ବେରୁତ ବିସ୍ଫୋରଣ ପରେ ଚେନ୍ନାଇରେ ସତର୍କତା; ଗଚ୍ଛିତ ରହିଛି ୭୪୦ ଟନ୍‌ ଆମୋନିୟମ ନାଇଟ୍ରେଟ୍‌

ଚେନ୍ନାଇ: ଲେବାନନ୍‌ର ରାଜଧାନୀ ବେରୁତ ସହରରେ ଚଳିତ ସପ୍ତାହରେ ଘଟିଥିବା ଭୟଙ୍କର ବିସ୍ଫୋରଣର କାରଣ ସାଜିଥିଲା ଆମୋନିୟମ ନାଇଟ୍ରେଟ୍‌। ଏହି ବିପଜ୍ଜନକ ରସାୟନିକ ଦ୍ରବ୍ୟ ଯୋଗୁ ପୂରା ବେରୁତ ସହର ଛାରଖାର ହୋଇଯାଇଛି। ଏହି ଘଟଣା ଏବେ ଚେନ୍ନାଇ ପାଇଁ ସତର୍କ ଘଣ୍ଟି ପାଲଟିଛି। କାରଣରେ ଚେନ୍ନାଇରେ ଗଚ୍ଛିତ ରହିଛି ୭୪୦ ଟନ୍‌ ଆମୋନିୟମ ନାଇଟ୍ରେଟ୍‌। ତେଣୁ ବେରୁତ ବିସ୍ଫୋରଣ ଘଟଣା ପରେ ଚେନ୍ନାଇରେ ସରକାରୀ ସ୍ତରରେ ସତର୍କତା ଦେଖିବାକୁ ମିଳିଛି। ଚେନ୍ନାଇ ବନ୍ଦରର ଜଣେ ବରିଷ୍ଠ କଷ୍ଟମ ଅଧିକାରୀଙ୍କ ସୂଚନା ଅନୁସାରେ ମନାଲୀରେ ଥିବା ଏକ କଣ୍ଟେନର ଷ୍ଟେଶନରେ ଏହି ଆମୋନିୟମ ନାଇଟ୍ରେଟ୍‌ ରହିଛି। କଷ୍ଟମ ବିଭାଗ ୨୦୧୫ରେ ସଲେମ ନାମକ ଏକ କମ୍ପାନୀରୁ ଏହାକୁ ଜବତ କରିଥିଲା।

ବେରୁତ ବିସ୍ଫୋରଣ ପରେ ଚେନ୍ନାଇରେ ଗଚ୍ଛିତ ଆମୋନିୟମ ନାଇଟ୍ରେଟ୍‌କୁ ନଷ୍ଟ କରିବା ଲାଗି ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଯାଇଛି। ଜଣେ ଅଧିକାରୀ କହିଛନ୍ତି ଖୁବ୍‌ଶୀଘ୍ର ଏହାକୁ ନଷ୍ଟ କରିଦିଆଯିବ। ଅନ୍ୟପଟେ ତାଲମିନାଡୁ ପୁଲିସ ସତର୍କତା ଅବଲମ୍ବନ କରି ଏ ସମ୍ପର୍କରେ ଏକ ଆଲର୍ଟ ଜାରି କରିଛି। ଏଥିରେ କୁହାଯାଇଛି ଯେ, ୩୭ଟି କଣ୍ଟେନରରେ ଆମୋନିୟମ ନାଇଟ୍ରେଟ୍‌ ରଖାଯାଇଛି। ଏହା ସହିତ ଗୁଇନ୍ଦା ଅଧିକାରୀଙ୍କୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି।

ସୂଚନାଯୋଗ୍ୟ, ଗତ ୪ ତାରିଖରେ ଲେବାନନ୍‌ ରାଜଧାନୀ ବେରୁତରେ ଘଟିଥିବା ବିସ୍ଫୋରଣ ପୂରା ସହରକୁ ଧ୍ଵସ୍ତବିଧ୍ଵସ୍ତ କରିଦେଇଛି। କ୍ଷଣିକ ମଧ୍ୟରେ ହଜାର ହଜାର ବହୁତଳ କୋଠା ମାଟିରେ ମିଶିଯାଇଛି। ଏଥିରେ ୧୫୦ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବାବେଳେ ୫ ହଜାରରୁ ଊର୍ଦ୍ଧ୍ଵ ଆହତ ହୋଇଛନ୍ତି। ବେରୁତ ବନ୍ଦରରେ ୨୦୧୩ରୁ ଅସୁରକ୍ଷିତ ଭାବେ ରଖାଯାଇଥିବା ୨୭୫୦ ଟନ୍‌ ଆମୋନିୟମ ନାଇଟ୍ରେଟ୍‌ ଯୋଗୁ ଏହି ବିସ୍ଫୋରଣ ଘଟିଥିଲା।

Comments are closed.