସେମାନଙ୍କର ଆଗାମୀ ଚଳଚ୍ଚିତ୍ରର ସୁଟିଂ ଶେଷ ହୋଇପାରେ ବୋଲି ଅନୁମାନ କରାଯାଉଛି। ଦୁହେଁ ‘ବ୍ରହ୍ମାସ୍ତ୍ର’ ଚଳଚ୍ଚିତ୍ରର ସୁଟିଂରେ ବୁଲଗେରିଆରେ ଥିବାବେଳେ ସେମାନଙ୍କ ଘନିଷ୍ଠତା ବୃଦ୍ଧି ପାଇଥିଲା। ରଣବୀରଙ୍କ ପରିବାରର ଜନୈକ ସଦସ୍ୟ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି ଯେ ଦୁହିଁଙ୍କ ବିବାହ ଅପ୍ରେଲ୍‌ରେ କାଶ୍ମୀରରେ ପାରମ୍ପରିକ ଭାବେ ଅନୁଷ୍ଠିତ ହେବ। ଏସବୁର ଯୋଜନା ରଣବୀରଙ୍କ ମା’ ନିତୁ ନିଜେ କରୁଛନ୍ତି। ରିଷି ଏବେ କର୍କଟରୋଗରୁ ଆରୋଗ୍ୟ ଲାଭ କରିଥିବାବେଳେ ବିଦେଶରେ ବିବାହ ପାଇଁ ପରିବାରର ଲୋକଙ୍କ ଆଗ୍ରହ ସେଭଳି ନଥିବାର ଜଣାପଡ଼ିଛି। ଏଣୁ ଭାରତର ଭୂସ୍ବର୍ଗ ଭାବେ ଜଣାଯାଉଥିବା କାଶ୍ମୀରରେ ଏଇ ବର୍ଣ୍ଣାଢ୍ୟ ବିବାହ ଆୟୋଜିତ ହେବାର ଯୋଜନା ଚାଲିଛି। ଗଣମାଧ୍ୟମ ନିକଟକୁ ଯେପରି କୌଣସି ଖବର ନ ଆସେ, ସେଥିପାଇଁ ଉଭୟ ପରିବାରଲୋକ ବେଶ୍ ସତର୍କ ଅଛନ୍ତି।

Comments are closed.