ବିପୁଳ ପରିମାଣର ମହୁଲ ପୋଚ ଓ ଦେଶୀ ରନ୍ଧା ମଦ ଜବତ

ଦେବଗଡ଼ : ଦେବଗଡ ଅବକାରୀ ବିଭାଗ ପକ୍ଷରୁ ସୋମବାର ଦେବଗଡ ଥାନା ଅନ୍ତର୍ଗତ ବେତେଇ ଜଙ୍ଗଲରେ ଥିବା ଝରଣାକୂଳରେ ଅଚାନକ ଚଢାଉ କରାଯାଇ ଦେଶୀମଦ ପ୍ରସ୍ତୁତ ନିମନ୍ତେ ରଖାଯାଇଥିବା ୪୬୦ କିଲୋ ମହୁଲ ପୋଚ ଓ ୧୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି। ତେବେ ଏ ଘଟଣାରେ କାହାରିକୁ ଗିରଫ କରାଯାଇପାରିନାହିଁ।

ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ ଥାନାଂଚଳର ବେତେଇ ଜଙ୍ଗଲ ମଧ୍ୟରେ ଥିବା ଝରଣାକୂଳରେ ବେଆଇନ ଭାବେ ଦେଶୀ ମଦ ପ୍ରସ୍ତୁତ ହେଉଥିବା କୌଣସି ସୂତ୍ରରୁ ସୂଚନା ପାଇ ଦେବଗଡ ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାୟକଙ୍କ ନିର୍ଦେଶ କ୍ରମେ ଅବକାରୀ ଇନ୍ସପେକ୍ଟର ପଦ୍ମଲୋଚନ ପ୍ରଧାନଙ୍କ ନେତୃତ୍ୱରେ ଅବକାରୀ ସବ ଇନ୍ସପେକ୍ଟର ରାଧାକାନ୍ତ ଭୋଇ, ଏଏସ୍‍ଆଇ ଲୋକନାଥ ବେହେରା , ଦିଲ୍ଲିପ କୁମାର ଶତପଥି ଓ ପଦ୍ମାଳୟା ମୁଣ୍ଡା ପ୍ରମୁଖ ସଦଳବଳେ ବେତେଇ ଜଙ୍ଗଲରେ ଥିବା ଝରଣା କୂଳରେ ଅତର୍କୀତ ଚଢାଉ କରିଥିଲେ। ଚଢାଉ ସମୟରେ ସେଠାରେ ଦେଶୀ ମଦ ପ୍ରସ୍ତୁତ କରୁଥିବା ବେତେଇ ଗ୍ରାମର ଝରିଆ ଓରାମ, ଭୁବନ ଓରାମ ଓ ରାଜେଶ ଓରାମ ଅବକାରୀ ଦଳକୁ ଦେଖି ଦୌଡି ପଳାଇଥିଲେ। ଫଳରେ ଅବକାରୀ ଦଳ ସେଠାରେ ଝରିଆ ଗଚ୍ଛିତ ରଖିଥିବା ୫ ଲିଟର ଦେଶୀ ରନ୍ଧା ମଦ, ଭୁବନ ମଦ ପ୍ରସ୍ତୁତି ନିମନ୍ତେ ଗଚ୍ଛିତ ରଖିଥିବା ୬୦ କିଲୋ ମହୁଲ ପୋଚ ଓ ୫ ଲିଟର ଦେଶୀ ରନ୍ଧା ମଦ ଓ ରାଜେଶ ମଦ ପ୍ରସ୍ତୁତି ନିମନ୍ତେ ଗଚ୍ଛିତ ରଖିଥିବା ୪୦୦ କିଲୋ ମହୁଲ ପୋଚ ଜବତ କରି ନଷ୍ଟ କରିଥିଲେ। ଏଥିସହ ଡେକଚି ଓ ଡ୍ରମ ଆଦି ବିଭିନ୍ନ ମଦ ରନ୍ଧା ସରଞ୍ଜାମ ମଧ୍ୟ ଜବତ କରିଥିଲେ।

Comments are closed.