ଦେଶି ମଦ ଜବତ, ୨ ଅଟକ

ଗଡମଧୁପୁର : ଜେନାପୁର ଥାନା ଅଂଚଳରେ ଦିନକୁ ଦିନ ବଢିଚାଲିଥିବା ଚୋରା ଦେଶୀ ମଦ କାରବାର ଉପରେ ରୋକ ଲଗାଇବାକୁ ଜେନାପୁର ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆଜି ରାତି ୯ଟା ସମୟରେ ଜେନାପୁର ପୁଲିସ ପାଟ୍ରୋଲିଙ୍ଗ କରୁଥିବାବେଳେ ଓଆର୧୯ପି ୪୨୩୫ନଂ ସ୍କର୍ପିଓକୁ ସନ୍ଦେହ କରି ଅଟକ ରଖି ଯାଞ୍ଜ କରିବାରୁ ସେଥିରେ ଦୁଇଶହ ଲିଟର ଦେଶି ମହୁଲି ମଦଥିବା ଦେଖି ଗାଡିକୁ ଜବତ କରିବା ସହିତ ଦୁଇ ଜଣକୁ ଅଟକ ରଖି ପଚରା ଉଚରା କରୁଛି। ଅଟକ ଦୁଇଜଣ ହେଲେ ଢେଙ୍କାନାଳ ଜିଲା ଭୁବନ ଗାଁର ଦୟାନିଧି ସାହୁ(୨୪) ଓ ଜେନାପୁର ଥାନା ଅଧିନ ଏଣ୍ଡଳବା ଗାଁର ପ୍ରେମାନନ୍ଦ ବେହେରା(୪୨) ବୋଲି ଜଣାପଡ଼ିଛି।

ଏ ନେଇ ଥାନାଧିକାରୀ ଆଶିସ କୁମାର ସାହୁ ସମାଜକୁ ସୂଚନା ଦେଇ କହିଛନ୍ତି ଯେ, ପାଟ୍ରୋଲିଙ୍ଗ ସମୟରେ ଗାଡି ଉପରେ ସନ୍ଦେହ ସୃଷ୍ଟି ହେବାରୁ ସ୍କର୍ପିଓକୁ ଅଟକାଯାଇଥିଲା। ଏତେ ପରିମାଣର ଚୋରାମଦ କେଉଁଠାରୁ ଅସିଥିଲା ଆଗରୁ ଜେନାପୁର ଥାନା ଅଂଚଳରେ ଯୋଗାଉଥିଲେ କି ନାହିଁ ତାର ଅନୁସନ୍ଧାନ ଜାରି ରହିଛି। ତେବେ ଏହି ଚୋରାମଦ ରାକେଟ ଢେଙ୍କାନାଳରୁ ମଦ ଆଣି ଜେନାପୁର ଅଂଚଳରେ ବେପାର ପାଇଁ ଯୋଗାଇ ଦେଉଥିବା ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି। ଜବତ ଦେଶୀ ମଦର ଅନୁମାନିକ ମୂଲ୍ୟ ୮୦ ହଜାର ଟଙ୍କା ହେବ। ଅବକାରୀ ବିଭାଗର ଅବହେଳା ପାଇଁ ଏହି ଅଂଚଳ ଏବେ ଚୋରା ମଦ ବେପାରୀଙ୍କର ଚରାଭୂଇଁ ପାଲଟି ଯାଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Comments are closed.