ଅଣସରର ପ୍ରଥମ ଦିନ: ଅଲାରନାଥ ପୀଠ ଖାଁ ଖାଁ

ପୁରୀ : ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଣସର ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହି ସମୟରେ ଶ୍ରଦ୍ଧାଳୁ ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ନପାଇ ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ ପାଇଁ ଆସିଥାନ୍ତି । କରୋନା ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି ଚଳିତବର୍ଷ ଅଲାରନାଥଙ୍କ ଅଣସର ଦର୍ଶନ ଉପରେ ପ୍ରଶାସନ କଟକଣା ଜାରି କରିଛି। ମନ୍ଦିର ଚାରିପଟେ ବ୍ୟାରିକେଡ କରାଯିବା ସହ ୧୪୪ ଧାରା ଲାଗୁ କରାଯାଇଛି। ଏଣୁ ଶୁକ୍ରବାର ଅଣସର ଦର୍ଶନ ପ୍ରଥମ ଦିନରେ ଅଲାରନାଥ ପୀଠ ଭକ୍ତଶୂନ୍ୟ ହୋଇ ପଡ଼ିଥିଲା। କେବଳ ମନ୍ଦିର ପାଳିଆ ସେବାୟତମାନେ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି କରିଥିଲେ। ସ୍ଥାନୀୟ ଅଞ୍ଚଳର ଲୋକମାନେ ଦର୍ଶନ କରିବା ପାଇଁ ବ୍ୟାରିକେଡ ନିକଟରେ ଅଲାରନାଥଙ୍କ ଏକ ଫଟୋ ଲଗାଯାଇଛି। ଆଜି ଭୋର ୪ଟାରେ ଅଲାରନାଥଙ୍କ ମନ୍ଦିର ଦ୍ୱାର ଫିଟା ଯାଇଥିଲା। ମଙ୍ଗଳଆରତି, ଅବକାଶ, ମଇଲମ ଓ ଚନ୍ଦନ ତୁଳସୀ ଲାଗି ସକାଳ ୬ଟା ସୁଦ୍ଧା ଶେଷ ହୋଇଥିଲା। ଅପହାହ୍ନରେ ବଲ୍ଲଭଭୋଗ କରାଯାଇଥିଲା। ମଧ୍ୟାହ୍ନରେ ଅନ୍ନଭୋଗ ସାଙ୍ଗକୁ ଅଲାରନାଥଙ୍କ ପ୍ରିୟ ପ୍ରସାଦ ଖିରି ଭୋଗ କରାଯାଇ ପହଡ ପଡ଼ିଥିଲା। ସନ୍ଧ୍ୟାରେ ଆଳତି ସାଙ୍ଗକୁ ଅଣସରର ସମସ୍ତ ନୀତିକାନ୍ତି କରାଯାଇ ରାତି ୧୦ଟାରେ ବଡସିଂହାର ବେଶ ଓ ୧୦ଟା ୩୦ରେ ପହଡ କରାଯାଇଥିଲା।

Comments are closed.