ଅଲାରନାଥ ପୀଠ ଖାଁ ଖାଁ

ପୁରୀ : ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଣସର ଶନିବାରଠାରୁ ଆରମ୍ଭ ହୋଇଛି। ଏହା ୧୪ ଦିନ ଧରି ଚାଲିବ। ଏହି ସମୟରେ ଜଗନ୍ନାଥପ୍ରେମୀ ଭକ୍ତମାନେ ରତ୍ନସିଂହାସନରେ ଚତୁର୍ଦ୍ଧାମୁର୍ତ୍ତିଙ୍କୁ ଦର୍ଶନ ନପାଇ ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥଙ୍କୁ ଦର୍ଶନ ପାଇଁ ଧାଇଁ ଆସିଥାନ୍ତି। ଏହି ପୀଠ ଭକ୍ତଗହଳିରେ ଚଳଚଞ୍ଚଳ ହୋଇପଡିଥାଏ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ଅଲାରନାଥଙ୍କ ଅଣସର ଦର୍ଶନ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ମନ୍ଦିର ଚତୁଃପାଶ୍ୱର୍ରେ ଥିବା ବିଭିନ୍ନ ସ୍ଥାନରେ ବ୍ୟାରିକେଡ଼ କରାଯିବା ସହିତ ୧୪୪ ଧାରା ଲାଗୁ କରାଯାଇଛି। ଫଳରେ ଶନିବାର ଅଣସର ଦର୍ଶନର ପ୍ରଥମ ଦିନରେ ଅଲାରନାଥ ପୀଠ ଭକ୍ତ ଶୂନ୍ୟ ହୋଇପଡିଥିଲା। କେବଳ ମନ୍ଦିରର ପାଳିଆ ସେବାୟତମାନେ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି କରିଥିଲେ। ସେବାୟତଙ୍କ ବ୍ୟତୀତ କୌଣସି ଜଣେ ହେଲେ ବ୍ୟକ୍ତି ମନ୍ଦିର ଭିତରକୁ ଯାଇ ପାରିନଥିଲେ। ଭୋର ୪ଟାରୁ ଦ୍ୱାର ଫିଟା ହୋଇ ମଙ୍ଗଳ ଆରତି, ଅବକାଶ, ମଇଲମ ଓ ଚନ୍ଦନ ତୁଳସୀ ଲାଗି ସକାଳ ୬ଟା ସୁଦ୍ଧା ଶେଷ ହୋଇଥିଲା। ମଧ୍ୟାହ୍ନରେ ଭଲ୍ଲଭ ଭୋଗ କରାଯାଇଥିଲା। ଶ୍ରୀଜୀଉଙ୍କୁ ଅନ୍ନ ସମେତ ଖିରୀ ଭୋଗ କରାଯାଇ ଅଣସର ସମସ୍ତ ନୀତିକାନ୍ତି ସମାପନ ହୋଇଥିଲା।

Comments are closed.